
ଧର୍ମଶାଳା, ୨୪ ନଭେମ୍ବର (ହି.ସ.)- ଯାଜପୁର ଜିଲାରେ ଦିନକୁ ଦିନ ଦୁର୍ବୃତଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଅନେକ ସମୟରେ ଧନ ଜୀବନ ଅସୁରକ୍ଷିତ ହୋଇପଡିଛି । ରାଜପଥରେ ଲୁଟ୍ ଓ ବିଳମ୍ବିତ ରାତିରେ ଘରେ ପଶି ଲୁଟିବା ଘଟଣା ଉପରେ ରୋକ ଲାଗୁ ନାହିଁ । ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲେ ମଧ୍ୟ ଦୁର୍ବୃତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ବିଚାର ବିଭାଗୀୟ ହାଜତରୁ ଫେରି ଆସି ପୁଣି ଏହି ବେଆଇନ କାର୍ଯ୍ୟରେ ଲିପ୍ତ ହେଉଛନ୍ତି । ଯାହାକି ପ୍ରଶାସନ ଓ ଜନସାଧାରଣଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।
ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଥାନା ବନ୍ଧଡିହ ପଂଚାୟତ ଆଖୁଆକୂଳ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ମହେଶ୍ୱର ନାୟକ ଓ ବିଜୟ ବେହେରାଙ୍କ ଘରେ ଦୁର୍ବୃତମାନେ କଳାକନା ବୁଲାଇଛନ୍ତି । ମହେଶ୍ୱରଙ୍କ ସିଡି ଘର ଦେଇ ଦୁର୍ବୃତମାନେ ପଶି ଏକ କୋଠରୀରେ ଥିବା ଆଲମିରାକୁ ଭାଙ୍ଗି ନଗଦ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇ ଯାଇଥିବା ବେଳେ ଏହି ଗ୍ରାମର ବିଜୟ ବେହେରାଙ୍କ ଘରେ ପଶି ଘର ଭିତରେ ଥିବା ଏକ ଲୁଗା ଭର୍ତି ଆଟାଚକୁ ନେଇ ଯାଇଥିଲେ । ଘରଠାରୁ କିଛି ଦୂରରେ ସୁନା ଗହଣା ଥିବା ଖୋଳ ଓ ଆଟାଚକୁ ଫୋପାଡି ଦେଇଥିବା ଦେଖିବାକୁ ମିଳିଥିଲା । ଏନେଇ ମହେଶ୍ୱର ନାୟକଙ୍କ ପୁଅ ସ୍ୱୟଂ ପ୍ରକାଶ ବ୍ରହ୍ମବରଦା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଥାନା ଅଧିକାରିଣୀ ଜୟନ୍ତୀ ମଲ୍ଲିକ ସଦଳବଳେ ଘଟଣାସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିଥିଲା । ଏବଂ ଅଧିକ ତଦନ୍ତ ପାଇଁ ସନ୍ଧାନୀ କୁକୁର ଓ ସାଇଁଟିଫିକ୍ ଟିମର ସହାୟତା ନେଇଥିଲେ । ସନ୍ଧାନୀ କୁକୁର ଓ ସାଇଁଟିଫିକ୍ ଟିମ ଘର ସମେତ ବିଭିନ୍ନ ସ୍ଥାନକୁ ଯାଇ ତଦନ୍ତ କରି ଫେରିଥିବା ଜଣାପଡିଛି । ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଗ୍ରାମବାସୀ ପୁଲିସ ନିକଟରେ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ