




ବଲାଙ୍ଗିର, ୨୫ ନଭେମ୍ବର (ହି.ସ.)- ଆର. ଆର. କଲୋନୀ ହାଇସ୍କୁଲରେ ବଲାଙ୍ଗିର ବ୍ଲକ ଓ ପୌରାଞ୍ଚଳ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ନୀଳମଣି ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରଦର୍ଶନୀ ମେଳାକୁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ବଲାଙ୍ଗୀର ବ୍ଲକ ଉନ୍ନୟନ ଅଧିକାରୀ ହୃଷିକେଶ ଗଣ୍ଡ, ପୃଥ୍ଵୀରାଜ ହାଇସ୍କୁଲର ପ୍ରଧାନ ଶିକ୍ଷକ ସନ୍ତୋଷିନୀ ସେଠୀ, ଏବିଇଓ ସନ୍ଧ୍ୟାରାଣୀ ଧରୁଆ,ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିଶୋର ହନୁମାନ,ବିଜ୍ଞାନ ଆବାହକ ସରୋଜ ନାୟକ ଓ ବିଜ୍ଞାନ ସଂଯୋଜକ ରାଜ ପ୍ରସାଦ ପ୍ରଧାନ ସମ୍ମାନୀତ ଅତିଥିଭାବେ ମଞ୍ଚାସୀନ ଥିଲେ। ମୁଖ୍ୟ ଅତିଥି ଶ୍ରୀ ନାଗ ନିଜ ବକ୍ତବ୍ୟରେ ସମାଜ ପାଇଁ ବିଜ୍ଞାନ, ନୂତନ ଉଦ୍ଭାବନ ଓ ଆବିଷ୍କାରର ଆବଶ୍ୟକତା ଉପରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବା ସହ ବିଜ୍ଞାନ ପ୍ରଦର୍ଶନୀ ଛାତ୍ରଛାତ୍ରୀଙ୍କ ଭିତରେ ବୈଜ୍ଞାନିକ ଜିଜ୍ଞାସା ଜନ୍ମ ଦେଇଥାଏ ବୋଲି କହିଥିଲେ। ବଲାଙ୍ଗୀର ବ୍ଲକ ଶିକ୍ଷା ଅଧିକାରୀ ନୀଳମଣି ପଟେଲ ନିଜ ବକ୍ତବ୍ୟରେ ବିଜ୍ଞାନ ମେଳା ଛାତ୍ରଛାତ୍ରୀ ମାନଙ୍କୁ ଶିଖିବା ସହ ପ୍ରୟୋଗ କରିବାର ଶ୍ରେଷ୍ଠ ଅନୁଭବ ଦେଇଥାଏ ବୋଲି କହିଥିଲେ। ଉକ୍ତ ପ୍ରଦର୍ଶନୀ ବିଭିନ୍ନ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରୁ ମନୋନୀତ ହୋଇ ୨୭୨ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ବିଚାରକ ଭାବେ ରାଜକୁମାର ଭୋଇ, ଦୀପାଞ୍ଜଳୀ ଯୋଶୀ, ବିଷ୍ଣୁ ପ୍ରସାଦ ମିଶ୍ର, ତାରାକାନ୍ତ ମିଶ୍ର, ଗୀତାଞ୍ଜଳୀ ପଧାନ, ସୁଜିତ ଶତପଥି ପ୍ରମୁଖ ଯୋଗଦେଇ ପ୍ରକଳ୍ପ ଗୁଡିକର ମୂଲ୍ୟାଙ୍କନ କରିଥିଲେ। ମେଳାରେ ପ୍ରଦର୍ଶିତ ପ୍ରକଳ୍ପ ମଧ୍ୟରୁ ଟାଉନ ବାଳିକା ହାଇସ୍କୁଲର ଚାନ୍ଦିନୀ ଧରେଇ, ପି.ପି ଏକାଡେମୀର ବିଜୟ ଗୁଡ଼ିଆ, ଆର.ଆର କଲୋନୀହାଇସ୍କୁଲର ଶ୍ରୀମନ ନାରାୟଣ ତ୍ରିପାଠୀ, ମିର୍ଧାପାଲି ହାଇସ୍କୁଲର ବୁଦ୍ଧଦେବ ମହାକୁର, ପି.ଆର. ହାଇସ୍କୁଲର ଅନ୍ବେଷ ଭୂଷଣ ରଣା, ସଦେଇପାଲି ହାଇସ୍କୁଲର ତୃପ୍ତି ନାଗ, ଓଏଭି ପଥରଚେପାର ବିମଳେନ୍ଦୁ ଧରୁଆଙ୍କ ପ୍ରକଳ୍ପ ଗୁଡି଼କୁ ଜିଲ୍ଲା ସ୍ତରୀୟ ମେଳା ପାଇଁ ମନୋନୀତ କରାଯାଇଥିଲା।
ଉଦଯାପନୀ ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ବିଜ୍ଞାନ ପ୍ରଦର୍ଶନୀ ହେଉଛି ଏପରି ଏକ ମଞ୍ଚ ଯେଉଁଠାରେ ଛାତ୍ରଛାତ୍ରୀ ମାନେ ନିଜ ଚିନ୍ତାଧାରାକୁ ପ୍ରକାଶ କରନ୍ତି, ସୃଜନଶୀଳତାର ନୂଆ ମାର୍ଗ ଖୋଲନ୍ତି ଓ ଆତ୍ମବିଶ୍ୱାସର ସହିତ ବିଜ୍ଞାନ ତଥ୍ୟକୁ ବିଶ୍ୱ ସାମ୍ନାକୁ ନେଇଯାନ୍ତି ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ ଯୋଗଦେଇ ନିଜ ବକ୍ତବ୍ୟରେ ଏଭଳି ବିଜ୍ଞାନ ପ୍ରଦର୍ଶନୀ ଛାତ୍ରଛାତ୍ରୀ ମାନଙ୍କୁ ଭବିଷ୍ୟତରେ ବୈଜ୍ଞାନିକ, ଇଞ୍ଜିନିୟର, ଅନୁସନ୍ଧାନକାରୀ ହେବାକୁ ପ୍ରେରଣା ଦେଇଥାଏ ବୋଲି କହିଥିଲେ। ଶେଷରେ କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।
ଉଭୟ ଅଧିବେଶନର କାର୍ଯ୍ୟକ୍ରମକୁ ଜସ୍ମିନ ଜଲି ଓ ରବୀନ୍ଦ୍ର ଠେଟୁଆଲ ସଂଯୋଜନା କରିଥିଲେ। ଶେଷରେ ବିକାଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ