
ମାଲକାନଗିରି, ୨୪ ନଭେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲାର ସାତ ଟି ବ୍ଲକରେ ଥିବା ୧୧୧ଟି ଗ୍ରାମପଞ୍ଚାୟତରେ ମନରେଗା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଖାଲିଥିବା ୮୮ଟି ଗ୍ରାମ ରୋଜଗାର ସେବକ ପଦବୀ ନିମନ୍ତେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ବର୍ଷ ଇସ୍ତାହାର ପ୍ରକାଶ ପାଇଥିଲା। ଏହାପରେ ଶତାଧିକ ଆଶାୟୀ ଏନେଇ ଆବେଦନ କରିବା ସହ ପ୍ରାଥମିକ ପର୍ଯ୍ୟାୟରେ ଏକ ମେଧା ତାଲିକା ମଧ୍ୟ ପ୍ରକାଶ କରାଯାଇଥିଲା। ଏହାପରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବା ପୂର୍ବରୁ ରାଜ୍ୟବ୍ୟାପୀ ଏହି ପଦବୀର ନିଯୁକ୍ତି ନେଇ କୋର୍ଟରେ ଏକ ମାମଲା ରୁଜୁ କରାଯିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରାମ୍ୟ ରୋଜଗାର ସେବକ ନିଯୁକ୍ତି ପ୍ରକ୍ରିୟାକୁ ସ୍ଥଗିତ କରାଗଲା । ଏହାପରେ ପ୍ରାୟ ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ବିତିଯିବା ସହ କୋର୍ଟ ଉକ୍ତ ମାମଲାର ଶେଷ ଶୁଣାଣୀ କରି ରାଜ୍ୟ ସରକାରଙ୍କ ଓଆରଭି ସଂଶୋଧନ ଆଇନ ୨୦୨୩ ଏବଂ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଣିତ ଅନ୍ୟାନ୍ୟ ସରକାରୀ ନିୟମକୁ ଆଇନ ବିଭାଗକୁ ଏକ ଆଇନଗତ ସମୀକ୍ଷା ପାଇଁ ବିଗତ ତିନି ଚାରି ମାସ ପୂର୍ବରୁ ପଠାଯାଇଛି । ସରକାର ଏ ଦିଗରେ କୌଣସି ନିର୍ଦ୍ଦିଷ୍ଟ ସ୍ପଷ୍ଟୀକରଣ ନଦେବାରୁ ଗ୍ରାମ ରୋଜଗାର ସେବକ ନିଯୁକ୍ତି ପ୍ରକ୍ରିୟା ସ୍ଥଗିତ ରହିଅଛି। ଯାହାଫଳରେ ମାଲକାନଗିରି ଭଳି ପଛୁଆ ଜିଲ୍ଲା ଗୁଡିକର ପଞ୍ଚାୟତରେ ଗ୍ରାମ ରୋଜଗାର ସେବକ ନଥିବାରୁ ମନରେଗା କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।
ଗରିବ ଲୋକମାନଙ୍କୁ ବାର୍ଷିକ୧୦୦ ଦିନର କାମ ଯୋଗାଇ ଦେବା, ଜବକାର୍ଡ ପାଇଁ ପଞ୍ଜୀକରଣ, ବିତରଣ, ଗ୍ରାମ ସଭା ଡକାଇବା ପରି ଗୁରୁତ୍ବପୂର୍ଣ କାର୍ଯ୍ୟ ଗୁଡିକ ସୁଚାରୁରୂପେ ସମ୍ପନ୍ନ ହୋଇପାରୁନାହିଁ। ଏଥିସହ ଗ୍ରାମାଞ୍ଚଳରେ ରୋଜଗାର ସେବକ ସମ୍ପୃକ୍ତି କମିବାରୁ ଦୈନିକ ଶହ ଶହ ଲୋକ ପୁଣି ପଡୋଶୀ ଆନ୍ଧ୍ର, ତେଲେଙ୍ଗାନା, ତାମିଲନାଡୁ ଭଳି ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଦେଖିବାକୁ ମିଳିଛି। କୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟ ସରକାର ଗୁରୁତର ଭାବେ ଗ୍ରହଣ କରି ତୁରନ୍ତ ଏ ଦିଗରେ ଉଚିତ ପଦକ୍ଷେପ ନେଲେ ଜିଲ୍ଲାରେ ଗ୍ରାମ ରୋଜଗାର ସେବକ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ ବୋଲି ଆଶାୟୀ ପ୍ରାର୍ଥୀ ମାନେ ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ