
ଧର୍ମଶାଳା,୧୩ ଡିସେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ତହସିଲ ଗଙ୍ଗାଧରପୁର ପଂଚାୟତ ବାହାଗଡ଼ା ମୌଜାରେ ବିଦ୍ୟୁତ୍ ଟାୱାର ନିର୍ମାଣ ଓ ତାର ଟଣାକୁ ସ୍ଥାନୀୟ ଅଂଚଳବାସୀ ବିରୋଧ କରିଛନ୍ତି । ଚିହ୍ନଟ ହୋଇଥିବା ବ୍ୟକ୍ତିଗତ ଜମି ପରିବର୍ତେ ନିକଟରେ ଥିବା ସରକାରୀ ଜମିରେ ଟାୱାର ନିର୍ମାଣ କରାଗଲେ ଜମିମାଲିକମାନେ କ୍ଷତିଗ୍ରସ୍ତ ହେବେ ନାହିଁ । ଏ ସଂପର୍କରେ ଜମିମାଲିକ, ଚାଷୀ ଓ ଗ୍ରାମବାସୀ ପ୍ରଶାସନ ଏବଂ ନିର୍ମାଣକାରୀ ସଂସ୍ଥାର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ତହସିଲଦାରଙ୍କ କୋର୍ଟରେ ହାଜର ହୋଇ ଆକଳନ ହୋଇଥିବା କ୍ଷତିପୂରଣ ରାଶି ସଂପର୍କରେ ଆଲୋଚନା ପାଇଁ ଜମିମାଲିକମାନଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଅଭିଯୋଗରୁ ପ୍ରକାଶ ଯେ, ଓପିଟିସିଏଲ୍ ପକ୍ଷରୁ ଏବେ ଡୁବୁରିଠାରୁ ପାରାଦୀପ ପର?୍ୟ୍ୟନ୍ତ ଟାୱାର ମାଧ୍ୟମରେ ୪୪୦/୨୨୦କେଭି ଉଚ୍ଚଶକ୍ତି ସଂପନ୍ନ ବିଦ୍ୟୁତ୍ ତାର ଟଣାଯିବାକୁ ନିଷ୍ପତି ହୋଇଛି । ଏଥିପାଇଁ ବାହାଗଡ଼ା ମୌଜାର ୧୭୧ ନମ୍ବର ପ୍ଲଟରେ ବିଦ୍ୟୁତ୍ ଟାୱାର ନିର୍ମାଣ ପାଇଁ ପ୍ରସ୍ତାବ ରହିଥିବା ବେଳେ ୧୨୨, ୧୩୬, ୧୬୭, ୧୬୮, ୧୬୯, ୧୭୦, ୧୭୨, ୧୭୩, ୧୭୪, ୧୭୫, ୧୭୬ ଓ ୨୦୦ ନମ୍ବର ପ୍ଲଟ୍ରେ ବିଦ୍ୟୁତ୍ ତାର ଟଣାଯିବା ନେଇ ସଂପୃକ୍ତ ଜମିମାଲିକମାନଙ୍କୁ ନୋଟିସ୍ କରାଯାଇଛି । ଉକ୍ତ ୧୩ଟି ପ୍ଲଟ୍?ରେ ବିଦ୍ୟୁତ୍ ଟାୱାର ନିର୍ମାଣ ଓ ତାର ଟଣାଗଲେ ପ୍ରାୟ ୫ ଏକର ଜମିର ମାଲିକମାନଙ୍କୁ କ୍ଷତିପୂରଣ ଦେବାକୁ ପଡ଼ିବ । ଏଥିପାଇଁ କଂପାନୀକୁ ଅଧିକ କ୍ଷତି ସହିବାକୁ ପଡ଼ିବ । ପ୍ରସ୍ତାବିତ ସ୍ଥାନରେ ଟାୱାର ସ୍ଥାପନ କରାଗଲେ ଜନବସତି ନିକଟରେ ବିପଦସଂକୁଳ ଅବସ୍ଥା ସୃଷ୍ଟି ହେବ । ଚାଷଜମିକୁ ହଳବଳଦ ନେବାରେ ଅସୁବିଧା ସହ ଗ୍ରାମବାସୀ, ସ୍କୁଲ, କଲେଜ୍ ଛାତ୍ରଛାତ୍ରୀ ଓ ଗୃହପାଳିତ ପଶୁଙ୍କ ଯାତାୟତ ବାଧାପ୍ରାପ୍ତ ହେବ । ନିକଟସ୍ଥ ସରକାରୀ ଜମି ୧୭୭ ନମ୍ବର ପ୍ଲଟ୍(୯୨ ଡିସିମିଲ)ର ପୂର୍ବଭାଗରେ ଟାୱାର ନିର୍ମାଣ ଓ ତାର ଟଣାଗଲେ କେବଳ ଗୋଟିଏ ପ୍ଲଟ୍ କ୍ଷତିଗ୍ରସ୍ତ ହେବ । ଏଥିରେ କଂପାନୀ ଅଧିକ କ୍ଷତିଗ୍ରସ୍ତ ହେବନାହିଁ । ଗତ ୨୦୨୨ରେ ରାଜସ୍ୱ ବିଭାଗ ପକ୍ଷରୁ ପ୍ରସ୍ତୁତ ବିଦ୍ୟୁତ୍ ଲାଇନ୍ ଟ୍ରାକ୍ ପାଇଁ ଥାନୁଆଳ, ଖୁଂଟା, ଗୁଆରଙ୍ଗ ଓ ପଲାର ମୌଜାରେ କୌଣସି ପରିବର୍ତନ କରାଯାଇନଥିବା ବେଳେ କାହା ସ୍ୱାର୍ଥରେ ଅର୍ଜୁନପୁର ଓ ବାହାଗଡ଼ା କ୍ଷେତ୍ରରେ ଟାୱାର ନିର୍ମାଣସ୍ଥଳ ଓ ତାର ଟଣାର ଦିଗ ପରିବର୍ତନ କରାଯାଇଛି ବୁଝା ପଡୁନାହିଁ । ଧାନକଟା ପରେ ଓପିଟିସିଏଲ, ରାଜସ୍ୱ ବିଭାଗ, ସଂପୃକ୍ତ ଜମିମାଲିକ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ତଦନ୍ତ କରାଯାଇ ଉପଯୁକ୍ତ ସ୍ଥାନ ନିରୂପଣ କରିବା ପାଇଁ ବାହାଗଡ଼ା ଶବରସାହି, ଭୋଇସାହି ଅଂଚଳର ଚାଷୀମାନେ ଦାବି କରିଛନ୍ତି । ଟାୱାର ନିର୍ମାଣ ଦାୟିତ୍ୱରେ ଥିବା ଠିକାସଂସ୍ଥା ନିଷ୍ପତିର ପୁର୍ନବିଚାର ନକଲେ ପ୍ରସ୍ତାବିତ ପ୍ଲଟ୍ର ମାଲିକ ବିଜୟ ପ୍ରସାଦ ରାୟ, ପୂର୍ଣ୍ଣଚନ୍ଦ୍ର ରାୟ, ନୃସିଂହ ଚରଣ ମିଶ୍ର, କଳ୍ପତରୁ ସାହୁ, ସରପଂଚ ତ୍ରିଲୋଚନ ଜେନା, ସଦାନନ୍ଦ ସାମଲ, ମକରଧ୍ୱଜ ସାମଲ, ପଦ୍ମନାଭ ସାମଲ, ଶ୍ୟାମସୁନ୍ଦର ସାମଲ, ଭାସ୍କର ସିଂ, ମିଟୁ ସାମଲ, ମଞ୍ଜୁଲତା ସାମଲ, ରଞ୍ଜିତା ସାମଲ, ବିଜୟ ସାମଲ, ଦେବେନ୍ଦ୍ର ଭୋଇ, ମାଧବ ଭୋଇ, ରମେଶ ଭୋଇ, ରବୀନ୍ଦ୍ର ଭୋଇ ପ୍ରମୁଖ ଆନ୍ଦୋଳନାତ୍ମକ କାର?୍ୟ୍ୟପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ