

ସୁବର୍ଣ୍ଣପୁର, 24 ନଭେମ୍ବର (ହି.ସ.) ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଚଳିତ ବର୍ଷ ଖରିଫ୍ ଧାନ ସଂଗ୍ରହ ପାଇଁ ଡିସେମ୍ବର ମାସ ୯ ତାରିଖରୁ ମଣ୍ଡି ଖୋଲିବା ସହ ଧାନକିଣା ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାରେ ମୋଟ ୭୧ଟି ପ୍ୟାକ୍ସ ଏବଂ ୩୦ ଗୋଟି ଏସ୍ ଏଚ ଜି ମାଧ୍ୟମରେ ଧାନ କିଣା ହେବାକୁ ଥିବାବେଳେ ୫୪ ଜଣ ମିଲରଙ୍କ ସହଯୋଗରେ ଏହା ସମ୍ପାଦିତ ହେବ ବୋଲି ସ୍ଥିର ହୋଇଛି l ଓ ମଣ୍ଡିର ସୁପରିଚାଳନା ସହ ଧାନ ସଂଗ୍ରହ ବେଳେ କିଭଳି ଚାଷୀ ଅସୁବିଧାର ସମ୍ମୁଖୀନ ନ ହେବେ ସେ ନେଇ ବିଶଦ ଆଲୋଚନା କରା ଯାଇଛି। ଜିଲ୍ଲାପାଳ ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ, ସମ୍ମାନିତ ଅତିଥି ଭାବେ ବୀରମହାରାଜପୁର ବିଧାୟକ ଶ୍ରୀ ରଘୁନାଥ ଜଗଦଲା, ସାଂସଦଙ୍କ ପ୍ରତିନିଧି ସାନନ୍ଦ ମେହେର, ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଶୋକ ପୁଷ୍ଟି, ସୋନପୁର ବିଧାୟକ ଙ୍କ ପ୍ରତିନିଧି ମଧୁସୁଦନ ଓତା, ମିତ୍ରବ୍ରତ ମିଶ୍ର ପ୍ରମୁଖ ଆଲୋଚନା ରେ ଭାଗ ନେଇଥିବା ବେଳେ ଜିଲ୍ଲା ସ୍ତରୀୟ ଅଧିକାରୀ, ରାଇସ ମିଲ ସଂଘ କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ମୁଖ୍ୟ ବେସାମରିକ ଯୋଗାଣ ବିଭାଗ ଅଧିକାରୀ ନିରଦ ରଞ୍ଜନ ଦାସ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ନେଇ ଧାର୍ଯ୍ୟଲକ୍ଷ୍ୟ, ସମବାୟ ସମିତି ସମୂହ ପକ୍ଷରୁ ପ୍ରସ୍ତୁତି ସମ୍ପର୍କରେ ସମସ୍ତ ସୂଚନା ଦେଇଥିଲେ । ଗତବର୍ଷ ତୁଳନାରେ ଚଳିତ ବର୍ଷ ପଞ୍ଜୀକୃତ ଏବଂ ଯାଞ୍ଚ ପରେ ସ୍ଥିର ହୋଇଥିବା ଯୋଗାଣ ବିଭାଗର ସୂଚନା ମୁତାବକ, ଗତବର୍ଷ ଜିଲ୍ଲାରେ ମୋଟ ୬୮ ହଜାର ୬୩୨ ଜଣ ଚାଷୀ ଖରିଫ୍ ଧାନ ବିକ୍ରି ପାଇଁ ପଞ୍ଜୀକୃତ ହୋଇଥିବା ବେଳେ ଚାଷୀଙ୍କ ଠାରୁ ମୋଟ (63,54,992.98) ୬୩ ଲକ୍ଷ ୫୪ ହଜାର ୯୯୨.୯୮ କ୍ଵିଣ୍ଟାଲ ଧାନ କିଣା ଯାଇଥିଲା । ଚଳିତ ବର୍ଷ ୭୧ ହଜାର ୫୭୮ ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ଯାଞ୍ଚ ପରେ ସେମାନଙ୍କ ମଧ୍ୟରୁ ୬୮ ହଜାର ୬୩୨ ଜଣ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ସ୍ଥିର ହୋଇଛି । ଚଳିତବର୍ଷ ଜିଲ୍ଲାର ଧାର୍ଯ୍ୟ ଲକ୍ଷ୍ୟ ପ୍ରଥମ ପର୍ଯ୍ୟାୟରେ ୨୨ ଲକ୍ଷ ୩୨ ହଜାର କ୍ୱିଣ୍ଟାଲ୍ ରହିଛି । ଏହି ସମ୍ପର୍କରେ ଯୋଗାଣ ବିଭାଗ ଅଧିକାରୀ ସ୍ପଷ୍ଟୀକରଣ ରଖି ଏହା ପ୍ରଥମ ପର୍ଯ୍ୟାୟର ଧାର୍ଯ୍ୟ ଲକ୍ଷ୍ୟ (ଟାର୍ଗେଟ) ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ ଆବଶ୍ୟକ ମୁତାବକ ବୃଦ୍ଧି କରାଯିବ ବୋଲି ପ୍ରକାଶ କରିଥିଲେ । ସାଂସଦ ଶିଘ୍ର ମଣ୍ଡି ଆରମ୍ଭ ସହ କିପରି ଚାଷୀ ହଇରାଣ ନ ହୋଇ ସୁରୁଖୁରୁ ରେ ଧାନ କିଣା ହେବ ସେ ନେଇ ସମସ୍ତ ଅଧିକାରୀ ଙ୍କୁ ସଚେତନ କରିଥିଲେ । ଏହି ବୈଠକରେ ଜିଲ୍ଲା ସ୍ତରୀୟ ବିଭିନ୍ନ ଅଧିକାରୀ ଓ କମିଟିର ଅନ୍ୟାନ୍ୟ ସମସ୍ତ ସଦସ୍ୟ ସମସ୍ତ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ