
ବଲାଙ୍ଗୀର, ୨୪ ନଭେମ୍ବର(ହି.ସ.) – ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ସମ୍ମୁଖରେ ସୋମବାର ୮ ଦଫା ଦାବି ନେଇ ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଂଗଠନ ପକ୍ଷରୁ ବଲାଙ୍ଗୀର ସରକାରୀ ଆୟୁଷ ମହାବିଦ୍ୟାଳୟରେ ଆୟୁଷ ଡ଼ାକ୍ତରୀ ଛାତ୍ରୀଛାତ୍ର ଓ ହାଉସ ସର୍ଜନମାନେ ତାଲା ବନ୍ଦ ଡାକରା ଦେଇ ପ୍ରତିବାଦ କରିଛନ୍ତି। ଆୟୁଷ ଛାତ୍ରୀଛାତ୍ର ଯେଉଁ ୮ ଦଫା ଦାବି ଉପସ୍ଥାପନ କରିଛନ୍ତି, ସେଥିରେ ଓପିଏସ୍ସି ମାଧ୍ୟମରେ ନୂଆ ସ୍ଥାୟୀ ଆୟୁଷ ମେଡିକାଲ ଅଫିସର ପଦବୀ ସୃଷ୍ଟି କରିବା, ଉଚ୍ଚ ଶିକ୍ଷା ସୁବିଧା ପାଇଁ ପିଜି ଓ ପିଏଚଡ଼ି ସିଟ ବଢ଼ାଇବା, ଆୟୁଷ ହାଉସ ସର୍ଜନମାନଙ୍କ ପାଇଁ ଡାଇନାମିକ ଷ୍ଟାଇପେଣ୍ଡ ବୃଦ୍ଧି, ଆୟୁଷ କଲେଜ ଗଭର୍ନିଂବଡ଼ିର ପୁନର୍ଗଠନ କରିବା, କଲେଜ ଏବଂ ଆୟୁଷ ମନ୍ତ୍ରଣାଳୟର ଗେଜେଟର ପୂର୍ଣ୍ଣ ପ୍ରୟୋଗ କରି ଉଭୟ ଶିକ୍ଷା ଓ ଭିତିଭୂମିର ବିକାଶ କରିବାକୁ ଦାବି କରିଛନ୍ତି।
ସମସ୍ତ ଯୋଜନା ଯଥା ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଯଥା ନିରାମୟ, ଗୋପବନ୍ଧୁ ଜନଆରୋଗ୍ୟ ଆଦିରେ ଆୟୁଷକୁ ସମ୍ମୀଳିତ କରିବା ଓ ଆୟୁଷ ଚିକିତ୍ସାଳୟ ନିମନ୍ତେ ସଚେତନତା ଓ ପ୍ରଚାର କରିବାକୁ ଦାବି କରିଛନ୍ତି। ସ୍ୱତନ୍ତ୍ର ଆୟୁଷ ବିଭାଗ ସ୍ଥାପନ କରି ଏହାକୁ ରାଜନୈତିକ ଓ ପ୍ରଶାସନିକ ଦ୍ୱନ୍ଦ୍ୱରୁ ମୁକ୍ତି ଦେବାକୁ ଆୟୁଷ ଡାକ୍ତରୀ ଛାତ୍ରୀଛାତ୍ରମାନେ ଦାବି କରିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେମାନେ ଅନିର୍ଦ୍ଦିଷ୍ଟ କାଳଯାଏ ମହାବିଦ୍ୟାଳୟରେ ପ୍ରତିବାଦ ଜାରି ରଖିବେ ବୋଲି କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ