
ନୂଆଦିଲ୍ଲୀ, ୧୮ ଡିସେମ୍ବର (ହି.ସ.)- ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ସ୍ଥାନରେ ବିକାଶ ଭାରତ - ରୋଜଗାର ପାଇଁ ଗ୍ୟାରେଂଟି ଏବଂ ଜୀବିକା ମିଶନ (ଗ୍ରାମୀଣ) ତଥା ବିବି-ଜି ରାମ ଜୀ ବିଧେୟକ ଉପସ୍ଥାପନ ବିରୋଧରେ ବିରୋଧୀ ଦଳଗୁଡ଼ିକର ସାଂସଦମାନେ ସଂସଦ ଭବନ ପରିସରରେ ପ୍ରତିବାଦ କରିଥିଲେ । ଏହି ବିରୋଧ ପ୍ରଦର୍ଶନ ସମୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ, କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ସାଂସଦ କେସି ଭେଣୁଗୋପାଳ, ପି. ଚିଦାମ୍ବରମ, ପ୍ରମୋଦ ତିୱାରୀ, ଦିଗବିଜୟ ସିଂହ, ସୟଦ ନାସିର ହୁସେନ, ଧର୍ମେନ୍ଦ୍ର ଯାଦବ ଏବଂ ଶିବସେନା (ୟୁବିଟି)ର ଅରବିନ୍ଦ ସାୱନ୍ତଙ୍କ ସମେତ ଅନେକ ସାଂସଦ ଉପସ୍ଥିତ ଥିଲେ । ପ୍ରଦର୍ଶନକାରୀ ସାଂସଦ ମାନେ ହାତରେ ପୋଷ୍ଟର ଧରି ମନରେଗା ଫେରସ୍ତ ଦିଅ, ଗରିବଙ୍କ ଅଧିକାର ଛଡ଼ାଇ ନେବା ବନ୍ଦ କର, ଶ୍ରମିକଙ୍କ ଅଧିକାର ଫେରସ୍ତ କର, ମନରେଗା ଜିନ୍ଦାବାଦ ଭଳି ସ୍ଲୋଗାନ ଦେଇଥିଲେ ।
କଂଗ୍ରେସ ଅଧ୍ୟକ୍ଷ ଖର୍ଗେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଏହା କେବଳ ମନରେଗାର ନାମ ପରିବର୍ତନ କରିବାର ବିଷୟ ନୁହେଁ, ବରଂ କାମ କରିବାର ଅଧିକାର ଛଡ଼ାଇ ନେବାର ପ୍ରୟାସ । ସରକାର ନିଜ ଇଚ୍ଛା ଅନୁସାରେ କାମ ଦେବେ ଏବଂ ପରେ ଏହା କହି କାମ ବନ୍ଦ କରିଦେବେ ଯେ, ଏବେ ଚାହିଦା ନାହିଁ । ବିରୋଧୀ ଦଳ ଅଭିଯୋଗ କରିଛନ୍ତି ଯେ ସରକାର କାମ କରିବାର ଅଧିକାରକୁ ଦମନ କରିବାକୁ ଚେଷ୍ଟା କରିଛନ୍ତି, ଯାହା ଭାରତର ଗ୍ରାମାଚଂଳରେ ସାମାଜିକ ଏବଂ ଆର୍ଥିକ ପରିବର୍ତନ ଆଣିଥାଏ । ଆମେ ସଂସଦରୁ ସଡ଼କ ପର୍ଯ୍ୟନ୍ତ ଏହା ବିରୁଦ୍ଧରେ ଲଢ଼ିବୁ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ