
କେନ୍ଦ୍ରାପଡା, ୨୪ ନଭେମ୍ବର (ହି.ସ.)- କେନ୍ଦ୍ରାପଡ଼ା ଶ୍ରମ ଆୟୁକ୍ତ ଅଫିସ ସମ୍ମୁଖରେ ଆଇ.ଏନ.ଟି. ୟୁ.ସି ,ଏ. ଆଇ.ଟି.ୟୁ.ସି ହିନ୍ଦ ମଜଦୂର ସଭା, ସି.ଆଇ.ଟି.ୟୁ , ଏ . ଆଇ.ସି.ସି.ଟି.ୟୁ , ୟୁ.ଟି.ୟୁ.ସି ଓ ଜିଲ୍ଲା କୃଷକ ମଞ୍ଚ ପକ୍ଷରୁ ଗତ ୨୧ ତାରିଖରେ କେନ୍ଦ୍ର ସରକାର ଲାଗୁ କରିଥିବା ୪ଟି ଶ୍ରମ କୋର୍ଡ ଵିରୁଦ୍ଧରେ ମିଳିତ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ରାଜ୍ୟପାଳଙ୍କୁ ଅବିଳମ୍ବେ ଏହି ୪ଟି କୋର୍ଡକୁ ବାତିଲ କରିବା ପାଇଁ ଜିଲ୍ଲା ଶ୍ରମ ଆୟୁକ୍ତଙ୍କ ଜରିଆରେ ଆଜି ସ୍ମାରକପତ୍ର ପ୍ରଦାନ କରାଯାଇଛି। ପୂର୍ବରୁ ଥିବା ଶ୍ରମ ସଂପର୍କ ଆଇନ୍, ଠିକା ଶ୍ରମିକ ଆଇନ, ଫ୍ୟାକ୍ଟ୍ରି ଆଇନ୍, ୟୁନିୟନ ପଞ୍ଜିକରଣ ଆଇନ ପ୍ରଭୃତି ୨୯ ଟି ଆଇନ୍ କୁ ସଂପୂର୍ଣ୍ଣ ଉଠାଇ ଦେଇ ଭାରତୀୟ ଶ୍ରମ ସମ୍ମିଳନୀ ଆଇ. ଏଲ୍.ସି ର ବିନା ପରାମର୍ଶ ଓ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ମାନଙ୍କ ସହ ଆଲୋଚନା ବିନା କେନ୍ଦ୍ର ବିଜେପି ସରକାର ୪ଟି ଶ୍ରମିକ ବିରୋଧି ଶ୍ରମ କୋର୍ଡ ଲାଗୁ କରିଛନ୍ତି। ଏହି ଶ୍ରମ କୋର୍ଡ କେବଳ ମାଲିକ ମାନଙ୍କ ମୁନାଫାକୁ ବହୁଗୁଣିତ କରିବ। ଏହିଭଳି ଭାବେ ଆଜି ମିଳିତ ଟ୍ରେଡ୍ ୟୁନିୟନ ତରଫରୁ ଏହି ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ଏହି ଆନ୍ଦୋଳନ କାର୍ଯ୍ୟକ୍ରମରେ ଆଇ.ଏନ.ଟି.ୟୁ.ସି. ନେତା ମୁକ୍ତାର ଖାଁ, ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆ, ପ୍ରକାଶ ମହାନ୍ତି, ଆଇ. ଏନ. ଟି. ୟୁ.ସି ଯୁବ ସଭାପତି ରଶ୍ମି ରଞ୍ଜନ ଚୌଧୁରୀ, ଯୁବ କଂଗ୍ରେସ ନେତା ଉମେଶ ପାଢ଼ୀ, ରଞ୍ଜନ ରାଉତ , ତ୍ରିଲୋଚନ ଦାସ, ବାବାଜୀ ଧଳ ଏ. ଆଇ. ଟି.ୟୁ. ସି, ସଞ୍ଜୀବ ରାଉତ, ବରିଷ୍ଠ ଶ୍ରମିକ ନେତା ଜଗତ ଜୀବନ ଦାସ, ଅଜିତ କୁମାର ପରିଡା, ନିର୍ମଳା ସିଂହ, ସ୍ନେହଲତା ଗାହାଣ, ରବିନ୍ଦ୍ର ମହାକୁଳ ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି