
ଧର୍ମଶାଳା, ୨୫ ନଭେମ୍ବର (ହି.ସ.)- ଲୌହ ମାନବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ବର୍ଷ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହେଉଛି । ଏହି ଅବସରରେ ଆଜି ଯାଜପୁର ଜିଲା ଧର୍ମଶାଳା ବ୍ଲକରେ ଧୂମଧାମରେ ପାଳିତ ହୋଇଯାଇଛି ଏହି ଜନ୍ମ ଜୟନ୍ତୀ ଉତ୍ସବ । ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକତା ପଦଯାତ୍ରା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଶହଶହ ସଂଖ୍ୟାରେ ବିଭିନ୍ନ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ,ଯୁବ ସଂଗଠକ,ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତାମାନେ ସାମିଲ ହୋଇଥିଲେ । ଧର୍ମଶାଳା ବ୍ଲକ ନାକପୋଲ ଲକ୍ ଛକଠାରୁ ଏକ ପଦଯାତ୍ରା ବାହାରି ଜାରକା, ଶାନ୍ତି ବଜାର,ଅଚ୍ୟୁତପୁର ଦେଇ ଶେଷରେ କାଏମା ହାଇସ୍କୁଲ ଖେଳ ପଡିଆରେ ଏକ ସଭାରେ ସାମିଲ ହୋଇଥିଲେ । ଏହି ପଦଯାତ୍ରାରେ ଯାଜପୁର ସାଂସଦ ଡ. ରବିନ୍ଦ୍ର ନାରାୟଣ ବେହେରା, ଧର୍ମଶାଳା ବିଧାୟକ ହିମାଶୁଂ ଶେଖର ସାହୁ,ଜିଲାପାଳ ଅମ୍ବର କୁମାର କର,ଧର୍ମଶାଳା ତହସିଲଦାର, ବିଡିଓ, ପିଡି, ଧର୍ମଶାଳା ବ୍ଲକ ଅଧ୍ୟକ୍ଷା, ଉପାଧକ୍ଷାଙ୍କ ସମେତ ବହୁ ପଦାଧିକାରୀ ସାମିଲ ହୋଇଥିଲେ । ଏହି ସଭାରେ ଧର୍ମଶାଳାରେ ଆମେ ଏକ ହୋଇ ରହିବା, ଏହି ଏକତା ରାଜ୍ୟକୁ ଦେଶରେ ଏକ ନମ୍ବର ରାଜ୍ୟରେ ପରିଣତ କରିବାକୁ ବିଧାୟକ ଶ୍ରୀ ସାହୁ କହିଥିଲେ । ଏହି ଅବସରରେ କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ