
ମାଲକାନଗିରି, ୨୫ ନଭେମ୍ବର (ହି.ସ.)- ରାସ୍ତାରେ ବିକ୍ରି ହେଉଛି ଭଳିକି ଭଳି ପରିବା । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପରିବା ବିକୁଥିବା ବ୍ୟକ୍ତି ଜଣକ ଜଣେ ଯୁବ ଇଞ୍ଜିନିୟର । ଭଲ ରୋଜଗାର କରିବେ ଆଉ ବଡ଼ ଚାକିରିଟିଏ କରିବାର ଆଶା ନେଇ ଇଞ୍ଜିନିୟରିଂ ପଢ଼ିଲେ, ସେ ପୁଣି ବି.ଟେକ୍ ପାଠ । ହେଲେ ମିଳିଲାନି ମନପସନ୍ଦର ଚାକିରି । ତେଣୁ ବାଛିନେଲେ ପରିବା ବେପାର। ମାଲକାନଗିରି ଜିଲ୍ଲାରୁ ଆସିଛି ବେକାରି ସମସ୍ୟାର ବିକଳ ଚିତ୍ର ।
ଚାକିରି ନପାଇ ଉଚ୍ଚ ଶିକ୍ଷିତ ଛାତ୍ର ବିକ୍ରମ ଦେବ ହାଲଦାର ଏବେ ରାସ୍ତା କଡ଼ରେ ବସି ବିକ୍ରି କରୁଛନ୍ତି ପରିବା । ମାଲକାନଗିରି ସହରର ଛାତି ଉପରେ ଜଣେ ଉଚ୍ଚ ଶିକ୍ଷିତ ଛାତ୍ରଙ୍କ ଏପରି ପରିବା ବ୍ୟବସାୟକୁ ନେଇ ଏବେ ସହରରେ ଚର୍ଚ୍ଚା । ବାଲିମେଳା ଛକ କଡ଼ରେ ପରିବା ବିକୁଥିବା ବିକ୍ରମ ୭ ବର୍ଷ ପୂର୍ବେ ବିଟେକ୍ ମେକାନିକାଲ ଡିଗ୍ରୀ ହାସଲ କରିଛନ୍ତି । ଇଞ୍ଜିନିୟରିଂ ପାଠ ସାରିବା ପରେ ଚାକିରି ପାଇଁ ନାନା ସଂଘର୍ଷ କରି ବିଫଳ ହୋଇଥିଲେ । ତେବେ ଜଣେ ଉଚ୍ଚ ଶିକ୍ଷିତ ଯୁବକ ଏମିତି ପରିବା ବିକିବା ଲାଗି ନିଷ୍ପତ୍ତି ନେବା ନେଇ ସ୍ଥାନୀୟ ଲୋକମାନେ ମଧ୍ୟ ତାଙ୍କ ମନୋବଳ ବଢ଼ାଇଛନ୍ତି । ସବୁଠୁ ବଡ଼କଥା ହେଉଛି ପୂର୍ବରୁ ମାଲକାନଗିରିରେ ବି.ଟେକ୍ ଛାତ୍ର ବିରିଆନି ବିକ୍ରି କରିଥିଲେ । ଆଉ ଏସବୁ ପଛରେ ବେକାରି ଏକ ବଡ଼ କାରଣ ବୋଲି କୁହାଯାଉଛି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ