
ରାଉରକେଲା, ୭ ନଭେମ୍ବର (ହି.ସ.)- ରାଉରକେଲା ମହାନଗର ନିଗମ ହେବାକୁ ଏହା ଭିତରେ ଅନେକ ବର୍ଷ ବିତିଗଲା, ଏହାର କେର୍ପାରେଟ ନିର୍ବାଚନ ତ ହୋଇପାରିଲାନି, ହେଲେ ଲୋକଙ୍କୁ ଯେଉଁ ମୌଳିକ ସେବା ଆରଏମସି ଦେବା କଥା ସେଥିରେ ଅନେକ ଖିଲାପ ଚାଲିଛି, ଏଠି କହିବାକୁ କେହି ନଥିବା ବେଳେ ଯଦି କେହି କହୁଛି ତାକୁ ଶୁଣାଯାଉନି, କାରଣ ଏଠି ଚାଲିଛି ଆଇଏଏସ ଶାସନ। ପୂର୍ବ ସରକାରରେ ଯେମିତି ଆଇଏଏସ ଶାସନ ଚାଲିଥିଲା ଏବେ ବି ସେଇଆ ଚାଲିଛି କେବଳ ନାମ ପରିବର୍ତନ ହୋଇଛି ବିଜେପି ସରକାର, ଏଭଳି ସ୍ଥିତି ଲାଗି ଏକ ବଡ ଉଦାହରଣ ହେଲା ରାଉରକେଲା ମହାନଗର ନିଗମ ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର କୌଣସି ନିୟମକୁ ମାନୁ ନାହିଁ ଓ ପରିବେଶକୁ ବିପଦ ମୁଖକୁ ଠେଲି ଦେବା ସହ ବର୍ଷକୁ ଆସୁଥିବା କୋଟି କୋଟି ଟଙ୍କାକୁ ଦୁଇ ହାତରେ ଚଳୁ କରିଦିଆଯାଉଛି । ପରିବେଶ ସୁରକ୍ଷା ଲାଗି ସଲିଡ ୱେଷ୍ଟ ଓ ଲିକୁଇଡ ୱେଷ୍ଟ ପରିଚାଳନା ଲାଗି ଆଜି ଯାଏ ଆରଏମସି ଅନୁମତି ସାର୍ଟିଫିକେଟ ଟିଏ ମଧ୍ୟ ନେଇ ନଥିବା ବିଷୟ ଆଇନକୁ କିଭଳି ଗୋଇଠା ମାଡ ମାରୁଛି ଏ ସଂସ୍ଥା ତାହା ସହଜରେ ଅନୁମାନ କରାଯାଇପାରେ । ପରିବେଶ ସୁରକ୍ଷା ନେଇ ବୋର୍ଡ ପକ୍ଷରୁ ବାରମ୍ବାର ନୋଟିସ ଚିଠି ଦିଆଜିବା ସତ୍ୱେ ମଧ୍ୟ ଏଠି ଆରଏମସି କମିଶନର ମାନେ ଏହାକୁ ଭୃକ୍ଷେପ ନକରି କିଛି ଦିନ କାମ କରି ଚାଲିଯାଉଛନ୍ତି କିଛି ଶୁଣୁ ନାହାନ୍ତି, କାରଣ ଏଠି କାମ କରୁଛି ଆଇଏଏସ ଲବି । ଯେହେତୁ ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ଚେୟାରମ୍ୟାନ ହେଲେ ରାଜ୍ୟ ମୁଖ୍ୟ ଶାସନ ସଚିବ, ସେ ଜଣେ ଆଇଏଏସ ତେଣୁ ପୁରୁଣା ଆଇଏଏସ ଲବି ଅନୁସାରେ ଏହି ବିଭାଗର ଅତିଗୁରୁତ୍ୱପୂର୍ଣ ଚିଠିକୁ ଏହି ସଂସ୍ଥା ଡଷ୍ଟବିନରେ ଫୋପାଡି ଦେଉଛି । ନିୟମ ଅନୁଶାରେ ମହାନଗର ନିଗମ ଅଁଚଳରେ ଡଷ୍ଟ (ଧୂଳିକଣା )ଫ୍ରି ଲାଗି ବ୍ୟବସ୍ଥା କରାଯିବା କଥା, ଏଥିଲାଗି ଏକ ଜଳ ସିଂଚନ ଓ ଧୂଳିକଣା ଉଠା ଗାଡି ମାଧ୍ୟମରେ ସହରର ରାସ୍ତା ଗୁଡିକୁ ସଫା କରାଜିବା କଥା ଫଳରେ ସହରର ରାସ୍ତା ଗୁଡିକ ପରିବେଶ ଦୃଷ୍ଟି କୋଣରୁ ସୁରକ୍ଷିତ ରହିବ, ଯାହା କଟକ ଭୁବନେଶ୍ୱରରେ ନିୟମିତ କରାଯାଉଛି କିନ୍ତୁ ରାଉରକେଲାରେ କେବେ ହେଲେ କରାଯାଉନାହିଁ । ଏହା ପରେ ଆସନ୍ତୁ ରାସ୍ତା ମରାମତି ଓ ନିର୍ମାଣ କଥାକୁ, ଏହାକୁ ମଧ୍ୟ ସଠିକ ଭାବେ କରାଯାଉନାହିିଁ, ରାଉରକେଲା ମୁଖ୍ୟ ବଜାର କୁହନ୍ତୁ କିମ୍ବା ଆଖ ପାଖ ଛେଣ୍ଡ ହେଉ ଅବା ବାସନ୍ତି କିମ୍ବା ସିଭିଲ ଟାଉନ, ଏସବୁ ଅଁଚଳର ଭିତର ରାସ୍ତା ଗୁଡିକ ମରଣ ଯନ୍ତା ହୋଇ ସବୁବେଳେ ରହୁଛି ଓ ପ୍ରବଳ ଧୂଳି ଧୁସ ଉଡୁଛି ।ରାଉରକେଲାର ଟ୍ରକ ପାର୍କିଂକୁ ଏଭଳି ଜାଗାରେ କରାଯାଇଛି ଯେ ସେଠାରେ ମଇଳା ଅବସ୍ଥାରେ ଆସୁଥିବା ଟ୍ରକ ଗୁଡିକ ଲାଗି ସେ ଅଁଚଳର ଏୟାର କ୍ୱାଲିଟି ଅତି କଦର୍ଯ୍ୟ ବୋଲି ଏସପିସି ବୋର୍ଡ ର ରିପୋର୍ଟରୁ ଜଣାପଡିଛି । ବୃକ୍ଷ ରୋପଣ ଏକ ପ୍ରକାର ମିଥ୍ୟା ବିଲ ଭିତରେ ସିମିତ ହୋଇ ରହିଛି, ଲାଗିଥିବା ଗଛ ଗୁଡିକ ପାଣି ଅଭାବରୁ ମରିଯାଉଛି । ସହରରେ ନୂଆ ଘର ତିଆରି ଲାଗି ଭଙ୍ଗା ଯାଉଥିବା ପୁରୁଣା ଘର ଗୁଡିକର ଭଗ୍ନାବିଶେଷ ଗୁଡିକୁ ଏଣେତେଣେ ଫୋପଡା ଚାଲିଛି ଯାହାକି ପରିବେଶ ଲାଗି ଆଉ ଏକ ସମସ୍ୟା ସୃଷ୍ଟି କରୁଛି । ଏଭଳି କାର୍ଯ୍ୟ ସଂପାଦନ ଲାଗି ଭାରତ ସରକାର ଆରଏମସି ରାଉରକେଲାକୁ ବାର୍ଷିକ ୫ କୋଟିରୁ ୧୬ କୋଟି ଯାଏଁ ସହାୟତା ଯୋଗାଇ ଦେଉଛନ୍ତି କିନ୍ତୁ କାମ ଶୁନ । ଏଠି ବାବୁ ବାବୁଆଣି ମାନଙ୍କ ଅଫିସ ରୁମ ଭିତର ବାହାର ଚିକ୍କଣ, ଗାଡି ପିଅନ ସଂଖ୍ୟା ଅନେକ, ଘର ରୋଷେୟା ଠାରୁ ମାଳିଯାଏ କର୍ମଚାରୀ ଦରମା ନେଇ ଏମାନଙ୍କୁ ସେବା ଦେଉଛନ୍ତି କିନ୍ତୁ ମଣିଷ ଲାଗି ସହର ଲାଗି ଆବଶ୍ୟକ ହେଉଥିବା ପରିବେଶ ସୁରକ୍ଷା ଦିଗଟି ବିଗ୍ ଜିରୋ ଅବସ୍ଥାରେ ରହିଛି ।
ଏବେ ଆସନ୍ତୁ ଦେଖିବା ପ୍ଲାଷ୍ଟିକ ବ୍ୟବହାର ଓ ଏହାର ନିରାକରଣ କଥା । ସହରର ପରିବା ବଜାରକୁ ଯାଆନ୍ତୁ କିମ୍ବା ଲୁଗା ଦୋକାନ, ରାସନ ଦୋକନ, ମାଛ ଦୋକନ କିମ୍ବା ମିଠା ଦୋକାନ । ସବୁ ଯାଗାରେ ପ୍ଲାଷ୍ଟିକ ହାଉଯାଉ । ପ୍ରତିଦିନ ଘରୁ ଉଠାଉଥିବା ମଇଳା ଗାଡି ଗୁଡିକରେ କେତେ ପ୍ଲାଷ୍ଟିକ ଯାଉଛି ସେଥିରୁ ତାର ପ୍ରମାଣ ମିଳୁଛି । ଦିନ ଥିଲା ପ୍ଲାଷ୍ଟିକ ବ୍ୟବହାର ନକରିବା ଲାଗି ଅଧିକାରୀ ମାନେ ଅନେକ ଗୀତ ଗାଇଲେ ପରେ ଏଠାରୁ ପ୍ରମୋସନ ପାଇ ଚାଲିଗଲେ, ପ୍ଲାଷ୍ଟିକ କାରଖାନା ପୁଣି ଚାଲିଲା ବଜାରରେ ଏବେ ହାଉଯାଉ ହେଉଛି ପ୍ଲାଷ୍ଟିକ । କାଗଜ ଠୁଙ୍ଗା କିମ୍ବା କପଡା କ୍ୟାରି ବ୍ୟାଗ ଆଉ ଦେଖିବାକୁ ମିଳୁନି ସବୁ ଯାଗାରେ ପ୍ଲାଷ୍ଟିକ । ଏଭଳି ସ୍ଥିତି ପରିବେଶକୁ ନଷ୍ଟ କରିବା ସହ ନାନା ପ୍ରକାର କୁପ୍ରଭାବ ପରିବେଶ ଉପରେ ପକାଉଛି । ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଆରଏମସିକୁ ବାରମ୍ବାର ନୋଟିସ ପଠାଜିବା ପରେ ବି କେହି କିଛି ଶୁଣୁ ନଥିବା ଖବର ମିଳିଛି । ରାଜ୍ୟ ମୁଖ୍ୟମନ୍ତ୍ରୀ ଏ ଦିଗରେ ଦୃଷ୍ଟି ଦେବା ସହ ରାଉରକେଲାରେ ଏସପିସି ବୋର୍ଡ ଦେଉଥିବା ପରାମର୍ଶ କିଭଳି କାର୍ଯ୍ୟକାରୀ ହେବ ସେ ନେଇ ପଦକ୍ଷେପ ନେବାକୁ ଦାବି ହେଉଛି ।
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ