
ଗଞ୍ଜାମ, ୨୪ ନଭେମ୍ବର (ହି.ସ.)- ଗଞ୍ଜାମ ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ -୨୦୨୫ ନିମନ୍ତେ ନଭେମ୍ବର ୨୮ ତାରିଖ ଦିନ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଛତ୍ରପୁର ଠାରେ ଲୋକନୃତ୍ୟ, ଲୋକସଙ୍ଗୀତ, ଭାଷଣ (ଉଦଘୋଷଣା )ଗଳ୍ପ, ଲିଖନ, ଚିତ୍ରକଳା, କବିତା ଲିଖନ ଏବଂ ବିଜ୍ଞାନ ମେଳା ପ୍ରତିଯୋଗିତା ମାନ ଅନୁଷ୍ଠିତ ହେବ। ଉପରୋକ୍ତ ସମସ୍ତ ପ୍ରତିଯୋଗିତା ଗୁଡିକରେ ଭାଗ ନେବା ନିମନ୍ତେ ନଭେମ୍ବର ୨୮ ତାରିଖ ପୂର୍ବାହ୍ନ ୭ଟା ସମୟରେ ନାମ ପଞ୍ଜିକରଣ କରାଯିବ ଓ ପୂର୍ବାହ୍ନ ୧୦ଟା ସମୟରେ ସମସ୍ତ ପ୍ରତିଯୋଗିତା ଗୁଡିକ ଆରମ୍ଭ କରାଯିବ। ଲୋକନୃତ୍ୟ ଓ ଲୋକ ସଙ୍ଗୀତ ନିମନ୍ତେ ପ୍ରତି ଦଳରେ ସର୍ବାଧିକ ୧୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିପାରିବେ। ଲୋକନୃତ୍ୟ, ଲୋକସଙ୍ଗୀତ ଓ ବିଜ୍ଞାନ ମେଳା ନିମନ୍ତେ ପ୍ରଥମ ପୁରସ୍କାର ୧୦,୦୦୦ ଟଙ୍କା ଦ୍ଵିତୀୟ ପୁରସ୍କାର ୭୫୦୦ ଟଙ୍କା ଓ ତୃତୀୟ ପୁରସ୍କାର ୫୦୦୦ ଟଙ୍କା ରଖାଯାଇଥିବା ସ୍ଥଳେ କବିତା ଲିଖନ, ଗଳ୍ପ ଲିଖନ, ଚିତ୍ରକଳା ଓ ଭାଷଣ (ଉଦଘୋଷଣା) ନିମନ୍ତେ ପ୍ରଥମ ପୁରସ୍କାର ୩୦୦୦ ଟଙ୍କା, ଦ୍ଵିତୀୟ ପୁରସ୍କାର ୨୦୦୦ ଟଙ୍କା ଓ ତୃତୀୟ ପୁରସ୍କାର ୧୦୦୦ ଟଙ୍କା ରଖାଯାଇଛି । ପ୍ରତିଯୋଗୀ ମାନଙ୍କ ବୟସ ୧ ସେପ୍ଟେମ୍ବର ୨୦୨୫ ସୁଦ୍ଧା ୧୫ ବର୍ଷରୁ ୨୯ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ