
ବାଦାମପାହାଡ଼-କେନ୍ଦୁଝର, ଗୋରୁମହିଷାଣୀ-ବାଙ୍ଗିରିପୋଷୀ ଏବଂ ବୁଢ଼ାମରା-ଚାକୁଲିଆ ରେଳ ଲାଇନ ପ୍ରକଳ୍ପ ଲାଗି ଜମି ଅଧିଗ୍ରହଣ ଏବଂ ଜଙ୍ଗଲ ଅନୁମତି କାମ ଜାରି
ନୂଆଦିଲ୍ଲୀ/ଭୁବନେଶ୍ୱର,୧୭ ଡିସେମ୍ବର(ହି.ସ)- ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ଼-କେନ୍ଦୁଝର, ଗୋରୁମହିଷାଣୀ-ବାଙ୍ଗିରିପୋଷୀ ଏବଂ ବୁଢ଼ାମରା-ଚାକୁଲିଆ ରେଳ ଲାଇନ ନିର୍ମାଣ ପାଇଁ ବର୍ତ୍ତମାନ ଜମି ଅଧିଗ୍ରହଣ ଓ ଜଙ୍ଗଲ ଅନୁମତି ପ୍ରକ୍ରିୟା ଜାରି ରହିଥିବା କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଆଜି ଲୋକସଭାରେ ଏ ସଂକ୍ରାନ୍ତ ଏକ ପ୍ରଶ୍ନର ଉତରରେ ରେଳ ମନ୍ତ୍ରୀ କହିଛନ୍ତି, ମୟୂରଭଞ୍ଜରେ ବିଶ୍ୱର ଅନ୍ୟତମ ପ୍ରାକୃତିକ ଐତିହ୍ୟ ଶିମିଳିପାଳ ଅଭୟାରଣ୍ୟ ରହିଛି ଏବଂ ଓଡ଼ିଶାର ଏହି ସ୍ଥାନ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ । ଏଠାରେ ରେଳ ବିକାଶ ପାଇଁ ରାଜ୍ୟ ସରକାରଙ୍କ ସହଯୋଗରେ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି । ବର୍ତମାନ ଜିଲ୍ଲାରେ ତିନୋଟି ଷ୍ଟେସନର ଉନ୍ନତିକରଣ କରାଯାଉଛି ଏବଂ ଉପରୋକ୍ତ ତିନୋଟି ରେଳ ଲାଇନକୁ ମଞ୍ଜୁରି ମିଳିଛି । ଦୀର୍ଘ ୫୦ରୁ ୬୦ ବର୍ଷ ଧରି ଏହି ତିନୋଟି ରେଳ ଲାଇନ ପ୍ରକଳ୍ପ କାମ ବିଳମ୍ବିତ ହୋଇ ପଡ଼ି ରହିଥିଲା ଏବଂ ବହୁଦିନରୁ ଏଥିପାଇଁ ଦାବି ହୋଇ ଆସୁଥିଲା। ବର୍ତ୍ତମାନ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଥିବାରୁ ରାଜ୍ୟ ସରକାରଙ୍କ ତରଫରୁ ବହୁତ ଭଲ ସହଯୋଗ ମିଳୁଛି। ଖୁବଶୀଘ୍ର ସମସ୍ତ ଜଙ୍ଗଲ ଅନୁମତି ଏବଂ ଜମି ଅଧିଗ୍ରହଣ ସମେତ ଅନ୍ୟାନ୍ୟ ଆନୁସଙ୍ଗିକ ମଞ୍ଜୁରି ମିଳିବା ପରେ ରେଳ ପ୍ରକଳ୍ପ ନିର୍ମାଣ କାମ ଆରମ୍ଭ ହେବ ବୋଲି ରେଳ ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।
କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି, ପ୍ରାୟ ୭ କୋଟି ଟଙ୍କାର ନିବେଶ ସହିତ ବାରିପଦା ଷ୍ଟେସନର ପୁନର୍ବିକାଶ କାମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ସେହିପରି ୧୨ କୋଟି ଟଙ୍କା ବ୍ୟୟରେ ବାଦାମପାହାଡ଼ ଷ୍ଟେସନ ପୁନିର୍ବିକାଶ କାମ ଜାରି ରହିଛି । ଷ୍ଟେସନର ଅଟ୍ଟାଳିକା, ପ୍ଲାଟଫର୍ମ, ଚଳପ୍ରଚଳ ସ୍ଥାନ, ସମ୍ପ୍ରସାରିତ କ୍ଷେତ୍ରର ବିକାଶ କାମ କରାଯାଉଛି। ଏହାସହିତ ୭ କୋଟି ଟଙ୍କା ବିନିଯୋଗ କରି ରାଇରଙ୍ଗପୁର ଷ୍ଟେସନର ଅଟ୍ଟାଳିକା, ପ୍ଲାଟଫର୍ମ, ସଂଯୋଗ ରାସ୍ତା, ଆଲୋକିକରଣ କାମ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଶ୍ୱର ସବୁଠୁ ବଡ଼ ରେଳଷ୍ଟେସନ ପୁନର୍ବିକାଶ କାର୍ଯ୍ୟକ୍ରମ ଅମୃତ ଭାରତ ଯୋଜନା ଅଧୀନରେ ଓଡ଼ିଶାର ୫୯ଟି ଷ୍ଟେସନର ପୁନର୍ବିକାଶ କାମ ଚାଲିଥିବା କେନ୍ଦ୍ର ରେଳ ମନ୍ତ୍ରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା