
ନୂଆପଡ଼ା, ୨୫ ନଭେମ୍ବର (ହି.ସ.)- ନୂଆପଡା ଜିଲ୍ଲା ଖଡିଆଳ ବ୍ଲକର ତିଖାଲି ଠାରେ ଥିବା ୩୦ ଟିକିଆ ହାତୀପଲ ଆଜି ସୁରକ୍ଷିତ ଅବସ୍ଥାରେ ବଲାଙ୍ଗୀର ଜିଲ୍ଲାକୁ ପ୍ରବେଶ କରିଥିବା ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ ସୂଚନା ଦେଇଛନ୍ତି। ଏହି ହାତୀପଲ ପଡୋଶୀ ରାଜ୍ୟ ଛତିଶଗଡ ରାଜ୍ୟରୁ ସୁନାବେଡ଼ା ଅଭୟାରଣ୍ୟ ଦେଇ ଖଡିଆଳ ବ୍ଲକ୍ ତିଖାଲିକୁ ଆସିଥିଲେ। ସେଠାରେ ବନ ବିଭାଗ ପକ୍ଷରୁ ତୀକ୍ଷ୍ଣ ନଜର ରଖି ଅନେକ ସୁରକ୍ଷା ପଦକ୍ଷେପ ନେଇଥିଲେ। ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରିଥିବା ବେଳେ ହାତୀ ପଲ ଆସୁଥିବା ପଥ ଦେଇ ଗ୍ରାମବାସୀଙ୍କୁ ସୁରକ୍ଷିତ ଘରେ ରହିବାକୁ ସତର୍କ କରିଥିଲେ। ଅନେକ ସ୍ଥାନରେ ଫସଲ କ୍ଷୟକ୍ଷତି ହୋଇଥିବା ବେଳେ ସରକାରୀ ନିୟମ ମୁତାବକ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ବ୍ୟବସ୍ଥା ଗ୍ରହଣ କରିଥିବା ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି। ଏହି ୩୦ ଟିକିଆ ହାତୀପଲରେ ୧୫ଟି ମାଈ ହାତୀ ଥିବାବେଳେ ବେଳେ ୭ ଗୋଟି ପୁରୁଷ ହାତୀ ଏବଂ ୮ ଗୋଟି ଛୁଆ ହାତୀ ରହିଛନ୍ତି। ବର୍ତମାନ ପ୍ରଜନନ ସମୟ ହୋଇଥିବାରୁ ହାତୀ ସଂଖ୍ୟାରେ ବୃଦ୍ଧି ହୋଇପାରେ ବୋଲି ବନଖଣ୍ଡ ଅଧିକାରୀ ଅଜିଜ ଖାନ ପ୍ରକାଶ କରିଛନ୍ତି। ଡ୍ରୋନ ସାହାଯ୍ୟରେ ମଧ୍ୟ ହାତୀର ଗତିବିଧିକୁ ଅନୁଧ୍ୟାନ କରାଯାଇଥିଲା। ଏବେ ବଲାଙ୍ଗିର ଜିଲ୍ଲା ମୁହାଁ ହାତୀପଲ ହୋଇଥିବା ବେଳେ ବଲାଙ୍ଗିର ବନ ବିଭାଗକୁ ଖବର ଦିଆଯାଇଥିବା ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ