କାର୍ତିକ ମାସର ସରିନଥିଲେ ମଧ୍ୟ ଛାଡଖାଇରେ ମାଛ ମାଂସ ମାର୍କେଟ୍‌ରେ ଖଚାଖଚ୍ ଭିଡ
ଭଦ୍ରକ, ୭ ନଭେମ୍ବର (ହି.ସ.) - କାର୍ତିକ ପୂର୍ଣ୍ଣମୀ ପରଦିନ ଛାଡଖାଇ ପାଳନ କରାଯାଇଥାଏ। ବର୍ଷର ସବୁଠୁ ଶ୍ରେଷ୍ଠ ଧର୍ମମାସ କାର୍ତିକରେ ଆମିଷ ଛାଡିଥିବା ପରିବାର ବର୍ଗ ଆଗ୍ରହ ସହ ଏହି ଛାଡଖାଇକୁ ଅପେକ୍ଷା କରିଥାନ୍ତି। ଏହିପରି ମାଛ, କୁକୁଡା, ଛେଳି ଚାଷୀମାନେ ଛାଡଖାଇରେ ବର୍ଷକର ବେପାରକୁ ଚାହିଁ ବସିଥା
MACHA MANSA DOKAN RE KHACHAKHAC BHIDA


ଭଦ୍ରକ, ୭ ନଭେମ୍ବର (ହି.ସ.) - କାର୍ତିକ ପୂର୍ଣ୍ଣମୀ ପରଦିନ ଛାଡଖାଇ ପାଳନ କରାଯାଇଥାଏ। ବର୍ଷର ସବୁଠୁ ଶ୍ରେଷ୍ଠ ଧର୍ମମାସ କାର୍ତିକରେ ଆମିଷ ଛାଡିଥିବା ପରିବାର ବର୍ଗ ଆଗ୍ରହ ସହ ଏହି ଛାଡଖାଇକୁ ଅପେକ୍ଷା କରିଥାନ୍ତି। ଏହିପରି ମାଛ, କୁକୁଡା, ଛେଳି ଚାଷୀମାନେ ଛାଡଖାଇରେ ବର୍ଷକର ବେପାରକୁ ଚାହିଁ ବସିଥାନ୍ତି। ତେବେ ଚଳିତବର୍ଷ ଛାଡଖାଇ ଗୁରୁବାର ପଡିବାରୁ ଆଜି ଶୁକ୍ରବାର ଆମିଷ ବାସନାରେ ଅପେକ୍ଷାରେ ଥିବା ପରିବାର ବର୍ଗଙ୍କ ମନ ବେଶ ଖୁସି। ଆମିଷ ବଜାର ଗୁଡିକରେ କାର୍ତିକ ପୂର୍ଣ୍ଣମୀର ମନ୍ଦିର ପରିବେଶ ଭଳି ଭିଡ ଦେଖିବାକୁ ମିଳିଛି। ଲୋକଙ୍କ ଲମ୍ବା ଧାଡି ଆଜି ଦେଖିବାକୁ ମିଳିଥିଲା ସହରର ସବୁ ଆମିଷ ମାର୍କେଟ୍‌ରେ। ପୂର୍ଣ୍ଣମୀରେ ନାମ ସଂକୀର୍ତନ କରି ଆଧ୍ୟାତ୍ମିକ ଚେତନାରେ ବୁଡି ଯାଇଥିବା ମଣିଷ ଆମିଷ ହାଟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାର ଦେଖିବାକୁ ମିଳିଥିଲା। ଅପରପକ୍ଷରେ ମାସ ସାରା ହାତ ବାନ୍ଧି ବସିଥିବା ମାଛ ମାଂସ ବ୍ୟବସାୟୀମାନେ ଏହି ପ୍ରତିଦ୍ୱନ୍ଦ୍ୱିତାର ସୁଯୋଗ ନେଇ ବେଶ୍ ଲାଭ ଉଠାଇଛନ୍ତି। ସକାଳୁ ସକାଳୁ ମାଛ ହାଟରେ ଚାଲିଥିଲା ମୂଲଚାଲ। ସେହିପରି ମାଂସ ଦୋକାନରେ ଚାଲିଥିଲା ପଶୁପକ୍ଷୀଙ୍କ ହତ୍ୟା। ସବୁଘରେ ଆଜି ଆମିଷ ବାସନାର ମହକ। ଏହାବ୍ୟତୀତ ହୋଟେଲ, ଢାବା ଗୁଡିକରେ ଛାଡଖାଇ ପାଇଁ ବିଭିନ୍ନ ପ୍ରକାର ଆମିଷ ଖାଦ୍ୟର ପ୍ରସ୍ତୁତି କରାଯାଇଛି। ସହରର ସବୁଠୁ ନାମୀଦାମୀ ହୋଟେଲ “ଆଂଚଲ” ର ମାଲିକ ପୁପୁନା ବାବୁ କହନ୍ତି କାର୍ତିକ ମାସରେ ନନଭେଜ୍ ଆଇଟମର ଏତେ ଚାହିଦା ନଥିଲା, ଆଜି ଛାଡଖାଇ ପାଇଁ ବେପାର ଖୁବ୍ ଭଲ ଅଛି। ଏଥିପାଇଁ ହୋଟେଲରେ ଗତକାଲି ଠାରୁ ନୂଆ ନୂଆ ଦେଶୀ ବିଦେଶୀ ଚାଇନିଜ୍ ନନଭେଜ୍ ଆଇଟମ୍ ଆଦି ପ୍ରସ୍ତୁତ କରାଯାଇଥିଲା। ମାଛ, ଛେଳି, କୁକୁଡା ଚାଷୀମାନେ ଏହି ଛାଡଖାଇକୁ ଦୃଷ୍ଟିରେ ରଖି ଉତ୍ପାଦନକୁ ବଢାଇ ବ୍ୟବସାୟିକ ସଫଳତା ହାସଲ କରିଥିବା କଥା କୁହନ୍ତି ଗେଲପୁର ଗ୍ରାମର ମାଛ ଚାଷୀ ସ୍ନେହାଶିଷ ନାୟକ (କୁଲୁ)। ଅନ୍ୟପକ୍ଷରେ ମାଛ ବ୍ୟବସାୟୀ ଛାଡଖାଇ ପାଇଁ ଧାମରା, ଚୂଡାମଣି, ହଦଗଡ, ପାରାଦ୍ୱୀପ, କଲିକତା, ଆନ୍ଧ୍ରରୁ ଇଲିସି, କଂକଡା, ଚିଙ୍ଗୁଡି, ରୋହି, ଭାକୁଡ, ଭେକ୍ଟି ସହ ବିଭିନ୍ନ ପ୍ରକାରର ଦେଶୀ ମାଛ ଆଣିବା ପାଇଁ ୪/୫ଦିନ ପୂର୍ବରୁ ବ୍ୟବସ୍ଥା କରିଥାନ୍ତି। ସେହିପରି ମାଂସ ବ୍ୟବସାୟୀ ସେକ୍ ବାବୁଙ୍କ କହିବା ଅନୁଯାୟୀ ବାରିପଦା, କେନ୍ଦୁଝର, କଲିକତା ଓ ଅନ୍ୟାନ୍ୟ ଜିଲାରୁ ଛାଡଖାଇ ପାଇଁ ୭/୮ ଦିନ ପୂର୍ବରୁ ଛେଳି ସଂଗ୍ରହ କାର୍ଯ୍ୟ ଜାରି ରଖିଥାନ୍ତି। ବର୍ଷକର ବଜେଟ୍ ବ୍ୟବସ୍ଥା ଭଳି ମାଛ ମାଂସ ବ୍ୟବସାୟୀମାନେ ଏହି ଛାଡଖାଇକୁ ଅନାଇ ରହିଥାନ୍ତି। ଭଦ୍ରକ ସହରରେ ଥିବା ଆରଏମ୍‌ସି, ଚରମ୍ପା, କଲେଜ ରୋଡ୍‌, ଆରଡି ଛକ, ରାନ୍ଦିଆ ଆଦି ବିଭିନ୍ନ ଅଂଚଳରେ ମାଛ ମାଂସ ମାର୍କେଟ୍‌ରେ ଭିଡ ଦେଖିବାକୁ ମିଳିଥିଲା। କାର୍ତିକ ଥିଲା ପୂଣ୍ୟ ମାସ। ପୂଣ୍ୟ ଅର୍ଜନ ଆଶାରେ ସମସ୍ତେ ବ୍ରତ ପାଳନ କରିଥାନ୍ତି। ବିଧବା ମହିଳାମାନେ ହବିଷ କରି ପାଳିଥାନ୍ତି କାର୍ତିକ। ହିନ୍ଦୁ ଧର୍ମର ପରମ୍ପରା ଅନୁଯାୟୀ ରାଧାକ୍ରିଷ୍ଣ, ରାଇ ଦାମୋଦର, ଜଗନ୍ନାଥ ମନ୍ଦିର ମାନଙ୍କରେ ଭଜନ କୀର୍ତନ କରାଯାଏ। ଶେଷ ୫ ଦିନ ପଂଚୁକରେ ସ୍ୱତନ୍ତ୍ର ଧରଣର ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ। ମାସକ ଯାକର ସମସ୍ତ ପୂଣ୍ୟ ଯେମିତି କାର୍ତିକ ପୂର୍ଣ୍ଣମୀରେ ଲୋକେ ଡଙ୍ଗାରେ ଭସାଇ ଦେଇଥାନ୍ତି ନଦୀ, ପୋଖରୀ ଓ ସମୁଦ୍ରରେ। ଆମିଷ ପାଇଁ ଛାଡଖାଇ ଦିନ ସବୁ ଧର୍ମ କଥା ଲୋକେ ଭୁଲିଯାଆନ୍ତି ବୋଲି କୁହନ୍ତି ସଂସ୍କୃତ ପ୍ରାଧ୍ୟାପକ ନିତ୍ୟାନନ୍ଦ ମିଶ୍ର। ସେହିପରି ଭଦ୍ରକର ବିଶିଷ୍ଟ ବେଦ ଗବେଷକ ତଥା ଆର୍ଯ୍ୟ ସମାଜର ଆଚାର୍ଯ୍ୟ ବୀରେନ୍ଦ୍ର ପଣ୍ଡା କୁହନ୍ତି ଧର୍ମକୁ ନିଜ ସୁବିଧା ଅନୁସାରେ ବ୍ୟବହାର ନକରି ତାହାକୁ ନିଜ ଜୀବନର ନିତ୍ୟକର୍ମ ରୂପେ ପାଳନ କଲେ ମଣିଷ ଈଶ୍ୱରୀୟ ଆନନ୍ଦ ପାଏ। ଯଦି ଗୋଟିଏ ମାସରେ ଭଲ କାମ କରି ଅନ୍ୟ ଦିନରେ ବିପରୀତ କାମ କଲେ, କାହା ମହଣେ ହାଲୁଆରେ ବିନ୍ଦୁଏ ବିଷ ପରି ସବୁ ପୂଣ୍ୟକୁ ବିନାଶ କରେ। ଧର୍ମକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସୀମିତ ନରଖି ସବୁଦିନେ ପାଳନ କରିବା ଉଚିତ୍ ବୋଲି ଶ୍ରୀ ପଣ୍ଡା କହନ୍ତି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande