
ଭଦ୍ରକ, ୨୪ ନଭେମ୍ବର (ହି.ସ.) - ଭଦ୍ରକ ସହରରେ ଜବରଦଖଲ ଉଚ୍ଛେଦ ହେଲା ସତ, କିନ୍ତୁ ଏବେ ଉକ୍ତ ସ୍ଥାନରେ ମାଳ ମାଳ ଉଠା ଦୋକାନୀଙ୍କ ଭିଡ ଟ୍ରାଫିକ୍ ସମସ୍ୟାକୁ ଉତ୍କଟ କରିଛି। ବହୁ ପର୍ବପର୍ବାଣୀରେ ଦୋକାନ ଗୁଡିକରେ ନାହିଁ ନଥିବା ଭିଡ ଓ ପାର୍କିଂ ସମସ୍ୟା ଯାତାୟତରେ ଛୋଟବଡ ଦୁର୍ଘଟଣାକୁ ନିମନ୍ତ୍ରଣ କରୁଛି। ବିଶେଷକରି ମହତାବ ଛକ ଠାରୁ ଆରମ୍ଭ କରି ବାଇପାସ୍ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ଏହି ଉଠାଦୋକାନୀଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ଅତିଷ୍ଠ ହୋଇପଡିଲାଣି। କିନ୍ତୁ ପ୍ରଶାସନ ଜାଣି ଅଜଣା ଭଳି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି। ଅନୁରୂପ ମହତାବ ଛକ ଠାରୁ ବନ୍ତଛକର ଉଭୟ ପାଶ୍ୱର୍ରେ ଥିବା ଡ୍ରେନେଜ୍ ଗୁଡିକର ସ୍ଲାବ୍ ଗୁଡିକର ଏବେ ବହୁ ଛୋଟବଡ ଗୁମୁଟି ବ୍ୟବସାୟୀଙ୍କ କବ୍ଜାକୁ ଚାଲିଗଲାଣି। ଫଳରେ ପଥଚାରୀମାନେ ଯାତାୟତକୁ ସୁରକ୍ଷା ମଣୁନାହାଁନ୍ତି। ବନ୍ତଛକର ଓଭରବ୍ରିଜ୍ ତଳ ଉଭୟପାଶ୍ୱର୍ ଏବେ ବହୁ ଫଳଦୋକାନୀଙ୍କ କବଜାକୁ ଚାଲିଯାଇଛି। ଫଳରେ ଉଭୟ ଦିଗରୁ ଆସୁଥିବା ବସ୍ ଓ ଯାନବାହନ ଗୁଡିକ ଚଳାଚଳ ବେଳେ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ବନ୍ତଛକର ଚରମ୍ପା ଅଟୋ ଷ୍ଟାଣ୍ଡ ଆଗକୁ ଥିବା ଡ୍ରେନେଜ୍ ଉପରେ ଏବେ ଦୀର୍ଘବର୍ଷ ହେବ ଏକ ନର୍ସରୀ ନିଜର ପସରା ମେଲାଇଛି। ଏହି ନର୍ସରୀର ମୁଖ୍ୟ ବ୍ୟବସାୟୀ ସ୍ଥଳୀ ରାସ୍ତା ତଳକୁ ଥିବା ଏକ ଘରୋଇ ସ୍ଥାନରେ ରହିଥିବାବେଳେ ପଶ୍ଚିମବଙ୍ଗ ନିବାସୀ ସଂପୃକ୍ତ ବ୍ୟବସାୟୀ ଡ୍ରେନ୍ ଉପରେ ନିଜର ବ୍ୟବସାୟ ଚଳାଇବା ଫଳରେ ସେଠାକୁ ଆସୁଥିବା ଗ୍ରାହକମାନେ ନିଜର ଯାନବାହନ ରଖି ଟ୍ରାଫିକ୍ ସମସ୍ୟାକୁ ଦ୍ୱିଗୁଣିତ କରୁଛନ୍ତି। ବିଶେଷକରି ଭୁବନେଶ୍ୱରରୁ ବାଲେଶ୍ୱର ଓ ବାରିପଦା ଅଭିମୁଖେ ଯାଉଥିବା ବସ୍ ଗୁଡିକ ଡ୍ରେନ୍ ସ୍ଲାବ୍ ଗୁଡିକ ଉପରେ ଆଡ୍ଡା ଜମାଇଥିବା ଏହି ନର୍ସରୀ ନିକଟରେ ପାର୍କିଂ ଜନିତ ଭିଡ ଯୋଗୁଁ ବସ୍ ଚଳାଚଳ ବାଧାପ୍ରାପ୍ତ ହେଉଛି। ସେହିଭଳି ବନ୍ତଛକ ବସ୍ ସିଣ୍ଡିକେଟ୍ ରାସ୍ତାର ଉଭୟ ପାଶ୍ୱର୍ରେ ଯାତ୍ରୀବାହୀ ବସ୍ ଗୁଡିକ ଦୀର୍ଘଘଂଟା ଧରି ପାର୍କିଂ କରୁଥିବାରୁ ଯାନବାହନ ଚଳାଚଳରେ ବହୁ ଅସୁବିଧା ପରିଲକ୍ଷିତ ହେଉଛି। ଉକ୍ତ ଗାଡି ଗୁଡିକ ବେଆଇନ୍ ଭାବେ ରାସ୍ତାର ବାମ ଓ ଡାହାଣ ପାଶ୍ୱର୍ରେ ରହୁଥିବାର ଦେଖାଯାଇଛି। ଏ ଦିଗରେ ନା ଜିଲା ପୁଲିସ୍ ପ୍ରଶାସନ ନା ବସ୍ ସିଣ୍ଡିକେଟ୍ କର୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି। ଏଣୁ ଏଭଳି ଉତ୍କଟ ସମସ୍ୟାର ସମାଧାନ ଦିଗରେ ଉଭୟ ଜିଲା ଓ ପୁଲିସ୍ ପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ