
ଭଦ୍ରକ, ୨୫ ନଭେମ୍ବର (ହି.ସ.) - ସମ୍ପ୍ରତି ଅନଲାଇନ ପୋର୍ଟାଲରେ ବହୁଭାଷିକ ବ୍ୟବହାର ବ୍ୟବସ୍ଥା ହୋଇଛି। ଓଡ଼ିଆ ଭାଷାକୁ ପ୍ରଶାସନିକ ଭାଷା ଉପଯୋଗୀ କରାଯିବାକୁ ଓଡ଼ିଆ ଶବ୍ଦାବଳୀର କମ୍ପ୍ୟୁଟରୀକରଣ ହୋଇଛି। ସମସ୍ତ ଦଲିଲ୍, ବିଜ୍ଞାପନ, ଫାଇଲ୍, ଆଦେଶନାମା ଓ ବିଚାରାଳୟ କାର୍ଯ୍ୟ ଇତ୍ୟାଦି ଓଡ଼ିଆରେ କରାଯିବାକୁ ସ୍ଥିର କରାଯାଇଛି। ଆଧୁନିକ ଭାରତୀୟ ଭାଷା ଭାବେ ଅନ୍ୟାନ୍ୟ ପ୍ରାନ୍ତୀୟ ଭାଷା ତୁଳନାରେ ଓଡ଼ିଆ ଭାଷା ଆଜି ଉଲ୍ଲେଖନୀୟ ସ୍ୱତନ୍ତ୍ରତା ପ୍ରଦର୍ଶନ କରିଥିବା ବେଳେ ଓ ପ୍ରଶାସନିକ ବ୍ୟବସ୍ଥାରେ ଆମ ଭାଷାର ପ୍ରଚଳନ ପାଇଁ ବହୁବାର ଆନ୍ଦୋଳନ ହୋଇଆସୁଥିବା ବେଳେ କେବଳ ପ୍ରଶାସନିକ ଅଧିକାରୀଙ୍କ ବ୍ୟାପକ ଇଂରାଜୀ ନିର୍ଭରତା ଯୋଗୁଁ ଓଡ଼ିଆ ଭାଷା ଶାସନର ଭାଷା ହେବା କ୍ଷେତ୍ରରେ ବାଧକ ସାଜୁଛି ବୋଲି ଭଦ୍ରକ ମଠପଡ଼ିଆର ଆଜି ଅନୁଷ୍ଠିତ ତ୍ୟାଗଭୂମି ଜିଲ୍ଲା ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାର ଆଲୋଚନାଚକ୍ରରେ ଅତିଥି ଓ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ଭଦ୍ରକ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ଡ. ଅଭୟ କୁମାର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ କଥାଶିଳ୍ପୀ ଅରବିନ୍ଦ ରାୟ ଯୋଗଦେଇ ଭାଷାଭିମାନ ଓ ଜାତ୍ୟାଭିମାନ ଜାଗିଲେ ଆମ ଭାଷା ଶାସନର ଭାଷା ଭାବେ ଗୃହୀତ ହୋଇପାରିବ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ ପବିତ୍ର ପାଣିଗ୍ରାହୀ ଯୋଗଦେଇ 'ଓଡ଼ିଆ ଭାଷା ଓ ଆମ ଶାସନ ବ୍ୟବସ୍ଥା' ଶୀର୍ଷକରେ ଗଭୀର ଚିନ୍ତନ କରିଥିଲେ। ବରେଣ୍ୟ ଅତିଥି ଭାବେ ଭଦ୍ରକ ପୂଜ୍ୟପୂଜା ସଂସଦର ସମ୍ପାଦକ ରୂପକ ବିହାରୀ ରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବିଶିଷ୍ଟ ରାଜନେତା ଦିବଂଗତ କବି ବିଷ୍ଣୁସେଠୀଙ୍କ ନାମରେ ଆଜିର ମଂଚ ହୋଇଥିଲା ସମର୍ପିତ। ଏହି ଅବସରରେ ଆମ ସମୟର ବିଶିଷ୍ଟ କବି ଶତ୍ରୁଜିତ୍ ମିଶ୍ରଙ୍କୁ 'କବି ବିଷ୍ଣୁ ସେଠୀ କବିତା ସମ୍ମାନ'ରେ ସମ୍ମାନିତ କରାଯାଇଥିଲା। ସଦସ୍ୟ ପଦ୍ମନ ରାୟ ମାନପତ୍ର ପାଠ କରିଥିଲେ। ତ୍ୟାଗଭୂମି ସଭାପତି ଅଜୟ ନାୟକ, ସମ୍ପାଦକ ଗଦାଧର ବଳ, ଅଶୋକ ଦ୍ୱିବେଦୀ, ସୁଧାକର ରାଉତ, ସମାଜସେବୀ ସୁରେଶ ମହାନ୍ତି, ବିଷ୍ଣୁ ମହାପାତ୍ର, ଡ. ନିତ୍ୟାନନ୍ଦ ମିଶ୍ର, ଶ୍ରୀହର୍ଷ ସ୍ୱାଇଁ, ଦୁଃଶାସନ ମହାନ୍ତି, ଅଭୟ ପଣ୍ଡା, କୈଳାସ ମହାପାତ୍ର, ବସୁମିତ୍ରା ସାହୁ, ଉପେନ୍ଦ୍ର ବାରିକ୍, ନାରାୟଣ ପାଢ଼ୀ, ଅଧିବକ୍ତା ମନୋରଞ୍ଜନ ଦାସ, ଅଭୟ କୁମାର ପଣ୍ଡା, ଲକ୍ଷ୍ମୀକାନ୍ତ ବାରିକ୍, ମୁକ୍ତିକାନ୍ତ ନାୟକ, ଶଶୀକଳା ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଭଦ୍ରକ ମନମୋହନ ସଙ୍ଗୀତ ପରିଷଦର ଶିଳ୍ପୀମାନେ 'ବନ୍ଦେ ଉତ୍କଳ ଜନନୀ' ପରିବେଷଣ କରିଥିଲେ। ସଦସ୍ୟ ରାମଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଧାମନଗର ନୃତ୍ୟାଙ୍ଗନା ଅନୁଷ୍ଠାନ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ