ବିବାଦରେ ଧାମରାର ୯କୋଟି ବ୍ୟୟରେ ନିର୍ମିତ ମଡେଲ ବସଷ୍ଟାଣ୍ଡ
ଭଦ୍ରକ, ୨୪ ନଭେମ୍ବର (ହି.ସ.) - ଏହି ଜିଲାର ଧାମରାରେ ୯କୋଟି ଟଙ୍କାରେ ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ବସଷ୍ଟାଣ୍ଡ ଜୁନ ୩ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ କର କମଳରେ ଭାର୍ଚୁଆଲ ମୋଡରେ ଲୋକାର୍ପିତ ହୋଇଥିଲା। ଜୁନ ୧୪ ତାରିଖରେ ଏହି ବସଷ୍ଟାଣ୍ଡ ପାଇଁ ୧୪ଜଣ ଶାସକ ଦଳର ଲୋକଙ୍କୁ କର୍ମଚାରୀ ଭାବେ ନିଯୁକ୍
DHAMARA NEW MODEL BUS STAND


ଭଦ୍ରକ, ୨୪ ନଭେମ୍ବର (ହି.ସ.) - ଏହି ଜିଲାର ଧାମରାରେ ୯କୋଟି ଟଙ୍କାରେ ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ବସଷ୍ଟାଣ୍ଡ ଜୁନ ୩ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ କର କମଳରେ ଭାର୍ଚୁଆଲ ମୋଡରେ ଲୋକାର୍ପିତ ହୋଇଥିଲା। ଜୁନ ୧୪ ତାରିଖରେ ଏହି ବସଷ୍ଟାଣ୍ଡ ପାଇଁ ୧୪ଜଣ ଶାସକ ଦଳର ଲୋକଙ୍କୁ କର୍ମଚାରୀ ଭାବେ ନିଯୁକ୍ତି ମିଳିଥିଲା। ଏହାକୁ ନେଇ କଂଗ୍ରେସ ଦଳ ପକ୍ଷରୁ ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହେବା ସହ ସ୍ଥାନୀୟ ଯୁବକ ଯୁବତୀ ମାନଙ୍କୁ ଏହି ବସଷ୍ଟାଣ୍ଡରେ ବାକିଥିବା ୧୩ଟି ପଦପଦବୀରେ ନିଯୁକ୍ତି ଦେବାକୁ କଂଗ୍ରେସ ଦଳ ଦାବୀ ରଖିଥିଲା। ଭଦ୍ରକ ଜିଲ୍ଲାପାଳ ସେମାନଙ୍କୁ ମୌଖିକ ପ୍ରତିଶ୍ରୁତି ମଧ୍ୟ ଦେଇଥିଲା। ମାତ୍ର ଅଗଷ୍ଟ ୧୩ ତାରିଖରେ ବସଷ୍ଟାଣ୍ଡରେ ଫାଙ୍କ ପଡିଥିବା ୧୩ଟି ପଦ ପୂରଣ ହୋଇ ଯାଇଛି ବୋଲି କଂଗ୍ରେସ ଦଳ ଶୁଣିବା ପରେ ଅଗଷ୍ଟ ୧୪ ତାରିଖ ଦିନ କଂଗ୍ରେସ ପକ୍ଷରୁ ଏହି ଗେଟରେ ତାଲା ପକାଯାଇଥିଲା, ଏହାର ଏକମାତ୍ର କାରଣ ବସଷ୍ଟାଣ୍ଡରେ ସ୍ଥାନୀୟ ନିଯୁକ୍ତି କେବଳ ଶାସକ ଦଳକୁ ମିଳୁଥିବା ବେଳେ କଂଗ୍ରେସ ଦଳକୁ କେବଳ ଆଶ୍ୱାସନାରେ ସନ୍ତୁଷ୍ଟ ହୋଇ ରହିବାକୁ ପଡିଥିଲା। ଅଗଷ୍ଟ ୧୬ତାରିଖ ଦିନ ଚାନ୍ଦବାଲି ତହସିଲଦାର ଭବତୋଷ ମଲିକ ଆସି ଏହାର ସୁ ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ଅଗଷ୍ଟ ୧୭ ତାରିଖ ଦିନ ଏହି ଗେଟରୁ ତାଲା ଖୋଲା ଯାଇଥିଲା। ମାତ୍ର ଏହା କେବଳ ପ୍ରତିଶ୍ରୁତି ରେ ପାଣି ସଦୃଶ ହୋଇଥିବା ବେଳେ ଶାସକ ଦଳର କଥା କଂଗ୍ରେସ ତଥା ବିଜେଡି ଦଳର ସହଜରେ ହଜମ ହୋଇ ନଥିଲେ ମଧ୍ୟ ସବୁକିଛି ମାନି ନେବାକୁ ପଡିଥିଲା।ପରେ ଧାମରା ବସଷ୍ଟାଣ୍ଡ ପରିସରରେ ହୋଇଥିବା ୧୪ଟି ଦୋକାନ ଗୃହ ଆବଂଟନକୁ ନେଇ ବିବାଦ ଆରମ୍ଭ ହୋଇଥିଲା।ଚାନ୍ଦବାଲି ତହସିଲଦାର ଭବତୋଷ ମଲିକ ଏବଂ ଚାନ୍ଦବାଲି ବିଡିଓ ସଞୀବ ମହାପାତ୍ରଙ୍କ ଉପସ୍ଥିତିରେ ଏହି ଦୋକାନ ଗୃହ କୁ ନିଲାମ ଭାବେ ୧୧ହଜାର ଟଙ୍କାରୁ ଆରମ୍ଭ ହୋଇ ମାସିକ ୨୦ହଜାର ଟଙ୍କା ପର୍ଯ୍ୟନ୍ତ ନିଲାମ ହୋଇଥିଲା।ପ୍ରାରମ୍ଭରେ ୩ମାସର ଅଗ୍ରୀମ ଭଡା ଦେୟ ଭାବେ ବ୍ଲକରେ ଜମା ରଖିବାକୁ ବିଭାଗୀୟ ଅଧିକାରୀ ନିର୍ଦେଶ ମଧ୍ୟ ଦେଇଥିଲେ। କିଛି ବ୍ୟବସାୟୀ ନିଲାମରେ ଅଂଶ ଗ୍ରହଣ କରିଥିଲେ ମଧ୍ୟ ପରେ ଆଉ ଅଗ୍ରୀମ ୩ମାସର ଦେୟ ଜମା କରି ନଥିବା ବେଳେ ଦୋକାନ ଗୃହ ଗୁଡିକର ଭଡା ଅତ୍ୟଧିକ ହୋଇ ଯାଉଛି ବୋଲି ଅଭିଯୋଗ ଆଣିଥିଲେ। ଦୀର୍ଘ ୬ମାସ ବିତିଯାଇଥିଲେ ମଧ୍ୟ ବସଷ୍ଟାଣ୍ଡ ପରିସରରେ ଥିବା ୧୪ଟି ଦୋକାନ ଗୃହ ଆଜି ପର୍ଯ୍ୟନ୍ତ ଆବଂଟନ ହୋଇ ପାରିଲା ନାହିଁ। ଏଥିସହ ୯କୋଟି ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ଧାମରା ମଡେଲ ବସଷ୍ଟାଣ୍ଡ ଲୋକାର୍ପିତ ଗତ ଜୁନ ୪ତାରିଖରେ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ କେବଳ ଗୋଟିଏ ମୋ ବସ ଏବଂ ଧାମରାରୁ ପୁରୀ ଦୈନିକ ଯାତାୟତ କରୁଥିବା ବସ ଟି ବ୍ୟତୀତ ଅନ୍ୟ କୌଣସି ବେସରକାରୀ ବସ ଏହି ବସ ଷ୍ଟାଣ୍ଡ ମଧ୍ୟକୁ ଆସୁ ନାହାନ୍ତି। ଏଠାରେ କ୍ଷୋଭର ବିଷୟ ବସଷ୍ଟାଣ୍ଡ ଗେଟ ଆଗରେ ୨୫ରୁ ଅଧିକ ଆର୍ନ୍ତଜିଲ୍ଲା, ଆର୍ନ୍ତରାଜ୍ୟ ବସ ସବୁ ଛିଡା ହୋଇ ରହୁଥିବା ବେଳେ ଜିଲ୍ଲା ପ୍ରଶାସନର ଅପାରଗତ ପାଇଁ କୌଣସି ବେସରକାରୀ ବସ ଧାମରା ମଡେଲ ବସଷ୍ଟାଣ୍ଡକୁ ଆସୁ ନାହାନ୍ତି ଫଳରେ ଦୈନିକ ହଜାର ହଜାର ଟଙ୍କା ରାଜସ୍ୱ ହାନୀ ଘଟୁଛି। ଧାମରା ମଡେଲ ବସଷ୍ଟାଣ୍ଡରେ ଟଙ୍କାଟିଏ ରାଜସ୍ୱ ଆଦାୟ ହୋଇ ପାରୁ ନଥିବା ବେଳେ କର୍ମଚାରୀଙ୍କ ଦରମା ଏବଂ ବସଷ୍ଟାଣ୍ଡର ରକ୍ଷଣାବେକ୍ଷଣ ପାଇଁ ମାସକୁ ୫ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ ହେଉଥିବା ଜଣାଯାଇଛି। ଡବଲ ଇଞିନର ଡବଲ ସରକାରଙ୍କ ଏହି ବ୍ୟବସାୟ କେତେ ଲାଭଜନକ ଏବଂ ଏଥି ପାଇଁ ପ୍ରକୃତରେ ଜିଲ୍ଲାପ୍ରଶାସନ ଅଥବା ରାଜ୍ୟ ସଡକ ପରିବହନ ବିଭାଗ ଦାୟୀ ଏବଂ ଏହି କ୍ଷତିର ଭରଣା କିପରି ହେବ ଏଥିସହ ସମସ୍ତ ବେସରକାରୀ ବସ ଏହି ବସଷ୍ଟାଣ୍ଡ ମଧ୍ୟରୁ ନିଜର ଯାତ୍ରା ଆରମ୍ଭ କରିବ ସେଥିପ୍ରତି ରାଜ୍ୟ ସରକାର ଯତ୍ନବାନ ହେବା ଜରୁରୀ ହୋଇ ପଡିଛି ନଚେତ ବାର୍ଷିକ କୋଟି କୋଟି ଟଙ୍କା କେବଳ ବ୍ୟୟ ବରାଦ ରେ ଅର୍ଥ ହାନୀ ହେବ । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande