
ନୂଆପଡା/ଭୁବନେଶ୍ୱର, ୦୭ ନଭେମ୍ବର (ହି.ସ)- ଚଳିତ ମାସ ୧୧ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ନୂଆପଡା ବିଧାନସଭାମଣ୍ଡଳୀ ଉପନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶା ଜ଼ିଲ୍ଲା ପ୍ରଶାସନ ଓ ଅବକାରୀ ବିଭାଗକୁ ଅବକାରୀ ସାମଗ୍ରୀର ତଲାସୀ ପ୍ରକ୍ରିୟାକୁ ଜୋରଦାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଦର୍ଶ ଆଚରଣ ବିଧି ଲାଗୁ ହେବା ଦିନରୁ ଆଜି ପର୍ଯ୍ୟନ୍ତ ସ୍ଥାନୀୟ ଅବକାରୀ ବିଭାଗ ୮୬ ଲିଟର ବିଅ,ର୍ ୪୨ ଲିଟର ବିଦେଶୀ ମଦ, ୬୯୬୩ ଲିଟର ହାତ ରନ୍ଧା ମଦ, ୧୫୧୨ ଲିଟର ବାହାର ଭାଟି ମଦ, ୬୦ କିଲୋଗ୍ରାମ ଗଞ୍ଜେଇ ଏବଂ ୧,୭୧, ୩୦୦ କିଲୋଗ୍ରାମ ମହୁଲ ପୋଚ ଜବତ କରିଛନ୍ତି। ଏସବୁର ଆନୁମାନିକ ମୂଲ୍ୟ ୧ କୋଟି ୨୦ ଲକ୍ଷ ୦୩ ହଜାର ୭୫୬ ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଏହା ସହିତ ୮ ଗୋଟି ବାଇକ୍ ଏବଂ ଏକ ଚାରିଚକିଆ ଯାନ ମଧ୍ୟ ଅବକାରୀ ବିଭାଗ ଜବତ କରିଛି। ବର୍ତ୍ତମାନ ସୁଦ୍ଧା ୨୪୨ ଟି ଅବକାରୀ କେଶ୍ ରୁଜ୍ଜୁ ହୋଇଥିଲା ବେଳେ ୧୩୪ ଜଣଙ୍କୁ ଗିରଫ କରାଯାଇଥିବା ନୂଆପଡାର ଅବକାରୀ ଅଧିକ୍ଷକ ପ୍ରକାଶ କରିଛନ୍ତି। ନିର୍ବାଚନ ସମୟରେ ବେଆଇନ୍ ଅବକାରୀ ସାମଗ୍ରୀ ଚାଲାଣକୁ ସମ୍ପୂର୍ଣ୍ଣ ପ୍ରତିହିତ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲାପାଳ ପ୍ରଶାସନ ଓ ଅବକାରୀ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା