
ଅଯୋଧ୍ୟା, ୨୫ ନଭେମ୍ବର (ହି.ସ.)- ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ମନ୍ଦିରର ଶିଖରରେ ମଙ୍ଗଳବାର ଧ୍ୱଜାରୋହଣ ହୋଇଛି । ଏହି ସମାରୋହରେ ସାମିଲ୍ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଯଦି ଦେଶକୁ ପ୍ରଗତି କରିବାକୁ ହୁଏ, ତେବେ ଏହାକୁ ଏହାର ଐତିହ୍ୟ ଉପରେ ଗର୍ବ କରିବାକୁ ପଡିବ । ନିଜ ଭିତରେ ରାମଙ୍କ ପ୍ରାଣ-ପ୍ରତିଷ୍ଠା କରିବାକୁ ପଡିବ । ସେ ମନ୍ଦିର ନିର୍ମାଣରେ ଦିଆଯାଇଥିବା ତ୍ୟାଗ ଏବଂ ଅବଦାନକୁ ମଧ୍ୟ ମନେ ପକାଇଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ମନ୍ଦିରର ଶିଖରରେ ପତାକା ଉତୋଳନ କରିବା ପରେ ତାଙ୍କ ଭାଷଣରେ ରାମ, ରାମ ମନ୍ଦିର, ରାମ ରାଜ୍ୟ ଏବଂ ଧ୍ୱଜା ବିଷୟରେ ବିସ୍ତୃତ ଭାବରେ କହିଥିଲେ । ସେ କହିଥିଲେ ଯେ, ଆଜି ଅଯୋଧ୍ୟା ସହର ଏକ ସାଂସ୍କୃତିକ ଜାଗରଣର ସାକ୍ଷୀ ହୋଇଛି । ମନ୍ଦିରରେ ଧ୍ୱଜା ସ୍ଥାପନ ହେବା ସହିତ ସମଗ୍ର ବିଶ୍ୱ ରାମମୟ ହୋଇଛି । ଶତାବ୍ଦୀର କ୍ଷତ ଆଜି ଭରିଛି । ଶତାବ୍ଦୀର ଦୁଃଖର ଆଜି ଅନ୍ତ ଘଟିଛି । ଶତାବ୍ଦୀର ପୁରୁଣା ସଂକଳ୍ପ ଆଜି ସିଦ୍ଧି ଲାଭ କରିଛି । ପାଂଚଶହ ବର୍ଷ ଧରି ଏହି ଅଗ୍ନି ଜଳୁଥିଲା । ସେହି ସଂକଳ୍ପ ଗୋଟିଏ ମୁହୂର୍ତ ପାଇଁ ମଧ୍ୟ ଭାଙ୍ଗିନଥିଲା ।
ପ୍ରଧାନମନ୍ତ୍ରୀ ମୋଦି ରାମ ମନ୍ଦିରର ଶିଖରରେ ସ୍ଥାପିତ ଧ୍ୱଜା ବିଷୟରେ କହିଛନ୍ତି ଯେ, ଏହା କେବଳ ଏକ ଧ୍ୱଜା ନୁହେଁ, ବରଂ ଏହା ଧାର୍ମିକ ଜାଗରଣର ଧ୍ୱଜା । ଧ୍ୱଜାରେ ଚିତ୍ରିତ ଗଛ ରାମ ରାଜ୍ୟର ପ୍ରତୀକ ଅଟେ । ଏହି ଧ୍ୱଜା 'ସତ୍ୟମେବ ଜୟତେ' ବୋଲି ଆହ୍ୱାନ କରିବ । ଅର୍ଥାତ୍ ଧର୍ମର ବିଜୟ ହୋଇଥାଏ, ମିଥ୍ୟାର ନୁହେଁ । ଧର୍ମ ସତ୍ୟରେ ପ୍ରତିଷ୍ଠିତ । ଏହା ଧର୍ମ ଧ୍ୱଜ ସ୍ଥାପିତ କରିବ, ଜୀବନ ହାରିପାରେ କିନ୍ତୁ ପ୍ରତିଶ୍ରୁତି କେବେ ଭାଙ୍ଗିବ ନାହିଁ, ଏହା ସମାଜରେ ଶାନ୍ତି ଏବଂ ସୁଖ ପ୍ରତିଷ୍ଠା କରିବ । ମନେ ପକାଇଦେବ, ସମାଜରେ କେହି ଦୁଃଖୀ ଓ ଦରିଦ୍ର ନହେଉ । ଯେଉଁମାନେ ମନ୍ଦିର ଦର୍ଶନ କରିବାକୁ ଆସିପାରନ୍ତି ନାହିଁ, ଦୂରରୁ ମନ୍ଦିରର ଧ୍ୱଜାକୁ ପ୍ରଣାମ କଲେ ମଧ୍ୟ ସେମାନେ ସେହି ପୁଣ୍ୟ ପାଇଥାନ୍ତି । ଏହି ଧ୍ୱଜା ରାମ ମନ୍ଦିରର ଦର୍ଶନ କରାଇବ ଏବଂ ଯୁଗ-ଯୁଗ ପାଇଁ ସମସ୍ତ ମାନବଜାତିକୁ ରାମ ରାଜ୍ୟ ବାର୍ତା ପ୍ରସାର କରିବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ