
ବଲାଙ୍ଗିର, ୨୪ ନଭେମ୍ବର (ହି.ସ.)- ଓଡ଼ିଆ ସଙ୍ଗୀତ ଜଗତର ପ୍ରସିଦ୍ଧ କଣ୍ଠଶିଳ୍ପୀ ସ୍ୱର୍ଗତ ହ୍ୟୁମାନ ସାଗରଙ୍କୁ ରବିବାର ସଂଧ୍ୟାରେ ତାଙ୍କ ଜନ୍ମମାଟି ଟିଟିଲାଗଡ ସହରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସ୍ଥାନୀୟ ସିଏନଆଇ ଚର୍ଚ୍ଚ ପକ୍ଷରୁ ଆୟୋଜିତ ଏକ ବିଶାଳ କ୍ୟାଣ୍ଡେଲ ଶୋଭାଯାତ୍ରାରେ ହ୍ୟୁମାନଙ୍କ ଶତାଧିକ ପ୍ରଶଂସକ ତଥା ସହରର ବିଭିନ୍ନ ବର୍ଗର ସଙ୍ଗୀତ ପ୍ରେମୀ ସାମିଲ ହୋଇଥିଲେ । ଏହି ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ମହାରାଜା ସାଗର ନିକଟ ଆଇ ଲଭ ଟିଟିଲାଗଡ ପାର୍କ ଠାରେ ପହଞ୍ଚି ହ୍ୟୁମାନଙ୍କ ଫଟୋଚିତ୍ର ସମ୍ମୁଖରେ କ୍ୟାଣ୍ଡେଲ ଜଳାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ହ୍ୟୁମାନଙ୍କ ଅକାଳ ବିୟୋଗ ସମସ୍ତ କଳାପ୍ରେମୀଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ନିଜ ମାଟିର ପୁଅକୁ ହରାଇ ଟିଟିଲାଗଡ ସହରବାସୀ ଗଭୀର ଶୋକରେ ବୁଡି ରହିଥିବା ଦେଖିବାକୁ ମିଳିଛି । ହ୍ୟୁମାନଙ୍କ ମଧୁର ସ୍ୱର ସବୁଦିନ ପାଇଁ ନୀରବି ଯାଇଥିଲେ ମଧ୍ୟ ଟିଟିଲାଗଡ ସହରର ପ୍ରତ୍ୟେକ ଦୋକାନ ବଜାର ତଥା ସାମାଜିକ ଗଣମାଧ୍ୟମରେ ତାଙ୍କ ପ୍ରଶଂସକମାନେ ସେ ଗାଇଥିବା ଗୀତ ବଜାଇ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଥିବା ଦେଖାଯାଇଛି ।
ଆୟୋଜିତ କ୍ୟାଣ୍ଡେଲ ଶୋଭାଯାତ୍ରାରେ ପାଷ୍ଟର ଜ୍ୟୋତି ରଞ୍ଜନ ପାଇକ, ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ନରସିଂ ସିଂ, ଜିଏସପି କ୍ଲବର ପୂର୍ବତନ ସଭାପତି ଆଲୋକ ଦାସ, ଜନସନ୍ ବିହାରୀ, ବାପି ଡେବିଡ, ଜ୍ୟୋତି ହରପାଲ, ପ୍ରାଣ ରଞ୍ଜନ ସାଗର, ରୋହିଣୀ ସାହୁ, ସାମ୍ବାଦିକ ସୁଧିର ଦାସ, ମନୋଜ ଶତପଥୀ, ଟିଟିଲାଗଡ଼ ବିକାଶ ସେନା ସଭାପତି ଅମ୍ଳାନ ଷଡ଼ଙ୍ଗୀଙ୍କ ସହ ହ୍ୟୁମାନଙ୍କ ପରିବାରର ସଦସ୍ୟ ଏବଂ ତାଙ୍କର ଶତାଧିକ ପ୍ରଶଂସକ ସାମିଲ ହୋଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ