
୩୫ଜଣ ବରିଷ୍ଠ ସାମ୍ବାଦିକଙ୍କୁ ପେନ୍ସନ ଓ ୮ଜଣଙ୍କୁ ସ୍ମାରକୀ ସମ୍ମାନ ପ୍ରଦାନ କରାଯିବ
ଭୁବନେଶ୍ୱର, , 9 ନଭେମ୍ବର (ହି.ସ.)ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ ପକ୍ଷରୁ ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଜଳିତ ମାସ ୧୬ ତାରିଖ ରବିବାର ଅପରାହ୍ନ ୩ ଘଟିକାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ‘ଜାତୀୟ ପ୍ରେସ୍ ଦିବସ-୨୦୨୫’ ପାଳନ କରାଯିବ। ଏହି ଅବସରରେ ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ଦୈନିକ ସମ୍ବାଦପତ୍ର ‘ସମାଜ’ର ପୂର୍ବତନ ସମ୍ପାଦକ ପ୍ରମୋଦ କୁମାର ମହାପାତ୍ରଙ୍କୁ ‘ଉତ୍କଳ ସାମ୍ବାଦିକ ରତ୍ନ ସମ୍ମାନ-୨୦୨୫’ ପ୍ରଦାନ କରାଯିବ। ଏଥିସହିତ ରାଜ୍ୟର ୩୫ଜଣ ବରିଷ୍ଠ ସାମ୍ବାଦିକଙ୍କୁ ପେନସନ ପ୍ରଦାନ କରାଯିବ ଏବଂ ୮ଜଣ ବରିଷ୍ଠ ସାମ୍ବାଦିକଙ୍କ ସ୍ମୃତି ଉଦ୍ଦେଶ୍ୟରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟର ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସ୍ମାରକୀ ସମ୍ମାନରେ ସମ୍ମାନିତ କରାଯିବ।
ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ ଆନୁକୂଲ୍ୟରେ କେନ୍ଦ୍ର ସରକାରଙ୍କ ଅଧିନରେ ରାଜ୍ୟରେ ଥିବା ଦୂରଦର୍ଶନ କେନ୍ଦ୍ର, ଆକାଶବାଣୀ, ପ୍ରେସ୍ ଇନଫରମେସନ ବ୍ୟୁରୋ (ପିଆଇବି), ସେଣ୍ଟ୍ରାଲ ବ୍ୟୁରୋ ଅଫ କମ୍ୟୁନିକେଶନ (ସିବିସି) ଏବଂ ଏକାଡ଼େମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଇନଫରମେସନ ଟେକ୍ନୋଲୋଜି (ଅମିତ୍)ର ମିଳିତ ସହଯୋଗରେ ‘ଜାତୀୟ ପ୍ରେସ୍ ଦିବସ-୨୦୨୫’ ପାଳନ କରାଯିବ। ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ତଥା ଲୋକସେବକ ମଣ୍ଡଳର ଉପାଧ୍ୟକ୍ଷ ଦୀପକ ମାଲବ୍ୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ନ୍ୟାୟମୂର୍ତ୍ତି, ରାଜନେତା, ମନ୍ତ୍ରୀମଣ୍ଡଳର ସଦସ୍ୟ, ବିଧାୟକ, ପ୍ରଶାସକ ଓ ବରିଷ୍ଠ ସାମ୍ବାଦିକମାନେ ଯୋଗଦେବେ। ରାଜ୍ୟ ବାହାର କୋଲକତା, ଝାଡ଼ଖଣ୍ଡ, ଛତିଶଗଡ଼, କର୍ଣ୍ଣାଟକ, ଦିଲ୍ଲୀ ଓ ମୁମ୍ବାଇ ଆଦିରୁ ପ୍ରକାଶିତ ବିଭିନ୍ନ ସମ୍ବାଦପତ୍ରର ୭ଜଣ ସମ୍ପାଦକଙ୍କୁ ‘ରାଷ୍ଟ୍ରୀୟ ସାମ୍ବାଦିକ ଗୌରବ ସମ୍ମାନ’ରେ ସମ୍ମାନିତ କରାଯିବ। ଓଡ଼ିଶା ଖଣି ନିଗମ (ଓଏମ୍ସି)ର ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ସମ୍ବିତ କୁମାର ସେଠୀଙ୍କୁ କର୍ପୋରେଟ କମ୍ୟୁନିକେସନ ଆଣ୍ଡ ପବ୍ଲିକ ରିଲେସନ୍ସ ସମ୍ମାନ-୨୦୨୫ରେ ସମ୍ମାନିତ କରାଯିବ। ଗତବର୍ଷ ତଥା ୨୦୨୪ ମସିହାରେ ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ନମ୍ବର ରଖିଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ବାଣିବିହାର ଭୁବନେଶ୍ୱର ଖୋର୍ଦ୍ଧାଜିଲ୍ଲା ବାଲୁଗାଁସ୍ଥିତ ବେଲପଦା ରୋଡ଼ର ଛାତ୍ରୀ ଆରତୀ ଲେଙ୍କାଙ୍କୁ ‘ରବି ନାରାୟଣ ମହାନ୍ତି ସ୍ମାରକୀ ସମ୍ମାନ-୨୦୨୫’, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ତଥା ଭୁବନେଶ୍ୱରର ସୁନ୍ଦରପଦାସ୍ଥିତ କଲ୍ୟାଣ ପ୍ଲାଜା ଆପାର୍ଟମେଣ୍ଟ-୨ର ଛାତ୍ରୀ କୁମାରୀ ପ୍ରତିଭା ବିଶ୍ୱାଳଙ୍କୁ ‘ପ୍ରଦ୍ୟୁମ୍ନ ବଳ ସ୍ମାରକୀ ସମ୍ମାନ-୨୦୨୫’, ରେଭେନ୍ସା ବିଶ୍ୱବିଦ୍ୟାଳୟ କଟକର ପୁୁରୁଣା ଭୁବନେଶ୍ୱରସ୍ଥିତ ସାମନ୍ତରାପୁରର ଛାତ୍ରୀ ସୋନାଲି ପାଣିଗ୍ରାହୀଙ୍କୁ ‘ରାମହରି ମିଶ୍ର ସ୍ମାରକୀ ସମ୍ମାନ-୨୦୨୫’, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଭଞ୍ଜବିହାର ବ୍ରହ୍ମପୁରସ୍ଥିତ ଜୟପ୍ରକାଶ ନଗରର ଛାତ୍ରୀ ସୁସ୍ମି ମିଶ୍ରଙ୍କୁ ‘ବରେନ୍ଦ୍ରକୃଷ୍ଣ ଧଳ ସ୍ମାରକୀ ସମ୍ମାନ-୨୦୨୫’, ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମ୍ଏସ୍)ର ଓଡ଼ିଆ ସାମ୍ବାଦିକତା ଛାତ୍ରୀ କୁମାରୀ ଦେବଲିନ ବେହେରାଙ୍କୁ ‘ଦିଲ୍ଲୀପ ଶତପଥୀ ସ୍ମାରକୀ ସମ୍ମାନ-୨୦୨୫’, ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ଭୁବନେଶ୍ୱରର ଲିଙ୍ଗରାଜନଗରର ଛାତ୍ରୀ ତପସ୍ୟା ପତିଙ୍କୁ ‘ଅରିନ୍ଦମ ଦାଶ ସ୍ମାରକୀ ସମ୍ମାନ-୨୦୨୫’ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରର ସମ୍ବାଦ ସ୍କୁଲ୍ ଅଫ୍ ମିଡ଼ିଆ ଆଣ୍ଡ କଲ୍ଚର, ଭୁବନେଶ୍ୱରର ଛାତ୍ର ସୁଶାନ୍ତ କୁମାର ମହାପାତ୍ରଙ୍କୁ ‘ଗୋପାଳ ମିଶ୍ର ସ୍ମାରକୀ ସମ୍ମାନ-୨୦୨୫’ ଏବଂ ଫକୀର ମୋହନ ବିଶ୍ୱବିଦ୍ୟାଳୟ ବାଲେଶ୍ୱରର ଛାତ୍ର ରାମଚନ୍ଦ୍ର କାମିଳାଙ୍କୁ ‘ଅରୁଣ ପଣ୍ଡା ସ୍ମାରକୀ ସମ୍ମାନ-୨୦୨୫’ ପ୍ରଦାନ କରାଯିବ ବୋଲି ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସାଧାରଣ ସମ୍ପାଦକ ସନତ ମିଶ୍ର ଏବଂ ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ