
ଗାନ୍ଧୀନଗର, ୨୪ ନଭେମ୍ବର (ହି.ସ.)- ସୋମବାର ଭୋର୍ ସମୟରେ ଗୁଜରାଟର ସୌରାଷ୍ଟ୍ର ଅଂଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୦ ଥିଲା । ଭୂମିକମ୍ପର ଏହି ଝଟକା ଭୋର୍ ୩ଟା ୬ ମିନିଟ୍ ରେ ରେକର୍ଡ କରାଯାଇଥିଲା । ଗାନ୍ଧୀନଗର ସ୍ଥିତ ଭୂମିକମ୍ପ ଗବେଷଣା ପ୍ରତିଷ୍ଠାନ ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ତାଲାଲା ଠାରୁ ୧୫ କିଲୋମିଟର ଉତର-ଉତରପୂର୍ବ ଦିଗରେ ଥିଲା । ଯାହାର ଭୌଗୋଳିକ ଅବସ୍ଥିତି ୨୧.୧୮୮ ଡିଗ୍ରୀ ଉତର ଅକ୍ଷାଂଶ ଏବଂ ୭୦.୫୪୬ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଅବସ୍ଥିତ ।
ଏହା ବ୍ୟତୀତ ଭାଲସାଡ ଏବଂ ତାପି ଜିଲ୍ଲାର ଭାୟାରା ତାଲୁକାର କରଞ୍ଜାଭେଲ ଏବଂ ମିରପୁର ଅଂଚଳରେ ମଧ୍ୟ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂମିକମ୍ପ ଅନୁଭବ କରିବା ପରେ ଆଖପାଖ ଗ୍ରାମର ବାସିନ୍ଦାମାନେ ଘରୁ ବାହାରକୁ ବାହାରି ସୁରକ୍ଷିତ ସ୍ଥାନକୁ ଚାଲି ଆସିଥିଲେ । ଗୋଟିଏ ମୁହୂର୍ତରେ ଆତଙ୍କ ଖେଳି ଯାଇଥିଲା । ତେବେ ଆଶ୍ୱସ୍ତିର ବିଷୟ ଏହି ଭୂମିକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି କିମ୍ବା ମୃତାହତର ଖବର ମିଳିନାହିଁ । ସ୍ଥିତି ଉପରେ ନଜର ରଖିଛି ପ୍ରଶାସନ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ