
ଅହମଦାବାଦ, 25 ନଭେମ୍ବର (ହି.ସ.)- ଉତ୍ତର
ପ୍ରଦେଶର ରାମନଗରୀ ଅୟୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିରର 191 ଫୁଟ୍ ଉଚ୍ଚ ପ୍ରଧାନ ଶିଖର
ଉପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ଧ୍ୱଜାରୋହଣ କରାଯାଇଛି। ଏହି ବିଶେଷ
ଧ୍ୱଜ ଗୁଜରାଟର ଅହମଦାବାଦରେ ପ୍ରସ୍ତୁତ କରାଯାଇଛି। ଏହା 10 ଫୁଟ୍ ଉଚ୍ଚ ଏବଂ 20 ଫୁଟ୍ ଲମ୍ବା, ଯାହାକୁ ଶ୍ରୀ ଅମ୍ବିକା ଇଞ୍ଜିନିୟରିଙ୍ଗ୍ ଓର୍କ୍ସ ତିଆରି କରିଛି।
ରାମ ମନ୍ଦିର ଟ୍ରଷ୍ଟ ପୂର୍ବରୁ ହିଁ ଅମ୍ବିକା ଇଞ୍ଜିନିୟରିଙ୍ଗ୍ ଓର୍କ୍ସକୁ ଏହି ଧ୍ୱଜର ଡିଜାଇନ୍
ଦେଇଥିଲା,
ଯାହାର ଆଧାରରେ 10 ଜଣ କାରିଗର 25 ଦିନ ଧରି ଲାଗାତାର କାମ କରି
ଏହାକୁ ପ୍ରସ୍ତୁତ କରିଥିଲେ। ଆଜିର ଏହି ଐତିହାସିକ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରମୁଖ ମୋହନ ଭାଗବତ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସହିତ ଅନେକ
ବିଶିଷ୍ଟ ଅତିଥିମାନେ ଉପସ୍ଥିତ ଥିଲେ।
ତିନି ପରସ୍ତ ବିଶିଷ୍ଟ
ସ୍ୱତନ୍ତ୍ର ମ୍ୟାଟେରିଆଲରେ ପ୍ରସ୍ତୁତ ହୋଇଛି ଏହି ଧ୍ୱଜା
ରାମ ମନ୍ଦିରର ଧ୍ୱଜରେ
ତିନୋଟି ପରତର ବିଶେଷ ମାଟେରିଅଲ୍ ବ୍ୟବହାର କରାଯାଇଛି। ଏହାର ଦୁଇପଟେ ଭଗବାନ ରାମଙ୍କ ସହ
ସଂପୃକ୍ତ ପବିତ୍ର ପ୍ରତୀକ — କଳ୍ପବୃକ୍ଷ, ସୂର୍ଯ୍ୟନାରାୟଣ
ଏବଂ “ଓଁ” — ଅଙ୍କିତ ଅଛି। ଏହି ସମସ୍ତ ଡିଜାଇନ୍ ରାମ ମନ୍ଦିର ଟ୍ରଷ୍ଟ ଦ୍ୱାରା ଦିଆଯାଇଥିବା ପ୍ୟାଟର୍ନ
ଅନୁଯାୟୀ ତିଆରି କରାଯାଇଛି। ଗର୍ବର ବିଷୟ ହେଉଛି ଯେ ଏହି ଧ୍ୱଜ ତିଆରି କରିଥିବା ପରିବାରକୁ
ମଧ୍ୟ ରାମ ମନ୍ଦିରରେ ଯଜ୍ଞର ଯଜମାନ ଭାବରେ ସମ୍ମାନ ଦିଆଯାଇଥିଲା ଏବଂ ହବନରେ ବିଶେଷ ସ୍ଥାନ
ମିଳିଥିଲା।
5100 କିଲୋର ଧ୍ଵଜ-ଦଣ୍ଡ
ମଧ୍ୟ ଅହମଦାବାଦରେ ତିଆରି
ଶ୍ରୀ ଅମ୍ବିକା
ଇଞ୍ଜିନିୟରିଂକୁ କେବଳ ଧ୍ୱଜ ନୁହେଁ, ମନ୍ଦିରର
ଅନେକ ଅନ୍ୟ କାମର ଦାୟିତ୍ୱ ମଧ୍ୟ ମିଳିଥିଲା। ସେମାନଙ୍କ ଦ୍ୱାରା ପ୍ରସ୍ତୁତ ବିଶାଳ ଧ୍ୱଜ-ଦଣ୍ଡ 42
ଫୁଟ୍ ଲମ୍ବା ଏବଂ 5100 କିଲୋ ଓଜନର। ଏହାକୁ ମଧ୍ୟ ଅହମଦାବାଦରୁ ଅୟୋଧ୍ୟା ପଠାଯାଇଥିଲା। ଏହା ସହିତ
ମନ୍ଦିର ପାଇଁ ଦାନପେଟି, ହାଣ୍ଡି ଭଣ୍ଡାର, ଆଭୂଷଣ
ରଖିବା ପାଇଁ ପିତଳର ସିନ୍ଦୁକ, ଦ୍ୱାରର ସାମଗ୍ରୀ, ମନ୍ଦିରର କଡ଼ା ଇତ୍ୟାଦି ମଧ୍ୟ ଏହି ସଂସ୍ଥା ଦ୍ୱାରା ତିଆରି କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା