
କେନ୍ଦୁଝର, ୯ ନଭେମ୍ବର (ହି.ସ.)- ରବିବାର ଅପରାହ୍ନରେ ରାଜ୍ୟର ଅଗ୍ରଣୀ ସାରସ୍ବତ ପ୍ରତିଷ୍ଠାନ ମିଳନୀ ସାହିତ୍ୟ ସଂସଦ ପକ୍ଷରୁ କେନ୍ଦୁଝରୀ ସାହିତ୍ୟ ଆସର ଅନୁଷ୍ଠାନ ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀଙ୍କ ସଭାପତିତ୍ବ ରେ ମିଳନୀ ଭବନ ରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଅତିଥି ମାନେ କେନ୍ଦୁଝର ରାଷ୍ଟ୍ରଦେବତା ଶ୍ରୀ ବଳଦେବଜୀଉ ଓ ରାଷ୍ଟ୍ରମାତା ମାଆ ତାରିଣୀ ଙ୍କ ପ୍ରତିକୃତି ନିକଟରେ ଧୂପ ପ୍ରଜ୍ବଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ । ସମ୍ପାଦକ ଡକ୍ଟର୍ ଚିତ୍ତରଞ୍ଜନ ମିଶ୍ର କେନ୍ଦୁଝରର ସାରସ୍ବତ ଅସ୍ମିତା ସଂପର୍କରେ ଆଲୋକପାତ କରିଥିଲେ ।
ପ୍ରାବନ୍ଧିକ ହରିହର ମହାନ୍ତି ମୁଖ୍ୟବକ୍ତା ଭାବରେ ଯୋଗଦେଇ କେନ୍ଦୁଝରର ଆଦିକବି ଭୁସୁକୁପାଦଙ୍କ ସୃଜନ ଜୀବନ ସମ୍ପର୍କରେ ପୁଂଖାନୁପୁଂଖ ଆଲୋଚନା କରି ତାଙ୍କର ସାରସ୍ବତ ଉତ୍କର୍ଷ ପ୍ରତିପାଦନ କରିଥିଲେ। କବି ଦେବାଶିଷ ଚକ୍ରବର୍ତ୍ତୀ ସଭାପତୀୟ ଅଭିଭାଷଣ ରେ କେନ୍ଦୁଝରୀ ବାସ୍ମୟ ର ଉତ୍କର୍ଷ ପ୍ରତିପାଦନ କରିବା ସହିତ ସୃଜନଶିଳ୍ପୀଙ୍କୁ ମାଟିମନସ୍କ ହେବା ପାଇଁ ଆହ୍ବାନ ଦେଇଥିଲେ।
କବୟିତ୍ରୀ ଲିପିକା ଦାସ ପଟ୍ଟନାୟକଙ୍କ ସଂଯୋଜନାରେ ଚିନ୍ତାମଣି ମହାଳିକ, ଉମାକାନୁ ବେହେରା, ବିରଞ୍ଚି ନାରାୟଣ ସାମନ୍ତରାୟ, ଗୀତାରାଣୀ ଦାଶ, ଇନ୍ଦୁମତି ପାତ୍ର, ବୀଣାପାଣି ଜେନା, ବିଜୟଲକ୍ଷ୍ମୀ ମହାନ୍ତି, ରନ୍ମଞ୍ଜରୀ ରାଉତ, ଡକ୍ଟର୍ ସୁମନ୍ତ୍ର ନାଏକ, ମାୟାଧର ନାୟକ, ଜିତେନ୍ଦ୍ର ପରିଡ଼ା, ମନରଞ୍ଜନ ମହାନ୍ତି, ବସନ୍ନ କୁମାର ରାଉତ, ରାମଚନ୍ଦ୍ର ସାହୁ ପ୍ରମୁଖ ବହୁ କବି କବିତା ଆବୃତ୍ତି କରିଥିଲେ। ବରିଷ୍ଠ ସଦସ୍ୟ ବିରଞ୍ଚି ନାରାୟଣ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA