
ଜୟପୁର, ୭ ନଭେମ୍ବର (ହି.ସ.)- ଆଜି ଜୟପୁର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୫ ଶୁଭମ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଅଛି ।୨୨ ଟି ଗ୍ରାମ ପଞ୍ଚାୟତରୁ ସମୁଦାୟ ୪୪୦ ଜଣ ଚାଷୀ ଭାଇ ଓ ଭଉଣୀ ଏଥିରେ ଯୋଗଦାନ କରିଥିଲେ। ସେମାନଙ୍କୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ବିଭିନ୍ନ ଯୋଜନା ସମ୍ବନ୍ଧରେ ସୂଚନା ପୁସ୍ତିକା ପ୍ରଦାନ କରାଯାଇଥିଲା। ଅନୁଷ୍ଠାନ ଆରମ୍ଭରେ ଉପଜିଲ୍ଲାପାଳ ସୁଶ୍ରୀ ଆକାଭରମ ଶସ୍ୟା ରେଡ୍ଡୀଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ଓ ଗୋମାତା ପୂଜନ ଓ ପ୍ରଦର୍ଶନୀ ଷ୍ଟଲ ଉଦ୍ଘାଟନ କରାଯାଇଥିଲା। ଏଥିସହିତ ମୁଖ୍ୟ ବକ୍ତା ଭାବେ ପ୍ରାଣୀ ସମ୍ପଦ ବିଭାଗର ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଲକ୍ଷ୍ମୀଧର ବେହେରା, ଉପଜିଲ୍ଲାପାଳ ମିସ ସୁଶ୍ରୀ ଆକାଭରମ୍ ଶାଶା ରେଡ୍ଡୀ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ତିଳୋତ୍ତମା ମୁଦୁଲି , ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ତପତି ପଟ୍ଟନାୟକ, ଜିଲ୍ଲା ମତ୍ସ୍ୟ ଅଧିକାରୀ, ସାଂସଦ ପ୍ରତିନିଧି ଶ୍ରୀ କୃଷ୍ଣଚନ୍ଦ୍ର ନେପାକ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଉପଖଣ୍ଡ ପ୍ରାଣୀଚିକିତ୍ସା ଅଧିକାରୀ ଡ଼ା. ବିଶ୍ୱଜିତ୍ ରାୟ, ଗୋଷ୍ଠି ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ସୁନୀଲ କୁମାର ନାୟକ ଓ ମତ୍ସ୍ୟ ଅଧିକାରୀ ଶ୍ରୀମତୀ ସୋନାଲି ମହାପାତ୍ର ଯୋଗଦେଇ ଲୋକ ମାନଙ୍କୁ ସରକାରଙ୍କ ଦ୍ଵାରା ପ୍ରଚଳିତ ବିଭିନ୍ନ ଯୋଜନା ଏବଂ ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଅତିଥିମାନେ ଏହି ମେଳାରେ କୃଷକମାନଙ୍କୁ ବୈଜ୍ଞାନିକ ପ୍ରଣାଳୀରେ ମତ୍ସ୍ୟ ଓ ପ୍ରାଣୀପାଳନ କରି ଆତ୍ମନିର୍ଭଶୀଳ ହେବାକୁ ଉତ୍ସାହିତ କରିଥିଲେ।
ଏହି ଅବସରରେ ୮ ଜଣ ସଫଳ କୃଷକ ଉଦ୍ୟୋଗୀମାନଙ୍କୁ ସମ୍ମାନିତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ୪ ଜଣ ମତ୍ସ୍ୟ ଚାଷୀ ଓ ୪ ଜଣ ପ୍ରାଣିପାଳକଙ୍କୁ ୧,୦୦୦ ଟଙ୍କାର ଚେକ୍, ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ବୈଷୟିକ ଅଧିବେଶନରେ ବିଭିନ୍ନ ଯୋଜନା ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥି ସହ ଚାଷୀ ମାନେ କିଭଳି ବିଭିନ୍ନ ଯୋଜନା ସମ୍ପର୍କରେ ଜାଣିବେ ଓ ଏହାକୁ ଆବେଦନ କରିବେ, ଗୋ ସୁଗମରେ ଅନଲାଇନ୍ ରେ ବିଭିନ୍ନ ଯୋଜନାରେ ଆବେଦନ କରିବେ ସେ ସମ୍ପର୍କରେ ମଧ୍ୟ ବୁଝାଗଲା। ସଭା ଶେଷରେ ସହକାରୀ ମତ୍ସ୍ୟ ଅଧିକାରୀ ମହାଶୟା ଧନ୍ୟବାଦ୍ ଅର୍ପଣ କରିବା ସହିତ ସଭା ସାଙ୍ଗ ହେଇଥିଲା।
ଏହା ପରେ ବୀଣାପାଣି ଗ୍ରୁପ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା। ଏହି ମେଳାରେ ଅତିରିକ୍ତ ଜିଲ୍ଲା ପ୍ରାଣୀ ରୋଗ ନିୟନ୍ତ୍ରଣ ଅଧିକାରୀ ଡ଼ା. ପରୀକ୍ଷିତ କୁଣ୍ଡୁ, ବୋରିଗୁମ୍ମା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା. ପ୍ରଭାତ କୁମାର ଜେନା ଯୋଗଦେଇଥିଲେ ତଥା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା. ସୌଭାଗ୍ୟ ମୁଦୁଲି ମଞ୍ଚ ପରିଚାଳନା କରି ମେଳାକୁ ସାଫଲ୍ୟ ମଣ୍ଡିତ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି