
ସମ୍ବଲପୁର, ୦୯ ନଭେମ୍ବର (ହି.ସ.) ଓଡିଆ ସାହିତ୍ୟ ଜଗତରେ ସ୍ୱର୍ଗତ ଡକ୍ଟର ହାଡିବନ୍ଧୁ ମିର୍ଦ୍ଧା ଏକ ସ୍ପର୍ଦ୍ଧିତ ଉଚ୍ଚାରଣ । ସ୍ୱାଧୀନ ଚିନ୍ତା, ସମ୍ବେଦନଶୀଳତା ଓ ସମର୍ପଣ ଭାବକୁ ନେଇ ସ୍ୱର୍ଗତ ମିର୍ଦ୍ଧାଙ୍କ ସାରସ୍ୱତ ସୃଷ୍ଟି ସରସ, ସୁନ୍ଦର ଓ ଲୋକାଭିମୁଖୀ ହୋଇଛି ବୋଲି ସାହିତ୍ୟିକ ତଥା ବିଶିଷ୍ଟ ବାଗ୍ମୀ ଡାକ୍ତର କୃଷ୍ଣକେଶବ ଷଡ଼ଙ୍ଗୀ କହିଛନ୍ତି ।
ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ମହାପାତ୍ରଙ୍କ ପୌରୋହିତ୍ୟରେ ଏଠାରେ ଆୟୋଜିତ ଡକ୍ଟର ହାଡ଼ିବନ୍ଧୁ ମିର୍ଦ୍ଧା ଗ୍ରନ୍ଥାବଳୀର ସମୀକ୍ଷା ସଭାରେ ଯୋଗଦେଇ ଡାକ୍ତର ଷଡ଼ଙ୍ଗୀ କହିଥିଲେ ଯେ, ଜୀବନର ପ୍ରତ୍ୟେକ ସ୍ତରରେ ବିଭିନ୍ନ ବାଧାବିଘ୍ନକୁ ଅତିକ୍ରମ କରି ନିଜ ବ୍ୟକ୍ତିତ୍ୱର ଔଜ୍ଜଲ୍ୟକୁ ପ୍ରକାଶ କରିବାରେ ଡକ୍ଟର ମିର୍ଦ୍ଧାଥିଲେ ସାଲିସ୍ବିହୀନ ସାରସ୍ୱତ ସାଧକ । ‘ଅରୁଣାଲୋକ’ ଠାରୁ ‘ଫଗୁଣର ସଂଳାପ’ ପର୍ଯ୍ୟନ୍ତ ଡକ୍ଟର ମିର୍ଦ୍ଧାଙ୍କର କବିତାଗୁଡିକ ଏକାଧାରରେ ଶବ୍ଦ, ଅର୍ଥ ଓ ଭାବରେ ରସସିକ୍ତ ହୋଇଛନ୍ତି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଆଦିତ୍ୟ ପ୍ରସାଦ ପାଢ଼ୀ ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଡକ୍ଟର ମିର୍ଦ୍ଧାଙ୍କ ସାରସ୍ୱତ ଜୀବନ ଆଜିର ସମାଜ ପାଇଁ ଆଦର୍ଶ ହେବା ସହ ତାଙ୍କ ସୁପୁତ୍ର ଡାକ୍ତର ବିଜୟ ରଞ୍ଜନ ମିର୍ଦ୍ଧାଙ୍କ ଏତାଦୃଶ୍ୟ ପିତୃସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ କାର୍ଯ୍ୟକ୍ରମ ସମସ୍ତଙ୍କ ନିମନ୍ତେ ଅତ୍ୟନ୍ତ ଶିକ୍ଷଣୀୟ ଓ ଅନୁସରଣୀୟ ବୋଲି କହିଥିଲେ ।
ବର୍ଷୀୟାନ ଶିକ୍ଷାବିତ୍ ଅରବିନ୍ଦ ମହାପାତ୍ର ମଧ୍ୟ ଡକ୍ଟର ମିର୍ଦ୍ଧାଙ୍କ ସାହିତ୍ୟ କୃତି ଓ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ । ବିଶିଷ୍ଟ ସଂସ୍କୃତି ଗବେଷକ ଡ. ଶ୍ୟାମ ସୁନ୍ଦର ଧର ଓ ବିଶିଷ୍ଟ କବି ସୌଭାଗ୍ୟବନ୍ତ ମହାରଣା ଡକ୍ଟର ହାଡ଼ିବନ୍ଧୁ ମିର୍ଦ୍ଧାଙ୍କ ରଚନାବଳୀର ଦୀପ୍ତି ଓ ବ୍ୟାପ୍ତି ସମ୍ପର୍କରେ ଆଲୋଚନା କରିଥିଲେ । ସଭା ପ୍ରାରମ୍ଭରେ ଡକ୍ଟର ମିର୍ଦ୍ଧାଙ୍କ ସୁପୁତ୍ର ତଥା ନୂଆଦିଲ୍ଳୀର ଏମ୍ସ୍ ର ଡା. ବିଜୟ ରଞ୍ଜନ ମିର୍ଦ୍ଧା ସ୍ୱାଗତ ଭାଷଣ ଦେଇଥିବା ବେଳେ ଜ୍ୟେଷ୍ଠା କନ୍ୟା ଅନୁରାଗିଣୀ ମିର୍ଦ୍ଧା ଧନ୍ୟବାଦ ଅର୍ପଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ