

ସୁବର୍ଣ୍ଣପୁର, ୭ ନଭେମ୍ବର (ହି.ସ.)- ସୁବର୍ଣ୍ଣପୁରରେ ନୂତନ ଜିଲ୍ଲାପାଳ ଭାବରେ ଡଃ. ନୃପରାଜ ସାହୁ ଯୋଗ ଦେବା ପରେ ଆସ୍ତେ ଆସ୍ତେ ଚଳଚଞ୍ଚଳ ହୋଇ ଉଠୁଛି ସମସ୍ତ ସରକାରୀ କାର୍ଯ୍ୟାଳୟ । ଜିଲ୍ଲାପାଳ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗସ୍ତ କରି ଠିକ୍ ଢଙ୍ଗରେ କାର୍ଯ୍ୟ ହେଉ ନଥିବାରୁ ଅସନ୍ତୋଷ ପ୍ରକାଶ କରିବା ସହ କିଛି କର୍ମଚାରୀଙ୍କୁ ନିଲମ୍ବିତ କରିଥିବାର ନଜିର ରହିଛି । ସେହିପରି ଆଜି ବିନିକା ତହସିଲ କାର୍ଯ୍ୟାଳୟ ପରିଦର୍ଶନ ବେଳେ କାର୍ଯ୍ୟରେ ଅବହେଳା ପାଇଁ କାର୍ଯ୍ୟରତ କନିଷ୍ଠ ସହାୟକ କୃଷ୍ଣଚନ୍ଦ୍ର ପଣ୍ଡାଙ୍କୁ ନିଲମ୍ବନ କରିଛନ୍ତି । କନିଷ୍ଠ ସହାୟକ ଶ୍ରୀ ପଣ୍ଡା କାର୍ଯ୍ୟରେ ଅବହେଳା ସହ ସୂଚନା ଅଧିକାର ଆଇନ ସମ୍ପର୍କିତ ରେଜିଷ୍ଟର ପରିଚାଳନା କରି ନଥିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ପ୍ରକାଶ ଯେ, ଆଜି ଜିଲ୍ଲାପାଳ ହଠାତ୍ ସହସିଲ କାର୍ଯ୍ୟାଳୟରେ ପହଞ୍ଚି ସମସ୍ତ ବିଭାଗ ଗୁଡ଼ିକୁ ବୁଲି ଦେଖିଥିଲେ । ପରିସ୍ରାଗାର ନ ଥିବାରୁ ଆସୁଥିବା ମହିଳା ଓ ପୁରୁଷ ମାନେ ବାହାରେ ପରିସ୍ରା କରୁଥିବାରୁ ଓ ସମସ୍ତ ବିଭାଗ ଅପରିଷ୍କାର ଥିବାରୁ ଜିଲ୍ଲାପାଳ କର୍ମଚାରୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସହ ତାଗିଦ୍ କରିଥିଲେ । ପରେ କନିଷ୍ଠ ସହାୟକ ଶ୍ରୀ ପଣ୍ଡାଙ୍କୁ ତାଙ୍କ କାର୍ଯ୍ୟ ବିଷୟରେ ପଚାରିବା ସହ ଆରଟିଆଇର ରେଜିଷ୍ଟର ଦେଖାଇବାକୁ କହିଥିବା ବେଳେ ସେ କିନ୍ତୁ ଦେଖାଇ ପାରି ନଥିଲେ । ଫଳରେ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିଥିଲେ । ସେଠାରେ ଉପସ୍ଥିତ ଥିବା ଆଇନଜୀବୀ ସୁଧାଂଶୁ ଶେଖର ଦାଶ ରେକର୍ଡ ଗୃହରେ ସାର୍ଟିଫାଏ କପି ଦେବାରେ ବହୁ ବିଳମ୍ବ ହେଉଥିବା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିବା ବେଳେ ଜିଲ୍ଲାପାଳ କର୍ମଚାରୀଙ୍କୁ ସାର୍ଟିଫାଏ କପି ଶୀଘ୍ର ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଜିଲ୍ଲାପାଳ ବିଭିନ୍ନ ସମୟରେ ସରକାରୀ କାର୍ଯ୍ୟାଳୟ ଗୁଡ଼ିକୁ ଅଚାନକ ପରିଦର୍ଶନ କରୁଥିବାରୁ କର୍ମଚାରୀମାନଙ୍କ ଭିତରେ ଛନକା ପଶିଥିବା ବେଳେ ବୁଦ୍ଧିଜିବୀ ମହଲରେ ଏହାକୁ ସ୍ବାଗତ କରାଯାଇଛି l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ