



ସମ୍ବଲପୁର, ୨୫ ନଭେମ୍ବର (ହି.ସ.)- ଭାରତର ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପରିପ୍ରେକ୍ଷୀରେ ସମ୍ବଲପୁର ମହିଳା ବିଶ୍ବବିଦ୍ୟାଳୟ ଠାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଜନସାଧାରଣଙ୍କ ପାଖରେ ଏକତା ଏବଂ ଦେଶପ୍ରେମର ବାର୍ତ୍ତା ପହଞ୍ଚାଇବା ପାଇଁ ଆୟୋଜିତ ହୋଇଛି ଏକ ବିଶାଳ ପଦଯାତ୍ରା । ଏହି ପଦଯାତ୍ରା ଜିଲ୍ଲା ପୋଲିସ ରିଜର୍ଭ ପଡିଆ ଠାରୁ ଅତ୍ୟନ୍ତ ଉତ୍ସାହର ସହିତ ଆରମ୍ଭ ହୋଇ ମହିଳା ବିଶ୍ଵ ବିଦ୍ୟାଳୟ ଠାରେ ଶେଷ ହୋଇଥିଲା। ଉକ୍ତ ପଦଯାତ୍ରାରେ ମୁଖ୍ୟଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ, ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର , ପୂର୍ବତନ ବିଧାୟକ ନାଉରୀ ନାୟକ, ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୂ, ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ରେହାନ କ୍ଷତ୍ରି, ପ୍ରୋବେଶନାରୀ ଆଇଏଏସ ଶୁଭ୍ରା ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ।
ଏହି ଅବସରରେ ମହିଳା ବିଶ୍ଵ ବିଦ୍ୟାଳୟ ଠାରେ ଏକ ସଭା ହୋଇଥିଲା । ସଭାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସମେତ ମାଟି ମା'ର ବୀରପୁତ୍ର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦୃଢ ରାଜନୈତିକ ଇଚ୍ଛା ଶକ୍ତି, ଦୂର ଦୃଷ୍ଟି ଯୋଗୁ ଆମ ଦେଶକୁ ଏକତ୍ର କରିରଖିଛି ବୋଲି ଶ୍ରୀ ପ୍ରଧାନ କହିଥିଲେ।
ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ସାଂସ୍କୃତିକ ଦଳ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ମହିଳା ବିଶ୍ଵ ବିଦ୍ୟାଳୟ ଠାରେ ଆୟୋଜିତ ସଭାରେ ଓଡିଶା ଜୀବିକା ମିଶନ ଅଧୀନରେ ୬ ଟି ଓ ସ୍ଵୟଂ ସହାୟକ ଗୋଷ୍ଠୀ –ବିଖମ ପୁର ସ୍ଵୟଂ ସହାୟକ ଗୋଷ୍ଠୀ, ଆଦିଶକ୍ତି ସ୍ଵୟଂ ସହାୟକ ଗୋଷ୍ଠୀ, ଦେଓଗାଁ ର ମା' ପାର୍ବତୀ ସ୍ଵୟଂ ସହାୟକ ଗୋଷ୍ଠୀ, ପରମାଣ ପୁରର ମା' ସନ୍ତୋସୀ ସ୍ଵୟଂ ସହାୟକ ଗୋଷ୍ଠୀ, ମା' ସୁରଭୀ ସ୍ଵୟଂ ସହାୟକ ଗୋଷ୍ଠୀ ସ୍ଵୟଂ, କୁକୁଡାପାଲି ର ବସୁଧା ସହାୟକ ଗୋଷ୍ଠୀ, ମା' ଆଦିଶକ୍ତି ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୩୦, ୦୦୦ ଟଙ୍କା ଲେଖାଏଁ ଡମି ଚେକ ପ୍ରଦାନ କରାଯାଇଥିଲା। ଏଥି ସହିତ ମାନେଶ୍ଵରର ଲିଲି ଭୋଇ, ରାଜକୁମାରୀ ଭୋଇ ସୁନ୍ଦରୀ ସେଠ, ସୁରେନ୍ଦ୍ରି ସେଠ, ଧନକଉଡା ର ଚନ୍ଦ୍ରମା ବେହେରା, ସୁଭାସିନୀ ବେହେରାଙ୍କୁ ପ୍ରୋତ୍ସାହିତ୍ ରାଶି ୨୦,୦୦୦ ଟଙ୍କା ଲେଖାଏ ର ଡମି ଚେକ ପ୍ରଦାନ କରାଗଲା। ଗୃହ ନିର୍ମାଣ ସମ୍ପନ କରିଥିବା ଧନକଉଡା ର ପ୍ରଭାତୀ ନାୟକ, ଜମନକିରାର ଗୀତାଞ୍ଜଳି ମୁଣ୍ଡା, ସତ୍ୟବତୀ ଭୋଇଙ୍କୁ ଗୃହର ଚାବି ପ୍ରଦାନ କରାଯାଇଥିଲା। ନିର୍ମାଣ ଶ୍ରମିକ କଲ୍ଯାଣ ଯୋଜନା ଅଧୀନରେ ୭ ଜଣଙ୍କୁ ଶିକ୍ଷା ସହାୟତା, ୧୩୬ ଯୋଡା ଦମ୍ପତି ଙ୍କୁ ବିବାହ ପ୍ରୋତ୍ସାହନ ରାଶି, ୪ ଜଣଙ୍କୁ ମାତୃତ୍ଵ ସହାୟତା, ମୃତ୍ୟୁ ଏବଂ ଶବଦାହ ଖର୍ଚ୍ଚ ବାବଦକୁ ୯୦ ଜଣଙ୍କୁ ସହାୟତା ରାଶି ବଣ୍ଟନ କରାଗଲା। ସେବତୀ ପ୍ରଧାନ, ଫୁଲ ସାହୁ, ଗଣେଶ ମାଝୀ, ଅରୁଣ ଓରାମ,ଶିବାଜୀ ଓରାମ ଙ୍କୁ ଶ୍ରମ କାର୍ଡ ପ୍ରଦାନ କରାଯାଇଥିଲା।
ଆଜିର ଏହି ଏକତା ପଦଯାତ୍ରା ଅବସରରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ପୋଲିସ ବିଭାଗ ବୁଦ୍ଧିଜୀବୀ, ସ୍ୱୟଂ ସହାୟିକା ଗୋଷ୍ଠୀର ମା' ମାନେ, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଓ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ସମେତ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ଵ ବିଭିନ୍ନ ବର୍ଗର ଜନସାଧାରଣ ସାମିଲ ହୋଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ