
ନୂଆଦିଲ୍ଲୀ, 17 ଡିସେମ୍ବର (ହି.ସ.)- ଭାରତୀୟ ଜନତା ପାର୍ଟି (ବିଜେପି)ର ଶିଖର ପୁରୁଷ ଏବଂ
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମତ ଥିଲା ଯେ ଲୋକପ୍ରିୟ ପ୍ରଧାନମନ୍ତ୍ରୀ
ତାଙ୍କର ବହୁମତର ଶକ୍ତିରେ ରାଷ୍ଟ୍ରପତି ହେବା ଭାରତୀୟ ସଂସଦୀୟ ଲୋକତନ୍ତ୍ର ପାଇଁ ଭଲ ସଙ୍କେତ
ନୁହେଁ ଏବଂ ଏହା ଏକ ବଡ ଭୁଲ ପରମ୍ପରା ହେବ।
ଏମିତି ସମୟରେ, ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୭ ମସିହାରେ
ରାଷ୍ଟ୍ରପତି ହେବେ ବୋଲି ଅଟକଳ କରାଯାଉଛି, ସେତେବେଳେ ଅଟଳ ବିହାରୀ ବାଜପେୟୀଙ୍କ ଏହି ଚିନ୍ତାଧାରାକୁ ରେଖାଙ୍କିତ
କରାଯାଇଛି। ଏହି ମତ ଏକ ପୁସ୍ତକରେ ଉଲ୍ଲେଖିତ, ଯାହା ତାଙ୍କର ପ୍ରଧାନମନ୍ତ୍ରୀ କାଳରେ ଗଣମାଧ୍ୟମ ପରାମର୍ଶଦାତା ଥିବା
ବରିଷ୍ଠ ସାମ୍ବାଦିକ ଅଶୋକ ଟଣ୍ଡନ ଲେଖିଛନ୍ତି। ଏହି ପୁସ୍ତକର ବୁଧବାର ଉନ୍ମୋଚନ କରାଯାଇଛି।
ଏହି କଥା ୨୦୦୨ ମସିହାର, ଯେତେବେଳେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱଧୀନ ଜାତୀୟ
ଲୋକତାନ୍ତ୍ରିକ ମହାମେଂଟ (ଏନଡିଏ) ସରକାର ନୂତନ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀଙ୍କ ନାମ ଉପରେ
ବିଚାର କରୁଥିଲା। ସେ ସମୟରେ ଲେଖକ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ
କାର୍ଯ୍ୟରତ ଥିଲେ। ପୁସ୍ତକରେ ଅଶୋକ ଟଣ୍ଡନ ଲେଖିଛନ୍ତି ଯେ ଡ. ପି. ସି. ଆଲେକଜାଣ୍ଡର ସେ ସମୟରେ
ମହାରାଷ୍ଟ୍ରର ରାଜ୍ୟପାଳ ଥିଲେ ଏବଂ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଥିବା ଜଣେ ପ୍ରଭାବଶାଳୀ
ସହଯୋଗୀ ବ୍ୟକ୍ତିଗତ ଭାବେ ଡ. ଆଲେକଜାଣ୍ଡରଙ୍କ ସଂପର୍କରେ ଥିଲେ ଏବଂ ତାଙ୍କୁ ଏଭଳି ସଙ୍କେତ
ଦେଉଥିଲେ ଯେ ସେ ନିଜେ ବାଜପେୟୀଙ୍କ ଦୂତ।
ସେହି ବ୍ୟକ୍ତିଟି ଅନ୍ୟପଟେ ବାଜପେୟୀଙ୍କୁ ନିରନ୍ତର ଏହା ବୁଝେଇବାକୁ
ଚେଷ୍ଟା କରୁଥିଲେ ଯେ ଡ. ଆଲେକଜାଣ୍ଡର, ଯିଏ ଜଣେ ଖ୍ରୀଷ୍ଟାୟାନ, ତାଙ୍କୁ ରାଷ୍ଟ୍ରପତି ପଦର ପ୍ରାର୍ଥୀ କରାଯିବା ଉଚିତ। ଏହା କଲେ
କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅସୁବିଧାରେ ପଡ଼ିବେ ଏବଂ ଭବିଷ୍ୟତରେ ତାଙ୍କର
ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ରହିବ ନାହିଁ, କାରଣ ଦେଶରେ ଜଣେ ଖ୍ରୀଷ୍ଟିଆନ ରାଷ୍ଟ୍ରପତି ଥିବା ସମୟରେ ଆଉ ଜଣେ
ଖ୍ରୀଷ୍ଟାୟାନ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ।
ଅନ୍ୟପଟେ, ସେ ସମୟର ଉପରାଷ୍ଟ୍ରପତି କୃଷ୍ଣକାନ୍ତ ନିଜ ପ୍ରାର୍ଥିତ୍ୱ ପାଇଁ
ଜାତୀୟ ଲୋକତାନ୍ତ୍ରିକ ମହାମେଂଟ (ଏନଡିଏ)ର ସଂଯୋଜକ ଏବଂ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍.
ଚନ୍ଦ୍ରବାବୁ ନାଇଡୁ ସହ ଅନ୍ୟାନ୍ୟ ନେତାମାନଙ୍କ ଉପରେ ନିର୍ଭର କରୁଥିଲେ। ଏହି ସମୟରେ ବିଜେପି
ଭିତରୁ ମଧ୍ୟ ସ୍ୱର ଉଠିଲା ଯେ ନିଜ ଦଳର କୌଣସି ବରିଷ୍ଠ ନେତାଙ୍କୁ ଏହି ପଦ ପାଇଁ ଚୟନ କରାଯାଉ।
ବାଜପେୟୀ ସମସ୍ତଙ୍କ କଥା ଶୁଣୁଥିଲେ, କିନ୍ତୁ ନିଜ ମତ
ପ୍ରକାଶ କରୁନଥିଲେ। ସମଗ୍ର ବିରୋଧୀ ଶିବିର ସକ୍ରିୟ ଭାବେ ସେବାନିବୃତ୍ତ ହେଉଥିବା ରାଷ୍ଟ୍ରପତି
କେ. ଆର୍. ନାରାୟଣନଙ୍କୁ ଏନଡିଏ ପ୍ରାର୍ଥୀଙ୍କ ବିରୋଧରେ ପ୍ରାର୍ଥୀ କରିବାକୁ ଚେଷ୍ଟା କରୁଥିଲା, କିନ୍ତୁ ନାରାୟଣନ
ସେହି ପ୍ରସ୍ତାବକୁ ଏଡାଇ ଦେଇଥିଲେ। ନାରାୟଣନଙ୍କ ସର୍ତ୍ତ ଥିଲା ଯେ ସେ କେବଳ ସେହି
ପରିସ୍ଥିତିରେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେବେ, ଯଦି ସେ ନିର୍ବିରୋଧ ଭାବେ ଚୟନିତ ହୋଇପାରିବେ।
ଲେଖକଙ୍କ କଥାନୁସାରେ, ନିଜ ଦଳର ଭିତରୁ ଆସୁଥିବା ସେହି ପ୍ରସ୍ତାବଗୁଡ଼ିକୁ ବାଜପେୟୀ ଖାରଜ
କରିଦେଇଥିଲେ, ଯେ ସେ ନିଜେ
ରାଷ୍ଟ୍ରପତି ଭବନକୁ ଯାଆନ୍ତୁ ଏବଂ ପ୍ରଧାନମନ୍ତ୍ରୀ ପଦ ନିଜର ଦ୍ୱିତୀୟ ନମ୍ବର ନେତା ଲାଲକୃଷ୍ଣ
ଆଡ଼ବାଣୀଙ୍କୁ ସମର୍ପଣ କରନ୍ତୁ। ବାଜପେୟୀ ଏହା ପାଇଁ ପ୍ରସ୍ତୁତ ନଥିଲେ। ତାଙ୍କ ମତ ଥିଲା ଯେ କୌଣସି
ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନିଜ ବହୁମତର ଶକ୍ତିରେ ରାଷ୍ଟ୍ରପତି ହେବା ଭାରତୀୟ ସଂସଦୀୟ ଗଣତନ୍ତ୍ର
ପାଇଁ ଭଲ ସଙ୍କେତ ନୁହେଁ, ଏବଂ ଏହା ଏକ
ଅତ୍ୟନ୍ତ ଭୁଲ ପରମ୍ପରାର ଆରମ୍ଭ ହେବ। ସେ ଏପରି କୌଣସି ପଦକ୍ଷେପକୁ ସମର୍ଥନ କରିବାକୁ ସବୁଠାରୁ
ଶେଷ ବ୍ୟକ୍ତି ହେବେ ବୋଲି ମଧ୍ୟ ସେ କହିଥିଲେ।
ରାଷ୍ଟ୍ରପତି ପଦ ପାଇଁ ସାଧାରଣ ସମ୍ମତି ଗଢ଼ିବା ଉଦ୍ଦେଶ୍ୟରେ
ବାଜପେୟୀ ବିରୋଧୀ କଂଗ୍ରେସ ନେତାମାନଙ୍କୁ ଆମନ୍ତ୍ରଣ କରିଥିଲେ। ଅଶୋକ ଟଣ୍ଡନ ଲେଖିଛନ୍ତି, “ମୋର ମନେ ପଡ଼େ ଯେ
ସୋନିଆ ଗାନ୍ଧୀ, ପ୍ରଣବ ମୁଖାର୍ଜୀ
ଏବଂ ଡ. ମନମୋହନ ସିଂହ ତାଙ୍କୁ ଭେଟିବାକୁ ଆସିଥିଲେ। ସେହି ବୈଠକରେ ବାଜପେୟୀ ପ୍ରଥମଥର ପାଇଁ ଔପଚାରିକ
ଭାବେ ଖୁଲାସା କରିଥିଲେ ଯେ ଏନଡିଏ ରାଷ୍ଟ୍ରପତି ନିର୍ବାଚନ ପାଇଁ ଡ. ଏ.ପି.ଜେ. ଅବ୍ଦୁଲ
କଲାମଙ୍କୁ ପ୍ରାର୍ଥୀ କରିବାର ନିଷ୍ପତ୍ତି ନେଇଛି। କିଛି ମୁହୂର୍ତ୍ତ ପାଇଁ ସମ୍ପୂର୍ଣ୍ଣ ନିରବତା
ଛାଇଗଲା।”
ତା’ପରେ ସୋନିଆ ଗାନ୍ଧୀ ନିରବତା ଭାଙ୍ଗି କହିଥିଲେ, “ଆପଣଙ୍କ ଚୟନ ଆମକୁ
ସ୍ତବ୍ଧ କରିଦେଇଛି। ତାଙ୍କୁ ସମର୍ଥନ କରିବା ଛଡ଼ା ଆମ ପାଖରେ ଆଉ କୌଣସି ବିକଳ୍ପ ନାହିଁ, ତଥାପି ଆମେ ଆପଣଙ୍କ
ପ୍ରସ୍ତାବ ଉପରେ ଆଲୋଚନା କରି ନିଷ୍ପତ୍ତି ନେବୁ।” ଏହା ପରେ ବାକି ସବୁ ଇତିହାସ ହୋଇଗଲା।
ସମାଜବାଦୀ ପାର୍ଟିର ମୁଖ୍ୟ ମୁଲାୟମ ସିଂହ ଯାଦବ ନିଜ ଦଳର ସମର୍ଥନ
ଘୋଷଣା କରି କହିଥିଲେ— “ଡ. କଲାମ ମୋର ପସନ୍ଦ।”
ପୁସ୍ତକରେ ଲେଖାଯାଇଛି ଯେ ଡ. ଆଲେକଜାଣ୍ଡର ନିଜ ଆତ୍ମକଥାରେ ୨୦୦୨
ମସିହାରେ ତାଙ୍କୁ ରାଷ୍ଟ୍ରପତି ହେବାରୁ ବଞ୍ଚିତ କରାଯିବା ପାଇଁ ଅନେକଙ୍କୁ ଦାୟୀ କରିଥିଲେ।
କଂଗ୍ରେସ ସରକାରରେ କେନ୍ଦ୍ରୀୟ ମନ୍ତ୍ରୀ ଥିବା କୁଁଵର ନଟୱର ସିଂହଙ୍କ କଥାନୁସାରେ, ଡା. ଆଲେକଜାଣ୍ଡର
ଏହି ଦାୟିତ୍ୱ ପାଇଁ ତାଙ୍କୁ,
ବାଜପେୟୀଙ୍କ
ପ୍ରଧାନ ସଚିବ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ବ୍ରଜେଶ ମିଶ୍ରଙ୍କୁ ମଧ୍ୟ ଦୋଷୀ କହିଥିଲେ। ଡ.
କଲାମଙ୍କ ନାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲା, କାରଣ ରାଷ୍ଟ୍ରପତି ପଦର ଦୌଡ଼ରେ ତାଙ୍କ ନାମ ପୂର୍ବରୁ
କେଉଁଠି ମଧ୍ୟ ନଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା