
କୋରାଇ, ୨୫ ନଭେମ୍ବର(ହି.ସ.) – ପାଣିକୋଇଲି ଛକରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବଢିବାରେ ଲାଗିଛି। ତୃଟିପୂର୍ଣ୍ଣ ଯାତାୟତ ବ୍ୟବସ୍ଥା ଓ ଟ୍ରାଫିକ ନିୟନ୍ତ୍ରଣ ନଥିବାରୁ ଦୈନିକ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଗୋଟିଏ ପଟେ ପରିବହନ ବିଭାଗ ଶୂନ ମୃତ୍ୟୁହାର ସପ୍ତାହ ପାଳନ କରୁଥିବା ବେଳେ ଅନ୍ୟପଟେ ଟ୍ରାଫିକ ସୁଧାର ଦିଗରେ ନିରବତା ଅବଲମ୍ବନ କରଉଛି। ପାଣିକୋଇଲି ଥାନା ଅନ୍ତର୍ଗତ ଜାତୀୟ ରାଜପଥର ୧୬ ଓ ୨୦ ମିଶ୍ରଣସ୍ଥଳୀ ପାଣିକୋଇଲି ବଜାର ମଧ୍ୟଦେଇ ପ୍ରତିଦିନ ହଜାର ହଜାର ଗାଡ଼ି ମଟର ଯିବା ଆସିବା କରୁଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହିତ ଦୁର୍ଘଟଣା ଘଟି ବହୁ ଧନଜୀବନ ଅକାରଣରେ କ୍ଷତିଗ୍ରସ୍ତ ହେଉଛନ୍ତି। ଏ ନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଗତ ଅକ୍ଟୋବର ୨୩ ତାରିଖ ଦିନ ମାନ୍ୟବର ବିଧାୟକ ଆକାଶ ଦାସ ନାୟକ,ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ସମେତ ବିଭିନ୍ନ ପ୍ରଶାସନିକ ଅଧିକାରୀ ପାଣିକୋଇଲି ବଜାର ପରିଦର୍ଶନ କରିବା ସହିତ ଯଥାଶୀଘ୍ର ଜବର ଦଖଲ ଉଚ୍ଚେଦ ପକ୍ରିୟା ଆରମ୍ଭ ହୋଇ ରାସ୍ତା ସମ୍ପ୍ରସାରଣ କରାଯିବ ବୋଲି ଶ୍ରୀ କର ସୁଚନା ଦେଇଥିଲେ। ଏ ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ମାସ ୧୭ ତାରିଖ ଦିନ ଉଭୟ ରାଜପଥର ପଥରପଦା ଓ ଅଳତିରି ମୌଜାର କଡକୁ ରାଜପଥ ସମ୍ପ୍ରସାରଣ ପାଇଁ ମାପ କରାଯାଇ ସରକାରୀ ଜମି ଚିହ୍ନଟ ହେବ ବୋଲି ବ୍ୟାସନଗର ତହସିଲଦାର ସର୍ବସାଧାରଣ ନୋଟିସ କରିଥିଲେ । ତେବେ ଏ ନେଇ ୨ ଦିନ ମାପ ପରେ ଏହା ବନ୍ଦ ରହିଥିଲା । ଆଜି ପୁଣି ତୃତୀୟ ଦିନରେ ମାପ କରାଯାଇ ଜମି ଚିହ୍ନଟ କରାଯାଇଛି । ଆଇନ ଶୃଙ୍ଖଳା ରକ୍ଷା ନିମନ୍ତେ ପାଣିକୋଇଲି ଥାନାଧିକାରୀ ରଂଜିତ ମହାନ୍ତିଙ୍କ ନେତୃତ୍ୱରେ ପୁଲିସ କର୍ମଚାରୀ ମୁତୟନ ଥିଲେ। ଅପରପକ୍ଷେ ମାପଚୁପ ପରେ ବଜାର ଦୋକାନ କରି ଗୁଜୁରାଣ ମେଂଟାଉଥିବା ଉଠା ଦୋକାନି ମାନଙ୍କ ମଧ୍ୟରେ ଆତଙ୍କ ବୃଦ୍ଧି ପାଇଛି । ଜବିକା ହରାଇବାର ଭୟ ଘାରିଛି । ଉଠା ଦୋକାନି ମାନଙ୍କୁ ହଟାଇବା ପୂର୍ବରୁ ସେମାନଙ୍କ ପାଇଁ ସ୍ଥାଛି ବନ୍ଦୋବସ୍ଥ କରାଇବାକୁ ସାଧାରଣରେ ଦାବି ହୋଇଛିା
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି