କେନ୍ଦୁଝର ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ସ୍ତରୀୟ କମିଟି ବୈଠକ ଅନୁଷ୍ଠିତ; ପ୍ରମୁଖ ବିକାଶ ପ୍ରସ୍ତାବ ଅନୁମୋଦିତ
କେନ୍ଦୁଝର, ୨୫ ନଭେମ୍ବର (ହି.ସ.)- କେନ୍ଦୁଝର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ସ୍ତରୀୟ କମିଟି ବୈଠକ ଆଜି ଜିଲ୍ଲାପାଳ ବିଶାଲ ସିଂହଙ୍କ ଅଧ୍ୟକ୍ଷତାରେ ଦରବାର ହଲରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସାଂସଦ କେନ୍ଦୁଝର ଶ୍ରୀ ଅନନ୍ତ ନାୟକ, ଘଷିପୁରା ବିଧାୟକ ଶ୍ରୀ ବଦ୍ରିନାରାୟଣ ପାତ୍ର,
Itda review metting at darbar hall


କେନ୍ଦୁଝର, ୨୫ ନଭେମ୍ବର (ହି.ସ.)- କେନ୍ଦୁଝର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ସ୍ତରୀୟ କମିଟି ବୈଠକ ଆଜି ଜିଲ୍ଲାପାଳ ବିଶାଲ ସିଂହଙ୍କ ଅଧ୍ୟକ୍ଷତାରେ ଦରବାର ହଲରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସାଂସଦ କେନ୍ଦୁଝର ଶ୍ରୀ ଅନନ୍ତ ନାୟକ, ଘଷିପୁରା ବିଧାୟକ ଶ୍ରୀ ବଦ୍ରିନାରାୟଣ ପାତ୍ର, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ତେଲକୋଇ ବିଧାୟକ ଡ଼ା. ଫକୀର ମୋହନ ନାଏକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ କୁମାର ନାଗଭୂଷଣ, ସଦର ବିଧାୟକ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଗୋପୀନାଥ ରାମ ଏହି ବୈଠକରେ ଯୋଗଦେଇ ଆଦିବାସୀ ବିକାଶ ପ୍ରକଳ୍ପର ସମୀକ୍ଷା କରିଥିଲେ ଏବଂ ନୂତନ ପ୍ରସ୍ତାବଗୁଡ଼ିକୁ ଅନୁମୋଦନ କରିଥିଲେ।

ପ୍ରାରମ୍ଭରେ, ପୂର୍ବ ବୈଠକର ବିବରଣୀ ଗୃହ ସମ୍ମୁଖରେ ଉପସ୍ଥାପନ କରାଯାଇ ସର୍ବସମ୍ମତିକ୍ରମେ ଅନୁମୋଦନ କରାଯାଇଥିଲା। ପରେ ୨୦୨୧-୨୨ରୁ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ଅଧୀନରେ ପ୍ରାପ୍ତ ଅନୁଦାନ ଏବଂ ଖର୍ଚ୍ଚ ବିବରଣୀର ସମୀକ୍ଷା କରାଯାଇଥିଲା। ସଦସ୍ୟମାନେ ବିନିଯୋଗ କରାଯାଇଥିବା ଅର୍ଥ ଉପରେ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ଚାଲୁଥିବା ପ୍ରକଳ୍ପଗୁଡ଼ିକର ସମୟାନୁବର୍ତ୍ତୀ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ସମ୍ବିଧାନର ଧାରା ୨୭୫(୧) ଏବଂ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଅଧୀନରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କାର୍ଯ୍ୟ ଯୋଜନାର ରୂପରେଖକୁ ଅନୁମୋଦିତ କରାଯାଥିଲା।

ଯୋଜନା ଅନୁଯାୟୀ, କେନ୍ଦୁଝର ଜିଲ୍ଲାର ଆଦିବାସୀ ବହୁଳ ଅଞ୍ଚଳରେ ଭିତ୍ତିଭୂମି ଏବଂ ଜୀବିକା ବିକାଶ କାର୍ଯ୍ୟ କରିବା ପାଇଁ ସମ୍ବିଧାନର ଧାରା ୨୭୫(୧) ଅନୁଯାୟୀ ୨୨୨୬୬.୫୦ ଲକ୍ଷ ଟଙ୍କା ଏବଂ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଅଧୀନରେ ୮୧୩.୬୭ ଲକ୍ଷ ଟଙ୍କା ଆବଣ୍ଟନ କରାଯିବ। ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟର କଲ୍ୟାଣ ପାଇଁ ମାନ୍ୟବର ସାଂସଦ ଏବଂ ବିଧାୟକମାନଙ୍କ ଦ୍ୱାରା ସୁପାରିଶ କରାଯାଇଥିବା ଅନେକ ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ସେଗୁଡିକକୁ ଅନୁମୋଦନ କରାଯାଇଥିଲା।

ବୈଠକ ଶେଷରେ ସମସ୍ତ ସଦସ୍ୟ ମଞ୍ଜୁର କାର୍ଯ୍ୟଗୁଡ଼ିକୁ ସମୟସୀମା ମଧ୍ୟରେ ସମ୍ପାଦିତ କରାଯିବା ନେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ପୂର୍ବକ କେନ୍ଦୁଝରର ଆଦିବାସୀ ଜନସଂଖ୍ୟାକୁ ସ୍ଥାୟୀ ବିକାଶ ଏବଂ ଲାଭ ପ୍ରଦାନକୁ ସୁନିଶ୍ଚିତ କରିବା ପାଇଁ ଅଧିକାରୀ ମାନଙ୍କୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମକୁ କେନ୍ଦୁଝର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶିବଶଙ୍କର ମିଶ୍ର ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande