



ବଲାଙ୍ଗୀର, ୨୫ ନଭେମ୍ବର (ହି.ସ.)-
ବିଛୁପାଲି ଅଞ୍ଚଳସ୍ଥ ଶ୍ରୀ ସୁରଭି ଗୋ ସେବା ଧାମର ୨ୟ ବାର୍ଷିକ ଉତ୍ସବ ଆଜି ଭବ୍ୟ ଭାବରେ ପାଳିତ ହେଲା। ସକାଳୁ ଆରମ୍ଭ ହୋଇଥିବା ଗୋପୁଜନ, ଗୋସେବା, ସଙ୍କୀର୍ତ୍ତନ ଓ ଧାର୍ମିକ କାର୍ଯ୍ୟକ୍ରମ ଦର୍ଶନ ପାଇଁ ଭକ୍ତମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଉତ୍ସବର ମୁଖ୍ୟ ଅତିଥି ଭାବରେ ସଂପୂର ବ୍ଲକ୍ ଉନ୍ନୟନ ଅଧିକାରୀ (ବିଡିଓ) ସଞ୍ଜୀବ କୁମାର ସାହୁ ଯୋଗଦେଇଥିଲେ। ଏହା ସହିତ ଆନନ୍ଦମାର୍ଗର ବରିଷ୍ଠ ସନ୍ୟାସୀ ଆଚାର୍ଯ୍ୟ ରମେଶ୍ଵରାନନ୍ଦ, ନେଦରଲ୍ୟାଣ୍ଡରୁ ଆସିଥିବା ସମାଜସେଵୀ ତାସା ଦେବୀ, ଅବସରପ୍ରାପ୍ତ ଜିଲ୍ଲା କୃଷି ଅଧିକାରୀ ସତ୍ୟାନନ୍ଦ ଜେନା ଓ ସମାଜସେବୀ କୈଳାସ ସାହୁ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମର ମୁଖ୍ୟବକ୍ତା ଭାବେ ସିଧେଶ୍ଵର ମିଶ୍ର ଗୋସେବାର ସାମାଜିକ, ଆର୍ଥିକ ଓ ଧାର୍ମିକ ମହତ୍ତ୍ୱ ଉପରେ ଅଲୋଚନା କରିଥିଲେ। ଅନୁଷ୍ଠାନର ସଭାପତି ଶରତ ଚନ୍ଦ୍ର ସେଠ ସଭାପତିତ୍ୱ କରିଥିଲେ ଓ ସମ୍ପାଦକ ତ୍ରିଲୋଚନ ମେହେର ମଞ୍ଚ ପରିଚାଳନା କରିଥିଲେ।
ଉତ୍ସବରେ ମୁଖ୍ୟ ଅତିଥି ସଞ୍ଜୀବ କୁମାର ସାହୁ ଗୋବଂଶ ସୁରକ୍ଷାକୁ “ସମାଜ ଓ ପରିବେଶ ପାଇଁ ଅତ୍ୟାବଶ୍ୟକ” ବୋଲି କହିଥିଲେ। ସେ ଜୀବିକା ଆଧାରିତ ଚାଷ ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ । ଅନ୍ୟ ଅତିଥିମାନେ ମଧ୍ୟ ଗୋ ସେବା ଧାମର କାର୍ଯ୍ୟକୁ ପ୍ରଶଂସା କରି, ଗୋବଂଶ ସୁରକ୍ଷା ପାଇଁ ସାମୁହିକ ପ୍ରଚେଷ୍ଟାର ଆହ୍ୱାନ କରିଥିଲେ।
ନେଦରଲ୍ୟାଣ୍ଡର ଅତିଥି ତାସା ଦେବୀ ନିଜ ଦେଶରେ ଗୋସେବା ଓ ପଶୁ ସୁରକ୍ଷା ପ୍ରଣାଳୀ ବିଷୟରେ ଅନୁଭବ ନେଇ ସମସ୍ତଙ୍କୁ ସୂଚନା ପ୍ରଦାନ କରିଥିଲେ ଓ ଭାରତର ଗୋପ୍ରେମ ଦେଖି ପ୍ରଶଂସା କରିଥିଲେ।
ଶ୍ରୀ ସୁରଭି ଗୋ ସେବା ଧାମ ପକ୍ଷରୁ ଜଣାଯାଇଛି ଯେ, ସେମାନେ ବର୍ତ୍ତମାନ ରାସ୍ତାରେ ଅବହେଳିତ, ଦୁର୍ଘଟଣାଗ୍ରସ୍ତ ଓ ନିସହାୟ ଗୋବଂଶକୁ ଉଦ୍ଧାର କରି ଚିକିତ୍ସା, ଦେଖାଶୁଣା ଓ ଖାଦ୍ୟ ପାନୀୟର ସମ୍ପୂର୍ଣ୍ଣ ବ୍ୟବସ୍ଥା କରୁଛନ୍ତି। ଗୋପୁଜନ, ପ୍ରସାଦ ବିତରଣ ଓ ଭକ୍ତିମୟ ସଙ୍କୀର୍ତ୍ତନ ସହିତ ଉତ୍ସବର ଶେଷ ହେଲା। ସମାରୋହର ପ୍ରମୁଖ ଭୂମିକା ତୁଲାଇଥିଲେ ସ୍ପନ୍ଦିତ କୁମାରୀ, ଯଶୋବନ୍ତି ଘିବେଲା, ମଙ୍ଗେ ଲାଲ ଅଗ୍ରୱାଲ, ଉକିଆ ଭୋଇ, ସୁଧାମୟ ପଟେଲ, ଗୋବିନ୍ଦ ସରାଫ, ଯୁଧିଷ୍ଠିର ଭୋଇ, ତ୍ରିନାଥ ଭୋଇ, ସାଇ ସୁନ୍ଦର ନାଏକ ପ୍ରମୁଖ l ଶେଷରେ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଅର୍ପଣ ପୂର୍ବକ ବକ୍ତବ୍ୟ ରଖିଥିଲେ l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ