
କେନ୍ଦୁଝର, ୧୩ ଡିସେମ୍ବର (ହି.ସ.)- ପାଟଣା ବ୍ଲକ ସାରାସକୋଲା ଗ୍ରାମପଞ୍ଚାୟତର ଖମୁଆଁ ଗ୍ରାମରେ ମା ବଢ଼େଇଶୁଣୀ ଠାକୁରାଣୀଙ୍କ ବାଲି ଓଷା ଆଜି ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଭାଦ୍ରବ ମାସରୁ ଏହି ଓଷା ଆରମ୍ଭ ହୋଇ ଆଜି ଉଦଯାପିତ ହୋଇଛି। ଗ୍ରାମରେ ଏହି ବାଲି ଓଷା ପର୍ଵ ବହୁ ବର୍ଷ ହେଲା ପାଳିତ ହୋଇଆସୁଛି। ଏହି ପର୍ଵକୁ ଅତି ନିଷ୍ଠାର ସହିତ ପାଳନ କରାଯାଇଥାଏ। ସେଥିପାଇଁ ଭକ୍ତମାନେ ଠାକୁରାଣୀଙ୍କ ପାଖରେ ନଡ଼ିଆ, କଦଳୀ, ସେଓ, ଅଙ୍ଗୁର, ଡାଳିମ୍ବ ଆଦି ଫଳ ଭୋଗ ସହିତ ବଳି ପ୍ରଥାରେ କୁକୁଡ଼ା, ବୋଦା ଓ ଅନ୍ୟାନ୍ୟ ଭୋଗ ଅର୍ପଣ କରି ମାନସିକ କରିଥିଲେ। ପ୍ରତିଦିନ ଠାକୁରାଣୀଙ୍କ ସ୍ତୁତି ଗାନ ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ମେଲୋଡି ଓ କଣ୍ଢେଇ ନାଚ ପରିବେଷଣ କରାଯାଉଥିଲା। ଏହି ବାଲି ଓଷାକୁ ଦେଖିବା ପାଇଁ ବହୁ ଦୂରଦୂରାନ୍ତରୁ ଶହ ଶହ ଭକ୍ତ ଆସି ଯୋଗ ଦେଇଥିଲେ। ମାନସିକ କରିଥିବା ଭକ୍ତମାନେ ନିଆଁ ଖନ୍ଦାରେ ଚାଲିବା ଏକ ଐଶରିକ ଶକ୍ତିର ବିଶ୍ୱାସ କୁ ଦୃଢ଼ କରିଥିଲା।
ଏହି ଓଷାକୁ ଗ୍ରାମ ଠାକୁରାଣୀଙ୍କ ପୂଜକ ଯତୀନ୍ଦ୍ର ଦେହୁରୀ ପୂଜା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଗାଉଣୀ ଭାବରେ ଭୁବନ ନାଏକ ଠାକୁରାଣୀଙ୍କ ସ୍ତୁତି ଗାନ କରିଥିଲେ। ଏହି ଓଷାରେ ଖମୁଆଁ ଗ୍ରାମର ସମସ୍ତ ଗ୍ରାମବାସୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA