
ଭୁବନେଶ୍ୱର, ୭ ନଭେମ୍ବର (ହି.ସ)- ଏମ୍ସ ଭୁବନେଶ୍ୱର ଆଜି ଭାରତର ଜାତୀୟ ସଙ୍ଗୀତ ବନ୍ଦେ ମାତରମ୍ର ୧୫୦ ବର୍ଷ ପୂର୍ତ୍ତୀ ପାଳନ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଐତିହାସିକ ଅବସରକୁ ପାଳନ କରିବା ପାଇଁ ପ୍ରତିଷ୍ଠାନ ପରିସରରେ ସାମୂହିକ ବନ୍ଦେ ମାତରମ୍ ଗାନ କରାଯାଇଥିଲା। ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଗାନରେ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଏବଂ କର୍ମଚାରୀ ସାମିଲ ହୋଇଥିଲେ। ଦେଶପ୍ରେମର ଅପୂର୍ବ ଭାବରେ ସମ୍ପୂର୍ଣ୍ଣ ପରିବେଶ ସ୍ପନ୍ଦିତ ହୋଇଥିଲା।
ଏହି ଅବସରରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଭାରତୀୟମାନଙ୍କ ମଧ୍ୟରେ ଦେଶପ୍ରେମ ଏବଂ ଏକତାର ମନ୍ତ୍ରକୁ ଅଭିମନ୍ତ୍ରିତ କରୁଥିବା ଏକ ଚମତ୍କାର କୃତି ସୃଷ୍ଟି କରିଥିବାରୁ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହା କେବଳ ଏକ ଗୀତ ନୁହେଁ ବରଂ ଆମ ସମସ୍ତଙ୍କୁ ଏକତ୍ର ବାନ୍ଧିରଖିବା ଏକ ଅନନ୍ୟ ରଜ୍ଜୁ, ବୋଲି ଡକ୍ଟର ବିଶ୍ୱାସ ମତ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଏମ୍ସ ଭୁବନେଶ୍ୱର ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡିଡିଏ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଭିଜିତ ସରକାର, କୁଳସଚିବ ଡ. ସୁଦୀପ୍ତ ରଞ୍ଜନ ସିଂହ, ଏସ୍ଇ ଆର. ଟପ୍ପୋ, ରାଜ କୁମାର ଶର୍ମା, ଦିବ୍ୟ ରଞ୍ଜନ ପଟ୍ଟନାୟକଙ୍କ ସମେତ ଅନ୍ୟମାନେ ଏହି ଉତ୍ସବରେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା