
ଭଦ୍ରକ, ୭ ନଭେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ବାରୋ ପଂଚାୟତ ଅଧିନ ଚବିଶପଡ଼ା ଗ୍ରାମରେ ହରିଜାଗରଣ ସମିତି ଆୟୋଜନରେ ‘ହରିଜାଗରଣ ମେଳା’ ଅନୁଷ୍ଠିତ ହୋଇଯାଇଛି। ପଣ୍ଡିତ ମାନସ ରଞ୍ଜନ ପଣ୍ଡାଙ୍କ ତତ୍ୱାବଧାନରେ ପୂଜାକାର୍ଯ୍ୟ ସମାପନ ହୋଇଥିଲା। ଜାଗରଣ ସମିତିର ଅଧ୍ୟକ୍ଷ ନରହରି ନାୟକ ଓ ତାଙ୍କ ପତ୍ନୀ ରେଣୁକା ନାୟକ କର୍ତା ଭାବେ କାର୍ଯ୍ୟ ତୁଲାଇଥିଲେ। ଏହି ହରିଜାଗରଣ ପୂଜାରେ ଅଶ୍ୱତ୍ଥ ସହିତ ବଟ, ଧାତ୍ରୀ, ତୁଳସୀ, ପଳାସ ବୃକ୍ଷକୁ ପୂଜା କରାଯାଇଥିଲା। ଏହି ପୂଜାରେ କୌଣସି ଦେବାଦେବୀଙ୍କର ମୂର୍ତି ନଥିଲା। ଏଥିସହିତ ଆଲକ୍ଷ୍ମୀ ଦେବୀଙ୍କୁ ପୂଜା କରାଯାଇଥିଲା। ଲକ୍ଷ୍ମୀ ଦେବୀଙ୍କ ବଡ଼ଭଉଣୀ ଅଲକ୍ଷ୍ମୀଙ୍କ ପୂଜା ଦେଖିବା ପାଇଁ ବହୁ ଜନସମାଗମ ହୋଇଥିଲା। ପଳାସ ଗଛକୁ ବ୍ରହ୍ମା ରୂପେ, ଅଶ୍ୱତ୍ଥ ଗଛକୁ ବିଷ୍ଣୁ ଭାବେ, ବଟ ବୃକ୍ଷକୁ ଶିବଙ୍କ ଭାବରେ ପୂଜା କରାଯାଇଥିଲା। ପାଶ୍ୱର୍ରେ ତୁଳସୀ ଓ ଧାତ୍ରୀ ବୃକ୍ଷଙ୍କୁ ପୂଜା କରାଯାଇଥିଲା। ହରିଙ୍କ ପୂଜା ଯଥା ରୀତିନୀତି ଅନୁସାରେ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଶ୍ରୀହରିଙ୍କ ମଣ୍ଡପକୁ ଚିତ୍ରରେ ସୁସଜ୍ଜିତ କରାଯାଇଥିଲା। ଏହି ଅବସରରେ ଭଜନ, କୀର୍ତନ, ପତାକା ଉତୋଳନ, ମହାମନ୍ତ୍ର ଇତ୍ୟାଦି କାର୍ଯ୍ୟକ୍ରମ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଧ୍ରୁବଚରଣ ରାୟମହାପାତ୍ର, ଚନ୍ଦ୍ରମଣି ନାୟକ, ବିଶ୍ୱନାଥ ନାୟକ, ସର୍ବେଶ୍ୱର ମୁଦୁଲି, ଅଜୟ ନାୟକ, ବଂଶୀଧର ରାଉତ, ଭିକାରୀ ନାୟକ, ହେମଲତା ନାୟକ, କାହ୍ନୁଚରଣ ଦାସ, ପୂର୍ଣ୍ଣଚନ୍ଦ୍ର ବଳ, କୃପାସିନ୍ଧୁ ନାୟକ, ଭାସ୍କର ମହାପାତ୍ର, ହେନାଲତା ନାୟକ, ସୁଜାତା ନାୟକ, ସବିତା ନାୟକ, ସ୍ୱର୍ଣ୍ଣଲତା ନାୟକ ପ୍ରମୁଖଙ୍କ ସମେତ ପଂଚାୟତର ବିଭିନ୍ନ ୱାର୍ଡ଼ରୁ ଶତାଧିକ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ