କପାରେ ବଲାଙ୍ଗିରକୁ ୧୦୦ କୋଟିର କ୍ଷତି, ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ
ବଲାଙ୍ଗିର, ୨୫ ନଭେମ୍ବର (ହି.ସ.)- ବଲାଙ୍ଗିର ଜିଲ୍ଲାରେ ନେତା, ମନ୍ତ୍ରୀ କାର୍ଯ୍ୟରେ ବ୍ୟସ୍ତ । ନେତା ବ୍ୟସ୍ତ ବୋଲି ଅଧିକାରୀ ବେଫିକର। ଉଭୟଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ନୀତି ନିର୍ଦ୍ଧାରଣ ବୈଠକ ହୋଇପାରୁନି । ଫଳସ୍ୱରୁପ ବଲାଙ୍ଗିର ଜିଲ୍ଲା ୧୦୦ କୋଟିରୁ ଅଧିକ ଟଙ୍କାର ରାଜସ୍ବ ହରାଉଛି | ଚାଷୀ
ଧଳା ହୀରା କୁହଯାଉଥିବା କପାରେ ବଲାଙ୍ଗିରକୁ ୧୦୦ କୋଟିର କ୍ଷତିଗ୍ରସ୍ତ : ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ


ବଲାଙ୍ଗିର, ୨୫ ନଭେମ୍ବର (ହି.ସ.)- ବଲାଙ୍ଗିର ଜିଲ୍ଲାରେ ନେତା, ମନ୍ତ୍ରୀ କାର୍ଯ୍ୟରେ ବ୍ୟସ୍ତ । ନେତା ବ୍ୟସ୍ତ ବୋଲି ଅଧିକାରୀ ବେଫିକର।

ଉଭୟଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ନୀତି ନିର୍ଦ୍ଧାରଣ ବୈଠକ ହୋଇପାରୁନି । ଫଳସ୍ୱରୁପ ବଲାଙ୍ଗିର ଜିଲ୍ଲା ୧୦୦ କୋଟିରୁ ଅଧିକ ଟଙ୍କାର ରାଜସ୍ବ ହରାଉଛି | ଚାଷୀ ଶୋଷଣର ଶିକାର ହେଉଛି, ପ୍ରଶାସନ ପାଖକୁ ଯାଉଥିବା ଫି’ ବାଟମାରଣା ହେଉଛି। ଏହାର ଲାଭ ଉଠାଉଛନ୍ତି ରାଜ୍ୟ ବାହାର ବେପାରୀ ଓ ଦଲାଲ । ପ୍ରଶାସନର ଭୁଲ ନିଷ୍ପତ୍ତି ପାଇଁ ଏଭଳି ଢଙ୍ଗରେ ଚଳିତବର୍ଷ କପା କ୍ରୟ କ୍ଷେତ୍ରରେ ବଲାଙ୍ଗିର ପ୍ରାୟ ୧୦୦ କୋଟି ଟଙ୍କାର କ୍ଷତି ସହିଛି। ଏଥିରୁ ୮୮ କୋଟି ଚାଷୀ ପକେଟରୁ ଯାଇଥାଆନ୍ତା। ବଳକା ୧୨ କୋଟି ଆରଏମସିକୁ ମିଳିଥାନ୍ତା। କିନ୍ତୁ, ନୂଆପଡ଼ା ଉପନିର୍ବାଚନ ପାଇଁ ବଲାଙ୍ଗିର ଜିଲ୍ଲାକୁ ଏଭଳି କ୍ଷତି ହୋଇଛି। ଜିଲ୍ଲା ସଂଲଗ୍ନ ସୋନପୁର, କଳାହାଣ୍ଡିକୁ ମିଶାଇଲେ କ୍ଷତି ପରିମାଣ ପ୍ରାୟ ଦେଢ଼ଶହ କୋଟି ଡେଇଁବ ବୋଲି ଅନୁମାନ କରାଯାଉଛି।

ଚଳିତବର୍ଷ ଜିଲ୍ଲାରେ ୭୧ ହଜାର ୨୭୦ ହେକ୍ଟର ଜମିରେ କପା ଚାଷ କରିବାକୁ ଟାର୍ଗେଟ ଥିଲା। ହେଲେ ଉପ‌ଯୁକ୍ତ ବର୍ଷା ଏବଂ ବିହନର ସୁଷମ ବଣ୍ଟନ ପାଇଁ ଟାର୍ଗେଟରୁ ଅଭିବୃଦ୍ଧି ଘଟି ୭୪ ହଜାର ୭୫୩ ହେକ୍ଟର ଜମିରେ ଚାଷ ହୋଇଛି । କୃଷି ବିଭାଗର ଆକଳନ କ୍ରମେ ହେକ୍ଟର ପ୍ରତି ହାରାହରି ୧୦ କ୍ଲିଣ୍ଟାଲ ଆଧାରରେ ଜିଲ୍ଲାରୁ ୭ ଲକ୍ଷ ୪୭ ହଜାର ୫୩୦ କ୍ଵିଣ୍ଟାଲ ଭିତରେ କପା ଅମଳ ଲକ୍ଷ୍ୟ ଧର୍ଯ୍ୟ କରାଯାଇଛି। ମୋଟାମୋଟି ଭାବରେ କପାକୁ ୩ରୁ ୪ଟି ପର୍ଯ୍ୟାୟରେ ତୋଳାଯାଉଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ସମ୍ପୂର୍ଣ ଅମଳର ୨୮ରୁ ୩୦ ପ୍ରତିଶତ ଅମଳ ଆସିଯାଏ। ସେହି କ୍ରମରେ ଅକ୍ଟୋବର ପ୍ରଥମ ସପ୍ତାହରୁ ନଭେମ୍ବର ଭିତରେ ଜିଲ୍ଲାରୁ ସମ୍ଭାବ୍ୟ ଅମଳ ଆକଳନର ୩୦ ପ୍ରତିଶତ କପା ଅର୍ଥାତ ପ୍ରାୟ ୨ ଲକ୍ଷ ୨୪ ହଜାର ୨୫୯ କ୍ଵିଣ୍ଟାଲ କପା ତୋଳା ସରିଲାଣି। କେତେକ ସ୍ଥାନରେ ଦ୍ଵିତୀୟ ପର୍ଯ୍ୟାୟ କପା ମଧ୍ୟ ତୋଳା ଆରମ୍ଭ ହୋଇଛି। ଫସଲର ପ୍ରଥମ ପର୍ଯ୍ୟାୟରେ ଉଭୟ ଗୁଣାତ୍ମକ ଏବଂ ପରିମାଣ ଅନୁଯାୟୀ ପ୍ରାୟତଃ ଭଲ ଅମଳ ଆସିଥାଏ। ହେଲେ ଉଦ୍‌ବେଗର ବିଷୟ, ସବୁତକ ଅମଳ ଦଲାଲ ଜରିଆରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଛତିଶଗଡ଼କୁ ଚାଲିଯାଉଛି । କାରଣ ପ୍ରଥମ ପର୍ଯ୍ୟାୟ କପାତୋଳା ସରିଥିବା ବେଳେ ଏ ପର୍ଯ୍ୟନ୍ତ ଜିଲ୍ଲାରେ କପାକ୍ରୟ କମିଟି ବୈଠକ ବସିନଥିବାରୁ ମଣ୍ଡି/ୟାର୍ଡ ଖୋଲିପାରିନାହିଁ। ଆଗକୁ ଅଧିକ ଶୀତ ଏବଂ ବର୍ଷା ଆଶଙ୍କା, ଦଲାଲ ଗାଁ ଗାଁରୁ କପା ସଂଗ୍ରହ କରି ରାଜ୍ୟ ବାହାରର ବେପାରୀକୁ ଟେକି ଦେବ। କେବଳ ଏତିକି ନୁହେଁ, କେନ୍ଦ୍ର କୃଷି ବିଭାଗ ପକ୍ଷରୁ କପା ପାଇଁ ଏମଏସପି ୮୧୧୦ ଟଙ୍କା ନିର୍ଦ୍ଧାରିତ ହୋଇଥିବା ବେଳେ ଗାଁ ଗାଁରେ ବେପାରୀ ୫୨ରୁ ୫୫ ଶହ ଟଙ୍କା ଦେଉଛନ୍ତି। ଯେଉଁଥିରୁ ଚାଷୀ ଶୋଷଣର ଶିକାର ହେଉଛି। ଏଯାବତ ମଣ୍ଡି ନ ଖୋଲିବାରୁ ପ୍ରଥମ ପର୍ଯ୍ୟାୟର ୩୦ ପ୍ରତିଶତ ଅମଳ ଅର୍ଥାତ ୨ଲକ୍ଷ ୨୪ ହଜାର ୨୫୯ କ୍ଵିଣ୍ଟାଲ କପା ଖୋଲା ମାର୍କେଟରେ ବିକ୍ରି ହୋଇଗଲା । ଯହାର ଏମଏସପି ୮୧୧୦ ଟଙ୍କା ଅନୁଯାୟୀ ବଜାର ଦର ୧, ୮୧୮,୭୪୦,୪୯୦ ଟଙ୍କା ହେବା କଥା । ହେଲେ ବିକ୍ରି ବ୍ୟବସ୍ଥା ନ ଥିବାରୁ କମ ଦର ଅର୍ଥାତ ୫୫୦୦ ଅନୁଯାୟୀ ଚାଷୀଙ୍କୁ ୧,୨୩୩, ୪୨୪,୫୦୦ ଟଙ୍କା ମିଳିଛି। ଅର୍ଥାତ ବଲାଙ୍ଗିର ଜିଲ୍ଲାର ଚାଷୀ ୫୮ କୋଟି ୫୩ ଲକ୍ଷ ୧୫ ହଜାର ୯୯୦ ଟଙ୍କା କ୍ଷତି ସହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଯେତିକି ଟଙ୍କାର କପା ମଣ୍ଡି ବା ୟାର୍ଡରେ ବିକ୍ରି ହୋଇଥାନ୍ତା, ତାହାର ୧ ପ୍ରତିଶତ ଫି’ ଆରଏମସିକୁ ଆସିଥାନ୍ତା। ସେହି ଅନୁଯାୟୀ ୧,୮୧,୮୭,୪୦୪ ଟଙ୍କା ଆରଏମସି ପାଇଥାନ୍ତା। ହେଲେ ନେତାଙ୍କ ଅନୁପସ୍ଥିତି ଏବଂ ଜିଲ୍ଲା ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ବଲାଙ୍ଗିର ଜିଲ୍ଲା ଦ୍ଵିତୀୟ ପର୍ଯ୍ୟାୟ କପା ଅମଳରେ ପ୍ରାୟ ୯୦ କୋଟି ଟଙ୍କାର କ୍ଷତି ସହିଛି। ତେଣୁ ଆଉ ବିଳମ୍ବ ନ କରି କପାକ୍ରୟ କମିଟି ବୈଠକ କରି କପା ଚାଷୀଙ୍କୁ ନ୍ୟାୟ ଦିଅନ୍ତୁ ବୋଲି ଦାବି ହୋଇଛି। ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଧିରେନ୍ଦ୍ର ସିଂ ବରିହାଙ୍କୁ ପଚାରିବାରୁ ସେ ଅସହାୟତା ପ୍ରକାଶ କରିବା ସହ ଶୀଘ୍ର ତାରିଖ ଘୋଷଣା କରି କପା କିଣାଯିବ ବୋଲି କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande