
ଭୁବନେଶ୍ୱର, ୨୪ ନଭେମ୍ବର (ହି.ସ.)- ଓଡ଼ିଶା ପିସିସି ଗଣମାଧ୍ୟମ, ଯୋଗାଯୋଗ ଓ ପ୍ରଚାର ବିଭାଗ ପକ୍ଷରୁ ଆଜି କଂଗ୍ରେସ ଭବନରେ ଜାତୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି। ଏହାକୁ ଉଦଘାଟନ କରି ଓଡ଼ିଶା ପ୍ରଦେଶ କଂଗ୍ରେସର ନବନିଯୁକ୍ତ ସହପ୍ରଭାରୀ ତଥା ଏଆଇସିସି ସମ୍ପାଦକ ଜେଟି କୁସୁମ କୁମାର କହିଛନ୍ତି କଂଗ୍ରେସ ପକ୍ଷରୁ ଜାତୀୟ ମେଧା ଅନ୍ୱେଷଣ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପ୍ରଖର ମୁଖପାତ୍ର, ଦକ୍ଷ ଉପସ୍ଥାପକ, ନିପୁଣ ଗଣମାଧ୍ୟମ ସଂଯୋଜକ ଓ ଗବେଷଣାତ୍ମକ ସମୀକ୍ଷକ ପାଇଁ ଇଛୁକ ଥିବା ଯୁବବର୍ଗ ମାନେ ଆବେଦନ କରିପାରିବେ। ଜାରି କରାଯାଇଥିବା କ୍ୟୁଆର କୋଡ଼କୁ ଯାଇ ପ୍ରାର୍ଥୀ ଫର୍ମ ପୂରଣ କରି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ। ରାଜ୍ୟର ଯେଉଁ ଯୁବକ- ଯୁବତୀମାନେ କଂଗ୍ରେସ ଦଳର ପାନେଲିଷ୍ଟ କିମ୍ବା ମୁଖପାତ୍ର ହେବାକୁ ଚାହୁଁଛନ୍ତି ସେମାନେ ବହୁ ସଂଖ୍ୟାରେ ଆବେଦନ କରି ଏଥିରେ ଭାଗ ନେବା ପାଇଁ ସେ ଆହ୍ୱାନ କରିଥିଲେ। ସେ କହିଥିଲେ ନଭେମ୍ବର ୩୦ ତାରିଖ ଭିତରେ ଯୁବକ - ଯୁବତୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ଆବେଦନ କରିପାରିବେ।
ଅଂଶଗ୍ରହଣ ବା ଆବେଦନ କରିଥିବା ଯୁବକ- ଯୁବତୀ ମାନେ ପ୍ରଥମେ ଜିଲ୍ଲା ସ୍ତରରେ, ପରେ ରାଜ୍ୟ ଏବଂ ଶେଷରେ ଜାତୀୟ ସ୍ତରକୁ ଯିବେ ବୋଲି ସେ କହିଛନ୍ତି। ସେ ଆହୁରି କହିଥିଲେ, ଓଡିଶା ରାଜ୍ୟ ଉପରେ ଜଗନ୍ନାଥଙ୍କ ଆଶିର୍ବାଦ ରହିଥାଉ। ଦିନେ ଓଡ଼ିଆ କଂଗ୍ରେସର ଗଡ଼ ଥିଲା।ଏବେ ୨୫ ବର୍ଷ ହେବ ରାଜ୍ୟରେ କଂଗ୍ରେସ ସରକାର ନାହିଁ। କିନ୍ତୁ ୨୦୨୯ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ କେଉଁଭଳି ଭଲ ପ୍ରଦର୍ଶନ କରି ସରକାରକୁ ଆସିବ ସେ ଦିଗରେ ଆମେ କାର୍ଯ୍ୟ ଆରମ୍ଭ କରିବୁ। ସବୁ ନେତାଙ୍କୁ ଏକାଠି କରି ଓଡିଶା କଂଗ୍ରେସ ଆଗକୁ ନେବାକୁ ଆମେ ଯୋଜନା କରିଛୁ। ମୁଁ ସମ୍ପୂର୍ଣ ଓଡିଶାକୁ ବୁଲି କେଉଁଭଳି କଂଗ୍ରେସ ଦଳକୁ ମଜବୁତ୍ କରାଯିବ, କାର୍ଯ୍ୟ କରିବି । କଂଗ୍ରେସ ନେତା ଓ କର୍ମୀ ଦଳକୁ ମଜବୁତ୍ କରିବାକୁ ଗୋଷ୍ଠୀ କରନ୍ତୁ କିନ୍ତୁ ଦୁର୍ବଳ କରିବାକୁ ନୁହେଁ ବୋଲି କହିଛନ୍ତି ସହପ୍ରଭାରୀ ଶ୍ରୀ ଯେଟ୍ଟି।କଂଗ୍ରେସର ଟ୍ୟାଲେଣ୍ଟ ହଣ୍ଟ ଅନୁଷ୍ଠାନିକ ଉଦଘାଟନ ସମ୍ମିଳନୀକୁ କଂଗ୍ରେସ ମିଡ଼ିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାସ ସଭାପତିତ୍ୱ କରିବା ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା