


ମାଲକାନଗିରି, ୭ ନଭେମ୍ବର (ହି.ସ.)- ଆଜି ଜିଲ୍ଲାରେ ବନ୍ଦେ ମାତରମ୍ର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଇଛି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବରଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୦ଟାରେ ସାମୁହିକ ବନ୍ଦେ ମାତରମ୍ ସଙ୍ଗୀତ ଗାନ କରାଯାଇଛି। ବନ୍ଦେ ମାତରମ୍ କେବଳ ଗୀତ ନୁହେଁ, ଏହା ରାଷ୍ଟ୍ରପ୍ରେମ, ତ୍ୟାଗ ଓ ରାଷ୍ଟ୍ର ପ୍ରତି ସମର୍ପଣ ଭାବର ପ୍ରତୀକ। ଆଜି ଆମେ ସମସ୍ତେ ସାରା ଭାରତର ଲୋକ, କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ, ବନ୍ଦେ ମାତରମ୍କୁ ସାମୁହିକ ଭାବେ ଗାନ କରିବାର ପ୍ରଭାବ ଖୁବ୍ ସୁଦୂରପ୍ରସାରୀ ହୋଇପାରିଛି । ବିଶେଷ କରି ଛୋଟ ଛୋଟ ପିଲା, ଛାତ୍ର ଓ ଯୁବକ ମାନଙ୍କ ଉପରେ ଏହାର ଖୁବ୍ ପ୍ରଭାବ ରହିବ। ଆଗାମୀ ଦିନରେ ଏହା ରାଷ୍ଟ୍ରବାଦକୁ ଏକ ନୂଆ ସଂଜ୍ଞା ଦେବାରେ ସଫଳ ହେବ ବୋଲି ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଶବର ଏହି ଅବସରରେ ମତ ପ୍ରକାଶ କରିଛନ୍ତି।
ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଲାଇଭ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ ହୋଇଥିବା ବନ୍ଦେ ମାତରମ୍ କାର୍ଯ୍ୟକ୍ରମର ପ୍ରସାରଣ କରାଯାଇଥିଲା । ସେହିପରି ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟ ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ସମସ୍ତ ପୋଲିସ୍ କର୍ମଚାରୀଙ୍କ ଉପସ୍ଥିତିରେ ସାମୁହିକ ବନ୍ଦେ ମାତରମ୍ ସଙ୍ଗୀତ ଗାନ କରାଯାଇଛି। ଏହି ସଂଗୀତ ବିଭିନ୍ନ ବର୍ଗର, ବିଭିନ୍ନ ଜାତିର ଏବଂ ବିଭିନ୍ନ ଧର୍ମର ଲୋକ ମାନଙ୍କୁ ଏକତ୍ରିତ କରାଇ ନିଜ ଭିତରେ ଏକ ଦେଶାତ୍ମକ ବୋଧ ଭାବନାକୁ ଉଦ୍ରେକ କରିବା ପାଇଁ ଉଦ୍ଦିଷ୍ଟ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଦାସ କହିଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ, ଆଜିର ଯୁବ ସମାଜଙ୍କ ମନରେ ଏହି ଭାବନା ଆସ୍ତେ ଆସ୍ତେ ଦୂରେଇ ଯାଉଛି । ଏହି ବନ୍ଦେ ମାତରଂ ଜାତୀୟ ବୋଧ ସଙ୍ଗୀତ ଗାନ କରିବା ଦ୍ୱାରା ଯେଉଁ ଲୋମହର୍ଷଣକାରୀ ପଦ ଏଥିରେ ବ୍ୟବହାର ହୋଇଛି, ପ୍ରକୃତରେ ତାହା ସେମାନଙ୍କ ମନରେ ଲୁପ୍ତ ପାଇ ଯାଉଥିବା ଜାତୀୟତା ଭାବକୁ ନିଶ୍ଚିତ ଭାବେ ଉଦ୍ରେକ କରିବ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ସମସ୍ତ କର୍ମଚାରି ଓ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ସମସ୍ତ ପୋଲିସ୍ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ