
ଅଯୋଧ୍ୟା, ୨୫ ନଭେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଶ୍ରୀରାମ ମନ୍ଦିର ଶିଖରରେ ଧ୍ଵଜାରୋହଣ କରିଛନ୍ତି । ପୂର୍ବରୁ ଧାର୍ଯ୍ୟ ହୋଇଥିବା ଶୁଭ ମୂର୍ହୁତରେ ଏଠାରେ ଶ୍ରୀରାମ ମନ୍ଦିର ଶିଖରରେ ପ୍ରଧାନମନ୍ତ୍ରୀ ମୋଦି ଧ୍ୱଜାରୋହଣ କରିଛନ୍ତି । ଦୀର୍ଘ ଦିନର ପ୍ରତୀକ୍ଷା ପରେ ନିର୍ମାଣ ହୋଇଥିବା ଭବ୍ୟ ରାମମନ୍ଦିରର ଶିଖରରେ ଆଜି ଜୟ ଜୟକାର ସହିତ ଗେରୁଆ ରଙ୍ଗର ଧର୍ମ ଧ୍ଵଜା ସ୍ଥାପନ ହୋଇଛି ।
ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର ସରସଂଘଚାଳକ ମୋହନ ଭାଗବତ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଆରତୀ ପୂଜାରେ ପ୍ରମୁଖ ଭାବରେ ଅଂଶଗ୍ରହଣ କରିଥିଲେ । ଉତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲ, ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଅଯୋଧ୍ୟା ଠାରୁ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ସନ୍ଥ, ମହନ୍ତ ଏବଂ ଅନେକ ରାମ ଭକ୍ତ ଏହି ଐତିହାସିକ ଅବସରର ସାକ୍ଷୀ ଥିଲେ । ଏହା ସହିତ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ସମାପ୍ତ ହୋଇଥିଲା ଏବଂ ଏହି କ୍ଷଣ ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇଥିଲା ।
ଏହା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆରଏସଏସ ମୁଖ୍ୟ ମୋହନ ଭାଗବତ ରାମଜନ୍ମଭୂମି ମନ୍ଦିରରେ ଆନୁଷ୍ଠାନିକ ପୂଜା କରିଥିଲେ । ପ୍ରଧାନମନ୍ତ୍ରୀ ଏକ ରୋଡ୍ ଶୋ ମଧ୍ୟ କରିଥିଲେ । ରୋଡ୍ ଶୋ’ ସମୟରେ, ବହୁ ସଂଖ୍ୟକ ରାମ ଭକ୍ତ ତାଙ୍କୁ ସ୍ୱାଗତ କରିବା ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଠିଆ ହୋଇଥିଲେ । ସେମାନେ ଜାତୀୟ ପତାକା ତ୍ରିରଙ୍ଗା ଏବଂ ସନାତନ ଧର୍ମର ପ୍ରତୀକ ଗୈରିକ ପତାକା ହାତରେ ଧରିଥିଲେ । ରାମ ଭକ୍ତମାନେ ଜୟ ଜୟକାର ଦେଇ ଚାଲିଥିଲେ । ସମଗ୍ର ଅଯୋଧ୍ୟା ରାମଙ୍କ ନାମ ସଂକୀର୍ତନରେ ପ୍ରକମ୍ପିତ ହୋଇ ଉଠିଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ