
ନୂଆଦିଲ୍ଲୀ, 17 ଡିସେମ୍ବର (ହି.ସ.)- ଭାରତରେ
ଅବସ୍ଥାପିତ ବାଂଲାଦେଶର ଉଚ୍ଚାୟୁକ୍ତ ରିଆଜ ହମିଦୁଲ୍ଲାଙ୍କୁ ବୁଧବାର ବୈଦେଶିକ ମନ୍ତ୍ରଣାଳୟକୁ
ଡକାଇ ସେଠାରେ ଅବନତିଶୀଳ ସୁରକ୍ଷା ପରିବେଶ ଉପରେ ଭାରତର ଗଭୀର ଚିନ୍ତା ବ୍ୟକ୍ତ କରାଯାଇଥିଲା।
ଭାରତ ଆଶା ପ୍ରକାଶ କରିଥିଲା ଯେ ଅନ୍ତରୀଣ ସରକାର ଏହାର କୂଟନୈତିକ ଦାୟିତ୍ୱ ଅନୁଯାୟୀ
ବାଂଲାଦେଶରେ ମିଶନ ଏବଂ ଦୂତାବାସର ସୁରକ୍ଷା ସୁନିଶ୍ଚିତ କରିବ।ଉଚ୍ଚାୟୁକ୍ତଙ୍କ ଦୃଷ୍ଟି ବିଶେଷ
ଭାବରେ କିଛି ଉଗ୍ରବାଦୀ ତତ୍ତ୍ୱଙ୍କ କାର୍ଯ୍ୟକଳାପ ପ୍ରତି ଆକର୍ଷଣ କରାଯାଇଥିଲା ଯେଉଁମାନେ
ଢାକାରେ ଭାରତୀୟ ଦୂତାବାସ ଚାରିପାଖରେ ଅସୁରକ୍ଷିତ ପରିବେଶ ସୃଷ୍ଟି କରିବାକୁ ଯୋଜନା ଘୋଷଣା
କରିଛନ୍ତି।ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଭାରତ ବାଂଲାଦେଶରେ କିଛି
ସାମ୍ପ୍ରତିକ ଘଟଣା ସମ୍ପର୍କରେ ଉଗ୍ରବାଦୀ ତତ୍ତ୍ୱମାନଙ୍କ ଦ୍ୱାରା ପ୍ରସାରିତ ମିଥ୍ୟା କାହାଣୀକୁ
ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରେ। ଏହା ଦୁର୍ଭାଗ୍ୟଜନକ ଯେ ଅନ୍ତରୀଣ ସରକାର ଏହି ଘଟଣାଗୁଡ଼ିକ
ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରିନାହାଁନ୍ତି କିମ୍ବା ଭାରତ ସହିତ କୌଣସି ଅର୍ଥପୂର୍ଣ୍ଣ
ପ୍ରମାଣ ବାଣ୍ଟି ନାହାଁନ୍ତି।ବଂଲାଦେଶର ଲୋକଙ୍କ ସହିତ ଘନିଷ୍ଠ ଏବଂ ବନ୍ଧୁତ୍ୱପୂର୍ଣ୍ଣ
ସମ୍ପର୍କକୁ ଉଲ୍ଲେଖ କରି ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଭାରତ ବାଂଲାଦେଶରେ ଶାନ୍ତି ଏବଂ
ସ୍ଥିରତାର ସମର୍ଥକ ଏବଂ ଶାନ୍ତିପୂର୍ଣ୍ଣ ପରିବେଶରେ ମୁକ୍ତ, ନିରପେକ୍ଷ, ଅନ୍ତର୍ଭୁକ୍ତିମୂଳକ ଏବଂ ବିଶ୍ୱସନୀୟ ନିର୍ବାଚନ ପାଇଁ
ନିରନ୍ତର ଆହ୍ୱାନ ଦେଇଆସୁଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା