
ଜୟପୁର, ୨୪ ନଭେମ୍ବର (ହି.ସ.)- ଓଡିଶା ରାଜ୍ୟ ସରକାରଙ୍କ କୃଷି ବିଭାଗର ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅଧୀନରେ ଏମ୍.ଏସ୍. ସ୍ୱାମୀନାଥନ୍ ଗବେଷଣା ପ୍ରତିଷ୍ଠାନ, ଜୟପୁର ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସମନ୍ଵିତ କୃଷି ପ୍ରଣାଳୀ ପ୍ରକଳ୍ପ କାର୍ଯ୍ୟକ୍ରମକୁ ପରିଦର୍ଶନ କରିବା ନିମନ୍ତେ କୃଷି ବିଭାଗର ଯୁଗ୍ମ କୃଷି ନିର୍ଦ୍ଦେଶକ (ଡାଲି ଓ ତୈଳବୀଜ) ତଥା ସମନ୍ଵିତ କୃଷି ପ୍ରଣାଳୀ ପ୍ରକଳ୍ଳ୍ପର ନୋଡାଲ ଅଫିସର ବିଷ୍ଣୁ ପ୍ରସାଦ ପଟ୍ଟନାୟକ କୋରାପୁଟ ଜିଲ୍ଲାର ବୈପାରୀଗୁଡା ଏବଂ ନବରଙ୍ଗପୁର ଜିଲ୍ଲାର କୋସାଗୁମୁଡା ଅଭିମୁଖେ ଗସ୍ତ କରିଛନ୍ତି। ସେ ଏମ୍.ଏସ୍. ସ୍ୱାମୀନାଥନ୍ ଗବେଷଣା ପ୍ରତିଷ୍ଠାନ ସମନ୍ଵିତ କୃଷି ପ୍ରଣାଳୀ ପ୍ରକଳ୍ଳ୍ପ ଦ୍ୱାରା ତ୍ୱରାନ୍ୱିତ ହେଉଥିବା ସମସ୍ତ କାର୍ଯ୍ୟକଳାପକୁ ପରିଦର୍ଶନ କରିଥିଲେ। ସେ ସମନ୍ଵିତ କୃଷି ପ୍ରଣାଳୀରେ ମାଛ ଚାଷ ମଡେଲକୁ ମଧ୍ୟ ପ୍ରଶଂସା କରି ଚାଷୀମାନଙ୍କ ସହ ଆଲୋଚନା ସମୟରେ ବୈଜ୍ଞାନିକ ପ୍ରଣାଳୀରେ ମାଛଚାଷ ଓ ସଠିକ ସମ୍ପଦ ବ୍ୟବହାର ଦ୍ୱାରା ଚାଷୀମାନଙ୍କ ଆୟ ବୃଦ୍ଧି ହେଉଥିବା ଦେଖି ସନ୍ତୋଷ ପ୍ରକାଶ କରିଥିଲେ। ପୋଖରୀରେ ମାଛ ଚାଷ ସହିତ ପୋଖରୀ ହୁଡ଼ା ଏବଂ ଚାରିପାଖରେ ବିଭିନ୍ନ ପନିପରିବା, ଫଳ ଗଛ ଚାଷ ହୋଇଥିବା ଦୃଶ୍ୟ ମଧ୍ୟ ଅବଲୋକନ କରିଥିଲେ ।
ଏହା ସହିତ ସେ କୁକୁଡ଼ା ସହାୟତା ପାଇଥିବା ଜମିହୀନ ପରିବାରମାନଙ୍କ ସହ କମ୍ୟୁନିଟି ନର୍ସରୀ ଓ ଛତୁ ଚାଷରେ ଲିପ୍ତ ଥିବା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ସହ ତାଙ୍କର ଆର୍ଥିକ ବୃଦ୍ଧି ଉପରେ ଆଲୋଚନା କରିଲେ। ସେ ମଧ୍ୟ ଅନ୍ୟ ସମସ୍ତ ଚାଷୀମାନଙ୍କ ସହ କିପରି ଏହି ପ୍ରକଳ୍ପ ଗ୍ରାମୀଣ ଜୀବିକାକୁ ସୁଦୃଢ କରିଛି ଏବଂ ଚାଷୀ ପରିବାରମାନଙ୍କ ଆର୍ଥିକ ସ୍ଥିତିକୁ ଶକ୍ତିଶାଳୀ କରିଛି ତାହା ଉପରେ ଆଲୋଚନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି