
ଧର୍ମଶାଳା,୨୪ନଭେମ୍ବର(ହି.ସ.) - ଉତରପ୍ରଦେଶ ବରେଲି ସ୍ଥିତ ସ୍ପୋର୍ଟସ ଷ୍ଟାଡିୟମ୍ ଇଣ୍ଡୋର ହଲରେ ଅନୁଷ୍ଠିତ ୪୧ ତମ ସିନିୟର୍ ଓ ଅଷ୍ଟମ କ୍ୟାଡେଟ କ୍ୟୁରୋଗି ଏବଂ ପୁମସେ ତାଇକୋଣ୍ଡୋ ଫେଡେରେସନ ଅଫ ଇଣ୍ଡିଆ ଆନୁକୁଲ୍ୟରେ ଜାତୀୟ ତାଇକୋଣ୍ଡୋ ଚାମ୍ପିୟନସିପରେ ଧର୍ମଶାଳା ଅଂଚଳର ଖୋଳାଳୀମାନେ କୃତିତ୍ୱ ହାସଲ କରିଛନ୍ତି । ନଭେମ୍ବର ୨୦ ରୁ ୨୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୧୯ ଟି ରାଜ୍ୟର ମୋଟ ୮୫୦ ଜଣ ବାଳକ ଓ ବାଳିକା ଖେଳାଳି ଅଂଶଗ୍ରହଣ କରିଥିଲେ । ସେଥିମଧ୍ୟରୁ ଓଡ଼ିଶାରୁ ୪୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏଥି ମଧ୍ୟରୁ ଧର୍ମଶାଳା ତାଇକୋଣ୍ଡୋ ଏକାଡେମୀରୁ ୪ ଜଣ ପ୍ରତିଯୋଗୀ ଅଂଶଗ୍ରଣକରି ୧ ଟି ସ୍ୱର୍ଣ୍ଣ, ୨ଟି ରୋପ୍ୟ ଓ ଗୋଟିଏ କାଂସ୍ୟ ପଦକ ହାସଲ କରି ରାଜ୍ୟ ଓ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ପୁମସେ ସିନିୟର୍ ବିଭାଗରେ ସୌମ୍ୟ ସ୍ୱରୂପ ସ୍ୱର୍ଣ୍ଣ ଓ କ୍ୟାଡେଟ ବିଭାଗରେ ସୁଧ।।ଂଶୁ ସାହୁ ରୋପ୍ୟ ପଦକ ହାସଲ କରିଛନ୍ତି । ସେହିପରି କ୍ୟୁରୋଗିରେ ଓମ୍ କ୍ରିଷ୍ଣା ରୋପ୍ୟ ଓ ଆଦିତ୍ୟ କୁମାର ନାୟକ କାଂସ୍ୟ ପଦକ ହାସଲ କରିଛନ୍ତି । ଯାଜପୁର ଜିଲ୍ଲାରୁ ଜାତୀୟସ୍ତର ଖେଳରେ ପ୍ରଥମଥର ପୁମସେରେ ସୌମ୍ୟ ସ୍ୱରୂପ ଓ ସୁଧାଂଶୁ ସାହୁ ନିଜ ନିଜ ବିଭାଗରେ ବିଜୟ ଲାଭ କରିଥିବାରୁ ଓଡ଼ିଶା ତାଇକୋଣ୍ଡୋ ଆସୋସିଏସନର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ,ଯାଜପୁର ଟାଇକୋଣ୍ଡୋ ଆସୋସେଶନ ସମ୍ପାଦକ ଯଯାତି କେଶରୀ ଧଳ,ଧର୍ମଶାଳା ତାଇକୋଣ୍ଡୋ ଏକାଡେମୀର ସମ୍ପାଦକ ସନ୍ତୋଷ କୁମାର ସାହୁ ଓ ସହ ସମ୍ପାଦକ ସୁଶାନ୍ତ କୁମାର ବେହେରା କୃତିତ୍ୱ ହାସଲ କରିଥିବା ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଧର୍ମଶାଳା ତାଇକୋଣ୍ଡୋ ଏକାଡେମୀ ମୁଖ୍ୟ ପ୍ରଶିକ୍ଷକ ସମର ସିଂହଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଖେଳାଳିମାନେ ଜାରକାସ୍ଥିତ ଧର୍ମଶାଳା ଷ୍ଟାଡିୟମରେ ଥିବା ଧର୍ମଶାଳା ତାଇକୋଣ୍ଡୋ ଏକାଡେମୀରୁ ପ୍ରଶିକ୍ଷଣ ନେଉଥିବା ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ