
ଭଦ୍ରକ, ୨୪ ନଭେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ସାଂସ୍କୃତିକ ସମ୍ମେଳନର ତ୍ୟାଗଭୂମି ମହୋତ୍ସବ ୨୦୨୫ ସୋମବାର ଅପରାହ୍ଣରେ ଭଦ୍ରକ ଦକ୍ଷିଣକାଳୀ ମନ୍ଦିର ନିକଟ ଗୋପାଳଜୀଉ ମଠପଡ଼ିଆରେ ଉଦ୍ଘାଟିତ ହୋଇଯାଇଛି। ପୂର୍ବାହ୍ନରେ ମହୋତ୍ସବ କମିଟି ପକ୍ଷରୁ ଭଦ୍ରକର ବରପୁତ୍ର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଜାତୀୟକବି ବାଞ୍ଛାନିଧି ମହାନ୍ତି, ସଂଗ୍ରାମୀ ଗୋକୁଳାନନ୍ଦ ମହାନ୍ତି, ମହମ୍ମଦ ହନିଫ୍, କବିଶେଖର ଚିନ୍ତାମଣି ମହାନ୍ତିଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଅପରାହ୍ଣରେ ଅମର ଶହୀଦଙ୍କ ସ୍ମୃତିରେ ଦେବଦର୍ଶନ ଦାଶଙ୍କ ନେତୃତ୍ୱରେ ରକ୍ତତୀର୍ଥ ଇରମରୁ ଏବଂ ବାପୁନି ଲେଙ୍କାଙ୍କ ନେତୃତ୍ୱରେ ଶହୀଦପୀଠ ଲୁଣିଆରୁ ଆସିଥିବା ମଶାଲ୍ ଶୋଭାଯାତ୍ରାକୁ ସହର ପରିକ୍ରମା ପୂର୍ବକ ସ୍ୱାଗତ କରାଯାଇଥିଲା। ଭଦ୍ରକର ପ୍ରବେଶ ଦ୍ୱାର ମହତାବ ଛକରୁ ଭବ୍ୟ ଶହୀଦ ଶୋଭାଯାତ୍ରା ବାହାରି ମହୋତ୍ସବ ସ୍ଥଳୀରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତଙ୍କ ଦ୍ୱାରା ମହୋତ୍ସବପୀଠରେ ମଶାଲ ସଂସ୍ଥାପନ କରିଥିଲେ। ମହୋତ୍ସବର ଉଦଘାଟକ ଭାବେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲିପ୍ ରାଉତରାୟ ଯୋଗଦେଇ ଯଦି ମା' ଭଦ୍ରକାଳୀ ଏଠାକାର ଅଧିଷ୍ଠାତ୍ରୀ ଦେବୀ ନଥାନ୍ତେ, ତେବେ ଭଦ୍ରକ ଜିଲ୍ଲାର ନାମ ତ୍ୟାଗଭୂମି ହୋଇଥାନ୍ତା ବୋଲି ବକ୍ତବ୍ୟରେ କହିଥିଲେ। ତ୍ୟାଗଭୂମି ସଭାପତି ଅଜୟ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ 'ତ୍ୟାଗଭୂମି ମଂଚ'ରେ ବରେଣ୍ୟ ଅତିଥି ଭାବେ ବାସୁଦେବପୁର ବିଧାୟକ ଅଶୋକ ଦାସ, ଭଦ୍ରକ ପୌରପାଳିକାର ଅଧ୍ୟକ୍ଷା ଗୁଲମକ୍କୀ ଦଲୱାଜୀ ହବିବ୍, ବିଶିଷ୍ଟ ଅଧିବକ୍ତା ଦିବ୍ୟସିଂହ ନାୟକ, ଜିଲ୍ଲା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତି ପ୍ରମୁଖ ଯୋଗଦେଇ ସାଂସ୍କୃତିକ ଓ ଐତିହାସିକ ଦୃଷ୍ଟିକୋଣରୁ “ଭଦ୍ରକ ତ୍ୟାଗ ଓ ତିତିକ୍ଷାର ତୀର୍ଥଭୂମି” ଶୀର୍ଷକରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅଧ୍ୟାପକ ଡ. ବିଶ୍ୱରଂଜନ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ଅଧିବକ୍ତା ଗଦାଧର ବଳ ବିବରଣୀ ପ୍ରଦାନ କରିଥିଲେ। ତିହିଡ଼ି ସଙ୍ଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଧାଂଶୁ ନାୟକ ଓ ଛାତ୍ରଛାତ୍ରୀ ‘ତ୍ୟାଗଭୂମି’ ପ୍ରାରମ୍ଭିକ ସଂଗୀତ ଓ ‘ବନ୍ଦେ ଉତ୍କଳ ଜନନୀ’ ପରିବେଷଣ କରିଥିଲେ। ଲୋକସଂସ୍କୃତି କଳାକାର ଭାଗିରଥୀ ଦତ, ତ୍ରିଲୋଚନ ପଣ୍ଡା, ମହେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ସୟା ମା' ଖରାଖାଇ ଘୋଡ଼ାନାଚ ଅନୁଷ୍ଠାନ, ବଉଳପାଳ ରାଧାଗୋବିନ୍ଦ ଘଂଟବାଦ୍ୟ ଦଳ, ଚାନ୍ଦବାଲିର ମଦନମୋହନ ଢୋଲକବାଦ୍ୟ ସଂଗଠନ ଓ ସାତଭଉଣୀ ଶିଙ୍ଗାବାଦ୍ୟ ଦଳ ଲୋକକଳା ପରିବେଷଣ କରିଥିଲେ। ସାଂସ୍କୃତିକ ସମ୍ପାଦକ ବସନ୍ତ ମହାନ୍ତି, ଇଂ ଅଖିଳମୋହନ ପାଢୀ, ଶିକ୍ଷାବିତ୍ ଗୋବର୍ଦ୍ଧନ ସାମଲ, ଶାନ୍ତନୁ ରାଉତ, ଅଭିନେତା ଗୌରାଙ୍ଗ ବାରିକ, ଇଂ. ଅମ୍ବିକାବଲ୍ଲଭ ସ୍ୱାଇଁ, ଲକ୍ଷ୍ମୀକାନ୍ତ ବାରିକ, ଅଶୋକ ଦ୍ୱିବେଦୀ, ତିହିଡ଼ି ପଂଚାୟତ ସମିତି ପ୍ରାକ୍ତନ ଅଧ୍ୟକ୍ଷା ବିଦ୍ୟୁତଲତା ନାୟକ, ଶିକ୍ଷୟିତ୍ରୀ ସୁରଜିତା ନାୟକ, ରୂପକବିହାରୀ ରାୟ, ଶାନ୍ତନୁ କୁମାର ରାଉତ, ଲଲାଟେନ୍ଦୁ ମହାନ୍ତି, ବାବୁଲାଲ ଦାସ, ଦୀପ୍ତମୟୀ ସାହୁ, ବସୁମିତ୍ରା ସାହୁ, ଚୈତାଳୀ ଖିଲାର, ଅଧିବକ୍ତା ମନୋରଞ୍ଜନ ଦାସ, ଦେବେନ୍ଦ୍ରନାଥ ମହାଳିକ, ଡ. ଅଭୟ କୁମାର ଦାସ, ସୋଫିଆ ଶେଖ୍, ରାମଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସଂଗଠନ ସମ୍ପାଦକ ସୁଧାକର ରାଉତ ଶେଷସ୍ପର୍ଶ ପ୍ରଦାନ କରିଥିଲେ। ଶେଷରେ ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ