
ଜୟପୁର, ୧୩ ଡିସେମ୍ବର (ହି.ସ.)- ଅବିଭକ୍ତ କୋରାପୁଟ ଜିଲ୍ଲାର ଉତ୍କଳ ସମ୍ମିଳନୀ କର୍ମକର୍ତ୍ତା ମାନଙ୍କୁ ନେଇ ଆଜି ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜୟପୁର ବାଳକୃଷ୍ଣ ପ୍ୟାଲେସ୍ ଠାରେ କୋରାପୁଟ ଜିଲ୍ଲା ସଭାପତି ମଦନ ମୋହନ ନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ କେନ୍ଦ୍ରୀୟ ସଂପାଦକ ବିରେନ୍ ମୋହନ ପଟ୍ଟନାୟକଙ୍କ ସହ ଭୃଗୁ ବକ୍ସିପାତ୍ର, ରାୟଗଡ଼ା ଜିଲ୍ଳା ସଭାପତି ବ୍ରଜ ସୁନ୍ଦର ନାୟକ, ପୂର୍ବତନ କେନ୍ଦ୍ରୀୟ ଉପସଭାପତି ବିନୋଦ ମହାପାତ୍ର ପ୍ରମୁଖ ଯୋଗଦେଇ ଅବିଭକ୍ତ ଜିଲ୍ଲାର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ବିଶେଷକରି ଏହି ଅବିଭକ୍ତ ଚାରି ଜିଲ୍ଲା ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବଙ୍ଗପୁରର ପ୍ରଗତୀରେ ଉତ୍କଳ ସମ୍ମିଳନୀର ଭାଗୀଦାରୀ କ’ଣ ହେବା ଆବଶ୍ୟକ ବୋଲି ଆଲୋଚନା ଏବଂ ମତାମତ ଗ୍ରହଣ କରାଯାଇଥିଲା । ସରକାରୀ ସ୍ତରରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟରେ ଓଡ଼ିଆଙ୍କ ଅଂଶିଦାରି କେତେ ପରିମାଣରେ କମୁଥିବା କର୍ମକର୍ତ୍ତାମାନେ ମତ ଦେଇଥିଲେ । ଏପରିକି ପୋଲାଭରମ୍ ପ୍ରକଳ୍ପ, କୋଟିଆ ଅଂଚଳ, ବଂଶଧାରା ନଦୀ, ଖଣିଜ ସଂପଦର ଉତ୍ତୋଳନ, ଶିକ୍ଷାର ପ୍ରସାର, ରେଳସେବାର ବ୍ୟାପକତା, ଖଣିଜ ଶିଳ୍ପର ବୃଦ୍ଧିରେ ଓଡ଼ିଆଙ୍କ ଭାଗିଦାରିତା କମୁଥିବା ମତ ଆସିଥିଲା । ସୀମାନ୍ତ ଅଂଚଳରେ ପଡ଼ୋଶୀ ରାଜ୍ୟମାନଙ୍କ ପ୍ରାଧାନ୍ୟ, ଆମ ଅଂଚଳ ଏବଂ ଅର୍ଥନୀତି ଉପରେ ପଡ଼ୋଶୀଙ୍କ ଜବରଦଖଲକୁ ସମ୍ମିଳନୀ କିଭଳି ପ୍ରତିହତ କରିବ ସେ ନେଇ ମତାମତ ସଂଗ୍ରହ କରାଯାଇଥିଲା । ଆଗାମୀ ଦିନରେ ଏହି ମତକୁ ଗ୍ରହଣ କରି ଉତ୍କଳ ସମ୍ମିଳନୀ କିପରି ଓଡ଼ିଆଙ୍କ ସ୍ୱାର୍ଥକୁ ନେଇ ସାଣିତ ଢ଼ଙ୍ଗରେ ପ୍ରଶାସନିକ ବିଧି ବ୍ୟବସ୍ଥାରେ ମତ ରଖିବ ସେ ସଂପର୍କରେ ସହମତି ପ୍ରକାଶ ପାଇଥିଲା । ଏହାକୁ ଆଧାରି କରି ସମ୍ମିଳନୀ ପକ୍ଷରୁ କେନ୍ଦ୍ରୀୟ ନେତୃତ୍ୱ, ସମସ୍ତ ଜିଲ୍ଲାର ଶାଖା କର୍ମକର୍ତ୍ତା ଏବଂ ରାଜ୍ୟ ସରକାରଙ୍କ ମନ୍ତ୍ରୀ ମାନଙ୍କୁ ନେଇ ଏକ ଦୁଇ ଦିନିଆ ସମ୍ମେଳନ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଉତ୍କଳ ସମ୍ମିଳନୀର ଏହି ସମ୍ମେଳନ ଜୟପୁର ଠାରେ ଆସନ୍ତା ଫେବୃଆରୀ ୨୮ ଏବଂ ମାର୍ଚ୍ଚ ୧ ତାରିଖ ଦୁଇ ଦିନ ଧରି ଚାଲିବ ଏବଂ ଏହାର ନିର୍ଯ୍ୟାଶ ପ୍ରକାରେ ଉତ୍କଳ ସମ୍ମିଳନୀ ଓଡ଼ିଆଙ୍କ ସ୍ୱାର୍ଥ ପାଇଁ ଆଗକୁ ପ୍ରଖରତା ପୂର୍ବକ କାମ କରିବ ବୋଲି ବୈଠକରେ ଭୃଗୁ ବକ୍ସିପାତ୍ର ଘୋଷଣା କରିଥିଲେ । ଏହାକୁ ଉପସ୍ଥିତ ନେତୃତ୍ୱ ସ୍ୱାଗତ କରିଥିଲେ ।
ବୈଠକରେ ରାୟଗଡ଼ା ସଂପାଦକ ଅରୁଣ ପାଣିଗ୍ରାହୀ, କିଶୋର ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ କୋରାପୁଟ ଜିଲ୍ଳା ସଂଗଠନ ସଂପାଦକ ପରମେଶ୍ୱର ପାତ୍ର ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ପରିଷଦ ସଦସ୍ୟ ହରିହର କରସୁଧା ପଟ୍ଟନାୟକ, ବାଲା ରାୟ, ଦୁର୍ଗା ପ୍ରସାଦ ମିଶ୍ର, ରମାକାନ୍ତ ରାଉଳ, ଦେବେନ୍ଦ୍ର ବାହିନୀପତି, ତେଜେଶ୍ୱର ପଣ୍ଡା, ଜିଲ୍ଲା ଉପସଭାପତି ରାଜେନ୍ଦ୍ର କୁମାର ଗୌଡ଼, ଜୟପୁର ନାଗରିକ କମିଟି ସଭାନେତ୍ରୀ ବିନୋଦୀନୀ ସାନ୍ତ୍ରାପାତ୍ର, ଜାନକୀ ପାଣିଗ୍ରାହୀ, ପ୍ରମୋଦୀନୀ ହୋତା, ଉମେଶ ଚନ୍ଦ୍ର ତ୍ରିପାଠୀ, ଚନ୍ଦ୍ରକାନ୍ତ ସୁତାର, କୃଷ୍ଣଚନ୍ଦ୍ର ହୋତା, ଚନ୍ଦ୍ରମଣି ବାରିକ, ଶିବ କେଶବ ଦାସ, ପ୍ରଭାତ କୁମାର ରଥ, ଜଗତ ରଂଜନ ପାଣିଗ୍ରାହୀ, ପ୍ରହ୍ଳାଦ ପାତ୍ର, ସୁରେନ୍ଦ୍ର ପଟ୍ଟନାୟକ, ମିନ କେତନ ପରିଛା, ସତ୍ୟ ନାରାୟଣ ମିଶ୍ର, ମାଧବ ଚୌଧୁରୀ, ବିଷ୍ଣୁ ବର୍ଦ୍ଧନ ରେଡ଼ୀ, ଶୁଭେନ୍ଦୁ ବ୍ରହ୍ମା, ଶିଳ୍ପା ପାଣୀ, ଲକ୍ଷ୍ମୀ ନାରାୟଣ ପାଢ଼ୀ ପ୍ରମୁଖ ଉପସ୍ଥିତ ରହିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି