
କେନ୍ଦୁଝର, ୨୪ ନଭେମ୍ବର (ହି.ସ.)- ବ୍ୟାଙ୍କ୍ ରେ ଯୁବକଙ୍କ ଉନ୍ମତ କାଣ୍ଡ, ଟଙ୍କା ଉଠାଇବାକୁ ଯାଇଥିଲେ ଟଙ୍କା ନମିଳିବାରୁ ବ୍ୟାଙ୍କ୍ ରେ ରଚିଲେ ତାଣ୍ଡବ ଲୀଳା। ଏହିଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ସ୍ଥିତ ବ୍ୟାଙ୍କ୍ ଅଫ ଇଣ୍ଡିଆ ବ୍ରାଞ୍ଚରେ।
ସୂଚନା ଅନୁଯାଇ, କେନ୍ଦୁଝର ଜିଲ୍ଲା ରଗୁଢ଼ୀ ଥାନା ଅନ୍ତର୍ଗତ ଭୂୟାଁରୋଇଡା ଗ୍ରାମର ଦେବ ଆପଟ ନାମକ ଯୁବକ ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ଠାରେ ଥିବା ବ୍ୟାଙ୍କ୍ ଅଫ ଇଣ୍ଡିଆ ବ୍ରାଞ୍ଚ କୁ ଟଙ୍କା ଉଠାଇବାକୁ ଯାଇଥିଲେ । ସେଠାରେ ତାଙ୍କୁ ବ୍ୟାଙ୍କ୍ କର୍ମଚାରୀ ଟଙ୍କା ନାହିଁ କହିବାରୁ ଯୁବକ ଜଣକ ଉତ୍ଯକ୍ତ ହୋଇ ସେଠାରେ ଥିବା ଏକ ବେଲଚା ସାହାଯ୍ୟରେ ବ୍ୟାଙ୍କ୍ ରେ ଭଙ୍ଗାରୁଜା କରିବା ସହ ରଚିଥିଲେ ତାଣ୍ଡବ ଲୀଳା। ଯାହାକୁ ଦେଖି ଉକ୍ତ ବ୍ୟାଙ୍କ୍ ରେ ଥିବା ଗ୍ରାହକ ଭୟରେ ବ୍ୟାଙ୍କ୍ ଛାଡ଼ି ଦୌଡ଼ି ପଳାଇଥିଲେ। ଉକ୍ତ ଭଙ୍ଗାରୁଜା ବେଳେ ବ୍ୟାଙ୍କ୍ ରେ ଲାଗିଥିବା କାଚ ଭାଙ୍ଗି କର୍ମଚାରୀ ଆହତ ହେବା ସହ ଉକ୍ତ ଯୁବକ ମଧ୍ୟ ଆହତ ହୋଇଥିବା ଦେଖିବାକୁ ମିଳିଛି। ତେବେ ଉକ୍ତ ବ୍ୟାଙ୍କକୁ ଯାଇଥିବା ଭଦ୍ରାସାହି ଝାଡଗାଁ ଅଞ୍ଚଳର ସୁରେଶ ପଲେଇ ନାମକ ଜଣେ ଗ୍ରାହକ ଉକ୍ତ ଘଟଣା ଦେଖି ପୋଲିସକୁ ଖବର ଦେଇଥିଲେ ଓ ଆହତ ବ୍ୟାଙ୍କ୍ କର୍ମଚାରୀଙ୍କୁ ନିଜ କାର୍ ଯୋଗେ ବଡ଼ବିଲ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଖବର ପାଇ ବଡ଼ବିଲ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକକୁ କାବୁ କରି ତାକୁ ଚିକିତ୍ସା ପାଇଁ ବଡ଼ବିଲ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଛି ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA