
ଭଦ୍ରକ, ୭ ନଭେମ୍ବର (ହି.ସ.) - ଭଦ୍ରକ ଜିଲ୍ଲାର ଅଗ୍ରଣୀ ସେବା ଅନୁଷ୍ଠାନ ପ୍ରଦେଶ ସେବା ସଙ୍ଗଠନ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବୋଇତ ବନ୍ଦାଣ ଉତ୍ସବ ମହାଆଡ଼ମ୍ବରରେ ପାଳନ କରିଛି। ତିହିଡ଼ି ବ୍ଲକ ପୀରହାଟ କାନପୁର ହନୁମାନ ମନ୍ଦିର ନିକଟରେ ଥିବା ପୋଖରୀରେ ସୁସଜ୍ଜିତ ବୋଇତ ବନ୍ଦାଣ କରାଯାଇ ଭସାଯାଇଥିଲା। ଚଳିତବର୍ଷ ବୋଇତରେ ପ୍ରଭୁ ଜଗନ୍ନାଥଙ୍କ କଳ୍କୀ ଅବତାର କରାଯାଇଥିବାବେଳେ ସଙ୍ଗଠନର ପିଲାମାନଙ୍କ ଦ୍ୱାରା ଏକ ସଚେତନଧର୍ମୀ ନାଟକ ‘ଜୀବନ ଖୋଜୁଛି ଜୀଇଁବା ରାହା’ ପରିବେଷଣ କରାଯାଇଥିଲା। ସଙ୍ଗଠନର ସଭାପତି ରଞ୍ଜନ ମିଶ୍ରଙ୍କ ରଚିତ ଓ ସମ୍ପାଦିକା ସୁଭଦ୍ରା ଭାରତୀଙ୍କ ବଳିଷ୍ଠ ନିର୍ଦ୍ଦେଶନା ଉକ୍ତ ନାଟକରେ ବିଧବା ବିବାହ ପ୍ରଥା, ଅବହେଳିତ ବୃଦ୍ଧା ବାପା-ମାଆ, ରକ୍ତ ଅଭାବ, ବୃକ୍ଷରୋପଣ, ଅସହାୟଙ୍କୁ ସାହାଯ୍ୟ ଇତ୍ୟାଦି ଅନେକ ବିଷୟବସ୍ତୁ ଉପରେ ସଚେତନ କରିବା ସହିତ କଳାକାରମାନେ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ନାଟକର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ରୂପେ ‘ଜଗା ଚାକର ସଂଘ’ ପୁରୀର ସଂପାଦକ ସନ୍ତୋଷ ମିଶ୍ର, ସମ୍ମାନିତ ଅତିଥି ଭାବେ ‘ସାଇ କେଆର ଟ୍ରଷ୍ଟ’ର ନିର୍ଦ୍ଦେଶକ କ୍ଷୀରୋଦ ଚନ୍ଦ୍ର ଦାଶ, ଭଦ୍ରକର ପୂର୍ବତନ କାଉନସିଲର ପ୍ରଦୀପ ବାରିକ ଓ ସୁପ୍ରଭା ମିଶ୍ର ପ୍ରମୁଖ ଯୋଗଦେଇ ସାମ୍ପ୍ରତିକ ସମାଜରେ ଏମିତି ଏକ ସଚେତନଧର୍ମୀ ନାଟକର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ନାଟକରେ ପୁରୁଷ ଚରିତ୍ରରେ ଆର୍ତବଲ୍ଲଭ ବାରିକ, ଗୌତମ ମିଶ୍ର, ଅଞ୍ଜନ ରଣା, ଧିରେନ୍ଦ୍ର ବାରିକ, କମଳାକାନ୍ତ ବାରିକ, ଗଣେଶ ପାଢ଼ୀ, ସଞ୍ଜୟ ବୀର, ନିପୁ ବାରିକ ଓ ନାରୀ ଚରିତ୍ରରେ ଶୁଭସ୍ମିତା ପାଣିଗ୍ରାହୀ, ସାଇକ୍ରୀଷ୍ଣା ବେହେରା ଓ ମିଲି ନାୟକ ପ୍ରମୁଖ ଚମତ୍କାର ଅଭିନୟ କରିଥିଲେ। ସ୍ଥାନୀୟ ଅଂଚଳର ହଜାର ହଜାର ଦର୍ଶକ ନାଟକଟିକୁ ଉପଭୋଗ କରିଥିଲେ। ସଂଗଠନର ଏହି ନିଆରା ପ୍ରୟାସକୁ ବୁଦ୍ଧୀଜୀବୀମାନେ ପ୍ରଶଂସା କରିଥିଲେ। ଆଗାମୀ ଦିନରେ ହେବାକୁ ଥିବା ସରକାରଙ୍କ ସଚେତନତା କାର୍ଯ୍ୟକ୍ରମରେ ଏହି ନାଟକଟିକୁ ଅନ୍ତର୍ଭୁକ୍ତ କରାଗଲେ ଜିଲ୍ଲା ତଥା ଜିଲ୍ଲା ବାହାରେ ସାମାଜିକ ସଚେତନତା ସୃଷ୍ଟି ହୋଇପାରିବ ବୋଲି ନାଟ୍ୟ ପରିଚାଳକ ତଥା ଉପଦେଷ୍ଟା ସମୀର ଓଝା ଦୃଢ଼ତାର ସହ କହିଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ