
କେନ୍ଦ୍ରାପଡା, ୨୫ ନଭେମ୍ବର (ହି.ସ.)- ମାର୍ଶାଘାଇ ବ୍ଲକର ବିଭିନ୍ନ ଗ୍ରାମଗୁଡିକରେ କୁମ୍ଭାର ସମ୍ପ୍ରଦାୟର ପାରମ୍ପରିକ କୁରାଳପଞ୍ଚମୀ ଉତ୍ସବ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ଏହି ଅବସରରେ ମାର୍ଶାଘାଇ ମୁଖ୍ୟ ବଜାର ନିକଟ କୁମ୍ଭାରସାହିରେ ଧୂମଧାମରେ ପାଳିତ ହେଉଅଛି କୁରାଳପଞ୍ଚମୀ ଉତ୍ସବ। କୁମ୍ଭାର ପରିବାରର ସଦସ୍ୟମାନେ ନୂଆବସ୍ତ୍ର ପରିଧାନ କରି ମାଟିପାତ୍ର ନିର୍ମାଣର ସମସ୍ତ ସରଞ୍ଜାମ ଯଥା ଚକ, ପିଣ୍ଡ,ପିଟଣା, ଗଉଣି, ପାଇଲି, କୋଡ଼ି, କୋଦାଳ, ଦାଆ, ମାଡ଼ିଆ, ଚକ ସୁତା, ମାଟିପାତ୍ର ଭାଟିକୁ ଫୁଲ ଏବଂ ଅରୁଆଚାଉଳ ଆଣରେ ଚିତା ପକାଇ ସଜେଇ ସକାଳୁ ସକାଳୁ ପୂଜା କରିଥିଲେ। ଅପରାହ୍ନରେ ପରମ୍ପରା ଅନୁସାରେ ଏଣ୍ଡୁରି ପିଠା, କ୍ଷୀରି, ତରକାରୀ ଆଦି ପ୍ରସ୍ତୁତ କରାଯାଇ ଭୋଗଲାଗି କରାଯାଇଥିଲା। ଯୁବମୂର୍ତ୍ତିଶିଳ୍ପୀ ଜିତେନ୍ଦ୍ର ବେହେରା, ଭ୍ରମରବର ବେହେରାଙ୍କ ଦ୍ୱାରା ନିର୍ମିତ ହରପାର୍ବତୀଙ୍କ ସୁନ୍ଦର ମୃଣମୟ ମୂର୍ତ୍ତିକୁ ଗ୍ରାମ ମଧ୍ୟସ୍ଥ ଠାକୁରଘର ପୂଜା ମଣ୍ଡପରେ ପୂଜା କରାଯାଉଛି।
କର୍ତ୍ତା ଭାବେ ଉମାକାନ୍ତ ବେହେରା ଦାୟିତ୍ୱ ନିର୍ବାହ କରିଥିବା ବେଳେ ବରିଷ୍ଠ ସଦସ୍ୟ ଦିବାକର ବେହେରା, ହୃଷିକେଶ ବେହେରା, ସୁବାସ ସାହୁ, ହେମନ୍ତ ବେହେରା, ମନୋରଞ୍ଜନ ବେହେରା, ପାର୍ଥସାରଥୀ ବେହେରା, କିରଣ ବେହେରା, କିଶୋର ବେହେରା, କୈଳାସ ବେହେରା, ମନୋରଞ୍ଜନ ପରିଡା, ରଞ୍ଜନ ବେହେରା, ୱାର୍ଡମେମ୍ବର ଚନ୍ଦ୍ରକାନ୍ତ ବେହେରା ପ୍ରମୁଖ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି