

ମାଲକାନଗିରି, ୨୫ ନଭେମ୍ବର (ହି.ସ.)
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ସଦର ମହକୁମାରେ ଆଇଟିସି ମିଶନ ସୁନହରାକାଲ ସହଯୋଗରେ ପରିଚାଳିତ ଆଇଜିଡି ଏନଜିଓ ପକ୍ଷରୁ ଗୋଷ୍ଠୀ ଭିତିକ ଓ ସାମାଜିକ ସଂଗଠନ କର୍ମୀଙ୍କୁ ନେଇ ଏକ କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ବ୍ଲକ ସମ୍ମିଳନୀ କକ୍ଷରେ ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ କରା ଯାଇ ଗ୍ରାମାଞ୍ଚଳରେ ମାତୃ, ଶିଶୁ ସ୍ୱାସ୍ଥ୍ୟ, କିଶୋର ସ୍ଵାସ୍ଥ୍ୟ, କୁପୋଷଣ ଦୁରୀକରଣ, ରକ୍ତହୀନତା ଦୁରୀକରଣ ସହ ସ୍ଵଚ୍ଛତା ବଜାଇ ରଖିବା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଆଇଜିଡି ଏନଜିଓର ରାଜ୍ୟ ମୁଖ୍ୟ ଡଃ ମୁକେଶ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କାଲିମେଳା ବ୍ଲକର ଶ୍ୟାମ ସୁନ୍ଦର୍ ନାୟକ, ଓଡ଼ିଶା ଜିବିକା ମିଶନର ଅଧିକାରୀ ରତନ ଗୋଲଦାର, ସେବା ସଂସ୍ଥାର ସୁରେନ୍ଦ୍ରନାଥ ବାରିକ, ସ୍ରୁଷ୍ଟି ସଂସ୍ଥାର ଶ୍ରୀନିବାସ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ଏନଜିଓ ଗୁଡିକ କିଭଳି ମିଳିତ ଭାବେ ଓ ଜଣେ ଆଉ ଜଣଙ୍କ କିଭଳି ଯୋଡି ହୋଇ ସାମାଜିକ ଉନ୍ନତିରେ ସାମିଲ ହୋଇ ପାରିବେ ସେ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି। ଏଥିସହ ଆଇଜିଡି ସଂସ୍ଥା ପକ୍ଷରୁ ଗ୍ରାମାଞ୍ଚଳରେ କୁପୋଷଣ ଓ ରକ୍ତହୀନତା ଦୂରକରିବା ପାଇଁ କ୍ଷୁଦ୍ର ଶସ୍ୟ କୁ ସମସ୍ତେ ନିଜର ଖାଦ୍ୟରେ ସାମିଲ କରିବାକୁ ଆହ୍ଵାନ ଦିଆଯାଇଛି। ଏହି କାର୍ଯ୍ୟକ୍ରମ ଅବସରରେ ପ୍ରତ୍ୟକ ଘରେ ମୋ ବଗିଚା ତିଆରି କରି ସୁଷମ ଖାଦ୍ୟ ଘରେ ଉତ୍ପାଦନ କରିବା ସହ ଆର୍ଥିକ ଭାବେ ମଧ୍ୟ ସମୃଦ୍ଧି ହୋଇପାରିବା ନେଇ ମତ ପ୍ରକାଶ ପାଇଥିଲା!ସେଥିପାଇଁ ପ୍ରତ୍ୟକ ବ୍ୟକ୍ତିଙ୍କୁ ଅମୃତଭଣ୍ଡା, ଲେମ୍ବୁ, ସଜନା ଚାରା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମ ବେଳେ ପୂଜା ଚକ୍ରବର୍ତ୍ତୀ, ଗୋବିନ୍ଦ ସରଦାର, ଝିଲି ସିଲ, ନୟାମୀ ଖରା ଓ ଅଭୟ ମଣ୍ଡଲ ପ୍ରମୁଖ ସହଯୋଗ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ