
କୋରେଇ, ୨୪ ନଭେମ୍ବର (ହି.ସ.)- ବହୁ ଚର୍ଚ୍ଚିତ ପାଣିକୋଇଲି ପଣ୍ଡା ଅଳଙ୍କାର ଲୁଟ ଓ ଗୁଳିକାଣ୍ଡ ଘଟଣାର ଜବନିକା ପହିଛି । ପୂର୍ବରୁ ତିନି ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ବିହାର ଜେଲରେ ଥାଇ ଲୁଟର ନୀଳନକ୍ସା ତିଆରି କରିଥିବା ମାଷ୍ଟର ମାଇଣ୍ଡ ବିକାଶ ସିଂହକୁ ଆଜି କୋର୍ଟଚାଲାଣ କରାଯାଇଛି। ଆର୍ଯ୍ୟ ଓରଫ ଶେଖର ପୂର୍ବରୁ ଜେଲରେ ଅଛି । ଅନ୍ୟ ଦୁଇ ହାର୍ଡକୋର ଅପରାଧୀ ରାଜା ସାହାଣୀ ଓରଫ ଶୁଭମ ଓ ମଧୁକାନ୍ତ ଓରଫ ରାଜା ଚୌଦ୍ୱାର ଜେଲରୁ ଚମ୍ପଟ ମାରିଥିବା ବେଳେ ସେମାନଙ୍କ ସୁରାଗ ମାଷ୍ଟର ମାଇଣ୍ଡ ଠାରୁ ମିଳିବାର ସମ୍ଭାବନା ଦେଖି ଏସପି ୟସପ୍ରତାପ ଶ୍ରୀମଲଙ୍କ ସମେତ ବହୁ ଅଧିକାରୀ ମାରାଥନ ଜେରା କରିଥିଲେ । ଅଭିଯୁକ୍ତ ମାଷ୍ଟର ମାଇଣ୍ଡ ବିକାଶ ସିଂହକୁ କୋରେଇ ଥାନାରେ ରଖି ଜେରା କରାଯାଇଥିବା ବେଳେ ଆଜି ତାକୁ କୋର୍ଟଚାଲାଣ କରାଯାଇଛି । ବିହାର ରାଜ୍ୟ ଡେରିଗଂଜର ଧନେଶ୍ୱର ସିଂହଙ୍କ ପୁଅ ବିକାଶ ସିଂହ । ପ୍ରକାଶଯେ, ଗତ ଜାନୁଆରୀ ମାସରେ ପାଣିକୋଇଲିରେ ଘଟିଥିବା ପଣ୍ଡା ଅଳଙ୍କାର ଲୁଟ ଉଦ୍ୟମ ଓ ଗୁଳିକାଣ୍ଡ ଘଟିଥିଲା । ଏନେଇ ଏକ ମାମଲା ୭/୨୫ ରେ ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଥିଲା । ଥାନାଧିକାରୀ ରଂଜିତ କୁମାର ମହାନ୍ତି ଏହାର ତଦନ୍ତ ଭାର ତୁଲାଉଥିଲେ । ଘଟଣାର ମାଷ୍ଟର ମାଇଣ୍ଡକୁ ୧୦ ମାସ ପରେ ବିହାର ପୁଲିସ ସହାୟତାରେ ଗିରଫ କରିବାରେ ସକ୍ଷମ ହୋଇଥିଲେ । ପାଣିକୋଇଲି ପୁଲିସ ୩ଦିନ ରିମାଣ୍ଡରେ ଆଣି ଜେରା କରିବା ପରେ ଆଜି କୋର୍ଟଚାଲାଣ କରାଯାଇଛି । ଫେରାର ହୋଇଥିବା ବିହାରୀ ଅପରାଧୀ ଦ୍ୱୟ ଚୌଦ୍ୱାର ଜେଲରୁ ଚମ୍ପଟ ମାରିଥିବା ବେଳେ ସେମାନେ କେବେ ଧରାହେବେ ତାହା ସବୁଠୁ ବଡ ପ୍ରଶ୍ନବାଚୀ ହୋଇଛି । ଗତ ଜାନୁଆରୀ ମାସ ୪ ତାରିଖ ଦିନ ଦ୍ୱିପହରରେ ପାଣିକୋଇଲି ଥାନା ଅଧିନସ୍ଥ ପଣ୍ଡା ଅଳଙ୍କାରରୁ ଡ଼କାୟତି ପାଇଁ ଦୁଇ ଜଣ ଡ଼କାୟତ ବନ୍ଧୁକ ଧରି ଲୁଟ କରିବା ଲାଗି ପଶିଥିବା ବେଳେ ଜଣେ ବାଇକ ଧରି ବାହାରେ ରହିଥିଲା । କିନ୍ତୁ, ଦୁଇ ଜଣ ଡ଼କାୟତ ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡ଼ିଯାଇଥିଲା ବେଳେ ବାଇକରେ ଥିବା ଅନ୍ୟ ଜଣେ ଫେରାର ହୋଇଯାଇଥିଲା । ଦୋକାନ ଭିତରେ ପଶିଥିବା ଡ଼କାୟତକୁ ପ୍ରତିରୋଧ କରିବା ଫଳରେ ଦୋକାନର କର୍ମଚାରୀ ଯାଜପୁର ସଦର ଥାନା ଅନ୍ତର୍ଗତ ଭୁବନେଶ୍ୱରପୁର ପଂଚାୟତ କଳସଢିହ ଗ୍ରାମର ଦେବେନ୍ଦ୍ର ରାୟଙ୍କ ପୁଅ ସୁନୀଲ ଡ଼କାୟତର ଗୁଳି ମାଡ଼ରେ ପ୍ରାଣ ହରାଇଥିଲେ। ଏଥି ସହିତ ଅନ୍ୟ ଜଣେ ଡ଼କାୟତ ଫେରାର ହୋଇଯିବା ଲାଗି ଚେଷ୍ଟା କରୁଥିବା ବେଳେ ପାଣିକୋଇଲି ଟାଟା ପାୱାର ବିଦ୍ୟୁତ କାର୍ଯ୍ୟାଳୟରେ ଚାଳକ ଭାବେ କାର୍ଯ୍ୟରତ ଏହି ଥାନା ଅନ୍ତର୍ଗତ ଗୋଳେଇପୁର ପଂଚାୟତ ସୋତି ଗ୍ରାମର ଗୈାରାଙ୍ଗ ପଣ୍ଡାଙ୍କ ପୁଅ ନୀଳମାଧବ ପଣ୍ଡା ଅଟକାଇବାରୁ ଡ଼କାୟତର ଗୁଳି ମାଡ଼ରେ ପ୍ରାଣ ହରାଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ